ଓଡ଼ିଶାଲାଇଭ୍ ବ୍ୟୁରୋ

ବିରାଟ କୋହଲିଙ୍କ କ୍ୟାପଟେନ୍‌ସିପକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର। ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ରନ୍‌ ମାଷ୍ଟର ରୋହିତ ଶର୍ମାଙ୍କ ଯୋଗୁଁ ହିଁ କୋହଲି ସଫଳ ଅଧିନାୟକ ହୋଇପାରିଥିବା କହିଛନ୍ତି ଗୌତମ ଗମ୍ଭୀର।

ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଗୌତମ କହିଛନ୍ତି, “ବିଶ୍ୱକପରେ କୋହଲିଙ୍କ ନେତୃତ୍ୱ ନିଶ୍ଚିତ ଭାବେ ଚତ୍ମକାର ଥିଲା। ବର୍ତ୍ତମାନ ତାଙ୍କୁ ଆହୁରି ଆଗକୁ ଯିବାର ଅଛି। ଅନ୍ତର୍ଜାତୀୟ ମ୍ୟାଚରେ କୋହଲି ବେଶ ସଫଳ ହେବା ଫଛର ମୂଳ କାରଣ ହେଲେ ଧୋନି ଓ ରୋହିତ।”

ଏଥିସହ ଆଇପିଏଲରେ ରୋହିତ ଓ ଧୋନିଙ୍କ ନେତୃତ୍ୱର ଅଭିଜ୍ଞତା ଦ୍ୱାରା ଭାରତୀୟ ଟିମ୍ ବେଶ ଲାଭବାନ ହୋଇପାରିଛି ବୋଲି ସେ କହିଛନ୍ତି। ରୋହିତଙ୍କ ନେତୃତ୍ୱରେ ଆଇପିଏଲ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଲଗାତାର ଭାବରେ ଉନ୍ନତ ପ୍ରଦର୍ଶନ କରିବା ସହ ଚାମ୍ପିୟନ ହୋଇପାରିଛି। ସେହିଭଳି ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ଅନ୍ୟତମ ଶ୍ରେଷ୍ଠ ଦଳ। ହେଲେ ଅଧିନାୟକ ଭାବେ କୋହଲି ଆଇପିଏଲରେ ସେଭଳି କୌଣସି ସଫଳତା ହାସଲ କରିପାରିନାହାନ୍ତି। ତାହା ହିଁ ହେଉଛି ଏହାର ପ୍ରକୃତ ଉଦାହରଣ ବୋଲି କହିଛନ୍ତି ଗୌତମ ଗମ୍ଭୀର।

ଅନ୍ୟପଟେ ରୋହିତ ଶର୍ମା ଟେଷ୍ଟରେ ଓପନିଂ କରିବା ଚର୍ଚ୍ଚା ଉପରେ ମଧ୍ୟ ମୁହଁ ଖୋଲିଛନ୍ତି ଗୌତମ। ସେ କହିଛନ୍ତି ଯେ ଲଗାତାର ଭାବରେ କେ ଏଲ ରାହୁଲ ଓପନିଂରେ ବିଫଳ ହୋଇଆସୁଛନ୍ତି। ତେବେ ରୋହିତଙ୍କ ଟେଷ୍ଟ ଓପନିଂ ପାଇଁ ଏହା ହିଁ ସଠିକ୍ ସମୟ। ରୋହିତଙ୍କ ଟେଷ୍ଟରେ ଇନିଂସର ଓପନିଂ କରିବାର ସୁଯୋଗ ମିଳିବା ଉଚିତ୍।

Comment