ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ମାତ୍ର ଦିନ କେଇଟା ପରେ ଧରା ପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ପ୍ରତିବର୍ଷ ସାରାଦେଶରେ ମା ଦୁର୍ଗାଙ୍କ ପୂଜା ବେଶ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। କୋଲକାତାରେ ବିଶେଷ ଢଙ୍ଗରେ ପାଳନ ହୁଏ ମା ଙ୍କ ପୂଜା। ନଅଦିନ ଧରି ବେଶ ଧୁମଧାମରେ ଏଠାରେ ପାଳନ ହୁଏ ଦେବୀଙ୍କ ଶାରଦୀୟ ଦୁର୍ଗାପୂଜା।

କୋଲକାତାରେ ବିଭିନ୍ନ ପୂଜା ମଣ୍ଡପରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ ହୁଏ ଦୁର୍ଗାପୂଜା। ଆସନ୍ତୁ ଜାଣିବା କୋଲକାତା ଦୁର୍ଗାପୂଜାର ସ୍ୱତନ୍ତ୍ରତା।

ଆଲୋକମାଳାରେ ସଜେଇହୁଏ କୋଲକାତା

ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ ଆଲୋକମାଳାରେ ସଜେଇହୁଏ କୋଲକାତା ସହର। ଉତ୍ତର କୋଲକାତାରୁ ଆରମ୍ଭ କରି ଦକ୍ଷିଣ କୋଲକାତା ପର୍ଯ୍ୟନ୍ତ ସବୁଠି ଶୋଭା ପାଉଥାଏ ରଙ୍ଗୀନ ଆଲୋକମାଳା। ସହରର ମୁଖ୍ୟ ରାସ୍ତାରୁ ଆରମ୍ଭ କରି ବିଭିନ୍ନ ଗଳିକନ୍ଧି ପର୍ଯ୍ୟନ୍ତ ସବୁଠି ଦେଖିବାକୁ ମିଳେ ଭଳିକି ଭଳି ଲାଇଟ୍ ଗେଟ୍

ସ୍ୱତନ୍ତ୍ର ଦିନରେ ମା’ଙ୍କୁ ହୁଏ ଚକ୍ଷୁଦାନ

ପୂଜା ଆରମ୍ଭ ହେବାର ବହୁ ପୂର୍ବରୁ କୋଲକାତାରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ। ସେହିପରି ମାଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ଗୋଟିଏ ସ୍ୱତନ୍ତ୍ର ଦିନରେ ଚକ୍ଷୁଦାନ କରାଯାଇଥାଏ। ନବରାତ୍ର ଆରମ୍ଭ ହେବାର ବହୁ ପୂର୍ବରୁ ମାଙ୍କ ପ୍ରତିମୂର୍ତ୍ତିର କାମ ଶେଷ ହୋଇଯାଇଥାଏ। ତେବେ ମାଙ୍କ ଆଖି ଅସଂପୂର୍ଣ୍ଣ ହୋଇ ରଖାଯାଇଥାଏ। ନବରାତ୍ରୀର ମହାଳୟାଦିନ ମା’ଙ୍କୁ ଚକ୍ଷୁ ପ୍ରଦାନ କରାଯାଇଥାଏ, ଏହାକୁ ମାଙ୍କ ଚକ୍ଷୁଦାନ ବୋଲି କୁହାଯାଏ।

ସୁଉଚ୍ଚ ତୋରଣ

କୋଲକାତା ଦୁର୍ଗାପୂଜାର ଆଉ ଏକ ସ୍ୱତନ୍ତ୍ରତା ହେଲା ସୁଉଚ୍ଚ ତୋରଣ। କୋଲକାତା ନଗରୀରେ ଦୁର୍ଗାପୂଜାରେ ତିଆରି ହୋଇଥାଏ ସୁଉଚ୍ଚ ତୋରଣ। ତୋରଣମାନଙ୍କରେ ହୋଇଥିବା ଏହିସବୁ କାରୁକାର୍ଯ୍ୟ ଦେଖିବା ପାଇଁ ଦେଶବିଦେଶରୁ ଅନେକ ଭକ୍ତ କୋଲକାତା ବୁଲିବାକୁ ଆସିଥାନ୍ତି। ଏହି ସବୁ ତୋରଣଗୁଡ଼ିକୁ ଦେଖିବାକୁ ଲୋକମାନେ ଲମ୍ବାଲାଇନରେ ଧାଡ଼ି ବାନ୍ଧିଥାନ୍ତି।

କୁମାରୀ ପୂଜା

ଦୁର୍ଗାପୂଜାରେ ନଅଦିନ ଧରି ପଶ୍ଚିମବଙ୍ଗରେ କୁଆଁରୀ ଝିଅମାନଙ୍କର ପୂଜା ହୋଇଥାଏ। ସହର ଗଳିକନ୍ଧିଠାରୁ ଆରମ୍ଭ କରି ଗାଁ ଗହଳିରେ ମଧ୍ୟ ଅବିବାହିତ କୁଆଁରୀ ଝିଅମାନଙ୍କୁ ପୂଜା କରାଯାଇଥାଏ। ପଶ୍ଚିମବଙ୍ଗରେ ଏହି କୁମାରୀପୂଜା ବେଲୁର ମଠରେ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା।

ସିନ୍ଦୁର ଖେଳ

ବିଜୟା ଦଶମୀରେ ପଶ୍ଚିମବଙ୍ଗରେ ସିନ୍ଦୁର ଖେଳ ବେଶ୍ ଲୋକପ୍ରିୟ। ଏହି ସିନ୍ଦୁର ଖେଳ ଦେଖିବାକୁ ଦେଶର କୋଣ ଅନୁକୋଣରୁ ମହିଳାମାନେ କୋଲକାତା ଚାଲିଆସନ୍ତି। ବିଜୟୀଦଶମୀ ଦିନ ବିବାହିତ ମହିଳାମାନେ ଲାଲ ଶାଢ଼ୀ ପିନ୍ଧି ଏହି ସିନ୍ଦୁର ଖେଳିଥାନ୍ତି। ପରସ୍ପରକୁ ସିନ୍ଦୁର ଲଗାଇବା ସହ ଜଗତଜନନୀ ମା ଦୁର୍ଗାଙ୍କୁ ଧରାପୃଷ୍ଠରୁ ବିଦାୟ ଦେଇଥାନ୍ତି ଶ୍ରଦ୍ଧାଳୁ।

Comment