ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସୁବାସ ଚୌହାନଙ୍କୁ ଥଇଥାନ ପରେ ରୀତାଙ୍କ ପାଇଁ ରାସ୍ତା ପରିଷ୍କାର।

ବିଜେପୁର ଉପ-ନିର୍ବାଚନ ପାଇଁ ଘୋଷଣା ହୋଇନି ତାରିଖ। ହେଲେ ବିଜେଡି ଏହି ଉପ-ନିର୍ବାଚନ ପାଇଁ ପାଗ ପ୍ରସ୍ତୁତ କଲାଣି। ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ଦେଇ ବିଜେଡି ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ ଫୁଙ୍କିଛନ୍ତି।

ସୁବାସଙ୍କୁ ଥଇଥାନ କରିବା ପରେ ରୀତା ସାହୁଙ୍କ ପାଇଁ ରାସ୍ତା ପରିଷ୍କାର ହୋଇଥିବା କୁହାଯାଉଛି। ରୀତା ବିଜେପୁରରେ ବିଜେଡି ପ୍ରାର୍ଥୀ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। କେବଳ ବିଧିବଦ୍ଧ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା ରହିଛି।

୨୦୧୯ ନିର୍ବାଚନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହିଞ୍ଜିଳି ଏବଂ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଦୁଇଟି ଆସନରୁ ବିଜୟୀ ହୋଇଥିଲେ। ପରେ ହିଞ୍ଜିଳି ଆସନକୁ ରଖି ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ ନବୀନ। ବିଜେପୁର ଆସନରେ ଉପ-ନିର୍ବାଚନ ହେବା ସ୍ପଷ୍ଟ ହୋଇଥିଲା।

ତେବେ ବିଜେଡି ଏଠାରେ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ପୂର୍ବତନ ବିଧାୟକ ରୀତା ସାହୁ ନା ବିଜେପି ଛାଡ଼ି ବିଜେଡି ଆସିଥିବା ସୁବାସ ଚୌହାନଙ୍କୁ ଦଳ ଟିକେଟ ଦେବ ତାକୁ ନେଇ ଅଙ୍କ କଷା ଚାଲିଥିଲା।

ଶେଷରେ ନବୀନ ସୁବାସଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କରି ସନ୍ତୁଷ୍ଟ କରିଛନ୍ତି। ଏଣୁ ରୀତା ପୁଣିଥରେ ବିଜେଡି ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି।

ରୀତା ହେଉଛନ୍ତି ବିଜେପୁରର ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ। ୨୦୧୭ରେ ସୁବଳଙ୍କ ଦେହାନ୍ତ ପରେ ରୀତା ଏବଂ ତାଙ୍କ ପୁଅ ବିଜେଡିକୁ ଆସିଥିଲେ। ରୀତାଙ୍କୁ ବିଜେଡି ୨୦୧୮ ଉପ-ନିର୍ବାଚନରେ ପ୍ରାର୍ଥୀ କରିଥିଲା। ୨୦୧୯ରେ ରୀତାଙ୍କୁ ଟିକେଟ ନଦେଇ ନିଜେ ନବୀନ ପ୍ରାର୍ଥୀ ହୋଇଥିଲେ।

ବିଜେପୁର ପାଇଁ କମିଟି

ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ସମନ୍ୱୟ କମିଟି ଗଠନ କରିଛି। ଏହି କମିଟିରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂହ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ଏବଂ ପୂର୍ବତନ ସାଂସଦ କଳିକେଶ ସିଂହଦେଓ ଅଛନ୍ତି। ଏମାନେ ଏବେଠାରୁ ବିଜେପୁରରେ ଗଡ଼ ଜଗିବେ। ସ୍ଥାନୀୟ ଲୋକଙ୍କ ସହ ସମନ୍ୱୟ ରକ୍ଷା କରିବେ। ଗତ ନିର୍ବାଚନରେ ଭୋଟ ବ୍ୟବଧାନ ଯେତିକି ଥିଲା ଏଥର ଯେମିତି ସେତିକି ରୁହେ ସେନେଇ ଏହି ନେତାମାନେ କାମ କରିବେ।

Comment