ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଛାତ୍ରଙ୍କ ନାଁରେ ଷ୍ଟଡି ଲୋନ୍। ହେଲେ ଛାତ୍ର ଜାଣି ନାହାନ୍ତି। ୫୬ ଜଣ ଛାତ୍ରଙ୍କ ନାଁରେ ଏହି ଷ୍ଟଡି ଲୋନ୍ ହୋଇଛି। ଛାତ୍ରଙ୍କ ଅଜାଣତରେ ସେମାନେ ପଢ଼ୁଥିବା କଲେଜ କର୍ତ୍ତୃପକ୍ଷ ସେମାନଙ୍କ ନାଁରେ ଲୋନ କରିଛନ୍ତି। ଏମିତି ଏକ ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ମୋରଡାସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ।
ଏହି କଲେଜର ୫୬ ଜଣ ଛାତ୍ରଙ୍କ ନାଁରେ ଜଣ ପିଛା ୮୦ ହଜାରରୁ ଲକ୍ଷେ ଟଙ୍କା ମଧ୍ୟରେ ବ୍ୟାଙ୍କରୁ ଋଣ କରାଯାଇଥିବା ଅଭିଯୋଗ ହୋଇଛି।
ରବିବାର କଲେଜର କିଛି ଛାତ୍ର କୌଣସି କାର୍ଯ୍ୟରେ ବାରିପଦାସ୍ଥିତ ବିଜୟା ବ୍ୟାଙ୍କକୁ ଯାଇଥିଲେ। ସେଠାରେ ସେମାନେ ଜାଣିବାକୁ ପାଇଥିଲେ ଯେ ସ୍କୁଲର ୫୬ ଜଣ ଛାତ୍ରଙ୍କ ନାଁରେ ଲୋନ୍ ହୋଇଛି। ଏ କଥା ଜାଣିବା ପରେ କଲେଜରେ ଉତ୍ତେଜନା ଦେଖାଦେଇଥିଲା। ଏହାପରେ ୫୬ ଜଣ ଛାତ୍ର ଏକାଠି ଯାଇ ସୋମବାର ରାତିରେ ମୋରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ସେମାନଙ୍କୁ ଆଉ କଲେଜରେ ପ୍ରବେଶ କରାଇ ଦିଆଯାଉ ନଥିବା ଜଣାପଡ଼ିଛି।