ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଉଚ୍ଚ ଶିକ୍ଷା ବ୍ୟବସ୍ଥା ଏବେ ରସାତଳଗାମୀ ହେବାରେ ଲାଗିଛି,ଏବଂ ନିଶ୍ଚିତଭାବେ ଏହା ଅତି ଚିନ୍ତାର ବିଷୟ। ‘ଟାଇମସ ହାୟର ଏଜୁକେସନ’ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଏକ ସର୍ଭେ ଉପରେ ଯଦି ନଜର ପକେଇବା ଆମ ଉଚ୍ଚ ଶିକ୍ଷାର ପ୍ରକୃତ ସ୍ଥିତି ଜାଣିପାରିବା। ଟାଇମସ ପକ୍ଷରୁ  ଯେଉଁ ତାଲିକା ଜାରି କରାଯାଇଛି ସେଥିରେ କୁହାଯାଇଛି ଯେ ବିଶ୍ୱର ଟପ୍‌ ୩୦୦ ଉଚ୍ଚଶିକ୍ଷା ଅନୁଷ୍ଠାନ ତାଲିକାରେ ଭାରତର ଗୋଟିଏ ବି ଅନୁଷ୍ଠାନ ବା ବିଶ୍ୱବିଦ୍ୟାଳୟ  ନାହିଁ।

ଟପ୍ ୩୦୦ ତାଲିକାରେ ଭାରତର କୌଣସି ବିଶ୍ୱବିଦ୍ୟାଳୟ ସ୍ଥାନ ନପାଇବା ୨୦୧୨ ମସିହା ପରେ ପ୍ରଥମ ଥର ପାଇଁ ହୋଇଛି। ଗତ ବର୍ଷ ବେଙ୍ଗାଳୁରୁର ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ  ତାଲିକାରେ ସ୍ଥାନ ପାଇଥିଲା। କିନ୍ତୁ ଏ ବର୍ଷ ତାହା  ବି ନାହିଁ। ଖାଲି ସେତିକି ନୁହେଁ, ଅନ୍ୟ ୬ଟି ବିଶ୍ୱବିଦ୍ୟାଳୟର ରାଙ୍କିଙ୍ଗ ବି ଏଥର ତଳକୁ ଖସି ଆସିଛି। ଅବଶ୍ୟ ଏତିକି କେବଳ ସାନ୍ତ୍ୱନା ଯେ ତିନି ଶହ ନହେଲା ନାହିଁ ପାଞ୍ଚ ଶହ ଟପ ତାଲିକାରେ ଭାରତର ୬ଟି ବିଶ୍ୱବିଦ୍ୟାଳୟ ସ୍ଥାନ ପାଇଛନ୍ତି। ଗତ ବର୍ଷ ମାତ୍ର  ପାଞ୍ଚଟି ଅନୁଷ୍ଠାନ ଟପ ୫୦୦ ଭିତରେ ଥିଲେ।

କ୍ରାଇଟେରିଆ କ’ଣ କହୁଛି?

ଗବେଷଣାର ମାନ ଓ ପରିବେଶ, ରିସର୍ଚ୍ଚ ପେପର ବିଶ୍ୱ ସ୍ତରରେ କେତେ ପରିମାଣରେ ଉଦ୍ଧୃତି ହେଉଛି, ଅଧ୍ୟାପନାର ଗୁଣବତ୍ତା, ବୈଷୟିକ ଶିକ୍ଷା କ୍ଷେତ୍ରରେ କେତୋଟି ପେଟେଣ୍ଟ ହାସଲ କରାଯାଇଛି ଏହିସବୁ ମାପଦଣ୍ଡକୁ ନେଇ ଟାଇମ୍‌ସର ଉକ୍ତ ରାଙ୍କିଙ୍ଗ କରାଯାଇଥାଏ। ଏହି ପୃଷ୍ଠଭୂମିରେ ଯଦି ଆମେ ଆଲୋଚନା କରିବା, ବିଗତ କିଛି ସମୟ ଧରି କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାର ହାଲତ ବଦଳାଇବା ପାଇଁ ବେଶ୍ କିଛି ପଦକ୍ଷେପ ନେଇଛନ୍ତି ଓ ଏଦିଗରେ ଉଦ୍ୟମ ଏବେ ବି ଜାରି ରହିଛି। ଆଉ ଏହାର ଫଳ ମିଳିବା ପାଇଁ ସମୟ ଦରକାର। ଏଣୁ ଟାଇମସ ରାଙ୍କିଙ୍ଗକୁ ନେଇ ଅଯଥା ହଡ଼ବଡେଇବାର କୌଣସି କାରଣ ନାହଁ। କିନ୍ତୁ ଏହାକୁ ଏକ ଚେତାବନୀ ହିସାବରେ ନିଆଯିବା ଆବଶ୍ୟକ।

ଆହୁରି ମଧ୍ୟ, ଅନ୍ତର୍ଜାତୀୟ ସ୍ତରରେ ଭାରତର କିଛି ବୈଷୟିକ ବିଶ୍ୱବିଦ୍ୟାଳୟ ହିଁ ସ୍ଥାନ ପାଉଛନ୍ତି, ଅନ୍ୟ କାହାର ଦେଖା ନାହିଁ। ଅବଶ୍ୟ ଗୋଟିଏ ଭଲ ଖବର ଯେ ଜେଏନୟୁ ବିଶ୍ୱର ୬୦୦-୮୦୦ ବିଶ୍ୱବିଦ୍ୟାଳୟ ଭିତରେ ସ୍ଥାନ ଅଧିକାର କରିଛି।

ସମସ୍ୟା ହିଁ ସମସ୍ୟା

ଏହା ସ୍ୱୀକାର କରିବାକୁ ହେବ ଯେ ଗତ କିଛି ବର୍ଷ ମଧ୍ୟରେ ଦେଶରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନେକ ନୂଆ ଅନୁଷ୍ଠାନ ପ୍ରତିଷ୍ଠା ହୋଇଛି। ଘରୋଇ ବିଶ୍ୱବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଇଛି। ବିଦେଶୀ ଅନୁଷ୍ଠାନ ସହିତ ମିଶି କେତେକ ନୂଆ ନୂଆ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହୋଇଛି। କିନ୍ତୁ ଅସଲ କଥାଟି ଦେଖା ନାହିଁ – ମୌଳିକତା ଓ ସୃଜନଶୀଳତା।

ସରକାର ସାଇନ୍ସ ଓ ଟେକ୍ନୋଲଜି କ୍ଷେତ୍ରରେ ଗବେଷଣାକୁ ପ୍ରୋତ୍ସାହନ ଦେବା ପାଇଁ ଆକର୍ଷକ ଛାତ୍ରବୃତ୍ତି ଦେବା ଆରମ୍ଭ କରିଛନ୍ତି। କିନ୍ତୁ ସମସ୍ୟା ହେଉଛି ଯେଉଁମାନେ ବି ଟେକ ପାସ କରୁଛନ୍ତି ସେମାନେ ଗବେଷଣାକୁ ଯିବା ବଦଳରେ ଚାକିରୀ କରିବାକୁ ପସନ୍ଦ କରୁଛନ୍ତି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ପ୍ରମାଣିତ ଯେ ଆମର ସାମାଜିକ ସ୍ଥିତି ମୌଳିକ ଗବେଷଣା ଓ ସୃଜନଶୀଳତା ସପକ୍ଷରେ  ଆଦୌ ନାହିଁ। ଅଧିକାଂଶ ଯୋଗ୍ୟତାପ୍ରାପ୍ତ ଇଞ୍ଜିନିୟର ଚାକିରି ପଛରେ ଦୌଡୁଛନ୍ତି ତ ଯେଉଁମାନଙ୍କର ଗବେଷଣା କରିବା ପାଇଁ ଇଚ୍ଛା ସେମାନେ ବିଦେଶ ପଳାଉଛନ୍ତି। ବିଶ୍ୱବିଦ୍ୟାଳୟ ଗୁଡିକରେ ଉତ୍ତମ ଫ୍ୟାକଲ୍ଟି ବି ଏକ ବଡ଼ ସମସ୍ୟା। ବାହାରୁ ବିଶେଷଜ୍ଞ ମଗାଇବା କଥା କେବଳ କାଗଜପତ୍ରରେ ହିଁ ସୀମିତ ରହିଛି।

ସ୍ୱାୟତ୍ତତା ସପକ୍ଷରେ

ଅନ୍ୟ ଏକ ବିଷୟ, ଦେଶର ଉଚ୍ଚଶିକ୍ଷା କ୍ଷେତ୍ରରେ ଘରୋଇ ବା ପ୍ରାଇଭେଟ ସେକ୍ଟରର ଅବଦାନକୁ ଏ ପର୍ଯ୍ୟନ୍ତ ଆକଳନ କରାଯାଇନାହିଁ। ସରକାର ୟୁଜିସି, ଏଆଇସିଟିଇ ଭଳି ସଂସ୍ଥାକୁ ଭାଙ୍ଗିଦେଇ ଉଚ୍ଚଶିକ୍ଷାର ନିୟନ୍ତ୍ରଣ ଓ ପରିଚାଳନାକୁ ଆହୁରି ସହଜସାଧ୍ୟ ଓ ବାସ୍ତବ କରିବା ପାଇଁ ଉଦ୍ୟମ କରୁଛନ୍ତି ସତ, ହେଲେ ଏହାର ସଫଳତାକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି।

ବିଶ୍ୱର ବଡ଼ ବଡ଼ ବିଶ୍ୱବିଦ୍ୟାଳୟ ଯଥା ଅକ୍ସଫୋର୍ଡ ଓ ମାସାଚୁସେଟ୍ସରେ ଯଦି ଖୁବ୍ ଉଚ୍ଚ ମାନର ଗବେଷଣା ହେଉଛି ତାହାର କାରଣ ସେଠାରେ ରହିଥିବା ପରିବେଶ ଓ ଏହିସବୁ ଅନୁଷ୍ଠାନକୁ ମିଳୁଥିବା ସ୍ୱତନ୍ତ୍ରତା ଓ ସ୍ୱାୟତ୍ତତା। ଏହିସବୁ ନାମୀ  ବିଶ୍ୱବିଦ୍ୟାଳୟ ନା ସରକାରୀ ଢାଞ୍ଚାରେ ବାନ୍ଧି ହୋଇ ରହିଛନ୍ତି ନା ଗବେଷଣା  ଖର୍ଚ୍ଚ ତୁଲାଇବା ପାଇଁ ସେମାନେ ସରକାରଙ୍କ ହାତକୁ ଚାହିଁ ବସୁଛନ୍ତି?

ଉପସଂହାର

ଯଦି ଭାରତକୁ ଏକ ଜ୍ଞାନର ଭଣ୍ଡାର ବା ନଲେଜ ପାୱାର କରିବାର ଉଦ୍ଦେଶ୍ୟ ରହିଛି ତେବେ ସରକାରଙ୍କ ପକ୍ଷରୁ  ଉଚ୍ଚଶିକ୍ଷା ଅନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ନୈତିକ ଶକ୍ତି ତଥା  ମନୋବଳକୁ ପ୍ରଥମେ  ବଢାଇବାକୁ ପଡ଼ିବ। ଏଥିପାଇଁ  ଆବଶ୍ୟକ ଅର୍ଥ ବି ବ୍ୟବସ୍ଥା କରାଯିବା ଆବଶ୍ୟକ। ତା’ ଛଡ଼ା ଉଚ୍ଚଶିକ୍ଷାର ଭବିଷ୍ୟତ ଢାଞ୍ଚାକୁ ଗଢିବା ଦାୟିତ୍ୱ ଶିକ୍ଷାବିତମାନଙ୍କୁ ଦିଆଯିବା ଦରକାର। ଏହା ସେତେବେଳେ ସମ୍ଭବ ହେବ ଯେତେବେକେ ସରକାର ନିଜ ଆଜେଣ୍ଡା ବା ଉଦ୍ଦେଶ୍ୟକୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ଲାଗୁ କରିବାର ମୋହ ପରିହାର କରିବେ।

LEAVE A REPLY

Please enter your comment!
Please enter your name here