ଓଡ଼ିଶାଲାଇଭ୍ ବ୍ୟୁରୋ

  • ସେପ୍ଟେମ୍ବର ୧୩ରେ ରାଜ୍ୟର ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ କର୍ମଶାଳା 
  • ୩୦୦ରୁ ଅଧିକ ସରକାରୀ ଓ ବେସରକାରୀ କଲେଜର ଅଧ୍ୟକ୍ଷ ହେବେ ସାମିଲ 

ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ଓଡ଼ିଶାର ସବୁ ସରକାରୀ ଓ ବେସରକାରୀ କଲେଜ ଅଧ୍ୟକ୍ଷମାନଙ୍କ କମର୍ଶାଳା ଆୟୋଜନ ହେବାକୁ ଯାଉଛି। ବୁଧବାର ଦିନ ଏହି କାର୍ମଶାଳାରେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବ। ଏଠାରେ କଲେଜଗୁଡ଼ିକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବ। ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି କର୍ମଶାଳାରେ ରାଜ୍ୟର ପ୍ରାୟ ୩୦୦ଟି ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ଅଧ୍ୟକ୍ଷମାନେ ଯୋଗଦେବେ। ଛାତ୍ରଛାତ୍ରୀମାନେ ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ନେଇ ଦେଇଥିବା ଫିଡବ୍ୟାକ୍ ଉପରେ ଏଠାରେ ଆଲୋଚନା କରାଯିବ। ସେହିପରି କଲେଜଗୁଡ଼ିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି କି ନାହିଁ, ତାହାର ସମୀକ୍ଷା କରାଯିବ।

ଅନ୍ୟପଟେ ଅଧ୍ୟକ୍ଷମାନଙ୍କ କାର୍ମଶାଳାରେ ଓଡ଼ିଶାରେ କଲେଜ ଅଧ୍ୟାପକ ନିଯୁକ୍ତିକୁ ନେଇ ମଧ୍ୟ ଆଲୋଚନା କରାଯିବ। ଏହାସହ କଲେଜରେ ଉତ୍ତମମାନର ପାଠପଢ଼ାକୁ ନେଇ ରୋଡମ୍ୟାପ୍ ପ୍ରସ୍ତୁତି ଉପରେ ଚର୍ଚ୍ଚା ହେବାର କାର୍ଯ୍ୟକ୍ରମ ରହିଛି।

କିଛିଦିନ ତଳେ ରାଜ୍ୟର ଉଚ୍ଚଶିକ୍ଷାକୁ ନେଇ କଲେଜ ଛାତ୍ରଛାତ୍ରୀମାନେ ନକରାତ୍ମକ ଫିଡବ୍ୟାକ୍ ଦେଇଥିଲେ। କେଉଁଠି ଅଧ୍ୟାପକମାନେ ବିଳମ୍ବରେ କଲେଜ ଆସୁଥିବା ଏବଂ କେଉଁଠି ଶିକ୍ଷାରେ ଅବହେଳା କରୁଥିବାର ଅଭିଯୋଗ ଆସିଥିଲା। ଏହାପରେ ଉଚ୍ଚଶିକ୍ଷା ବିଭାଗର ନିଦ ଭାଙ୍ଗିଛି। ଅନେକ ଦିନର ବ୍ୟବଧାନ ପରେ ଅଧ୍ୟକ୍ଷମାନଙ୍କ କର୍ମଶାଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଛି।

Tags: #HigherEducation #DegreeColleges #Students #HigherEducationDept #Odisha

Comment