ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ଲଢ଼େଇ ପାଇଁ ଏକାଠି ହେଲା କଂଗ୍ରେସ।

ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ତତ୍ପର ହୋଇ ଉଠିଛି କଂଗ୍ରେସ। ବିଜେପୁରରେ ଉପଯୁକ୍ତ ପ୍ରାର୍ଥୀ ଦେଇ ଗଡ଼ ଦଖଲ କରିବାକୁ କଂଗ୍ରେସ ମାନସ ମନ୍ଥନ କରିଛି। ତେବେ କିଏ କଂଗ୍ରେସ ଟିକେଟ ନେବ ସେନେଇ କୌଣସି ଘୋଷଣା ହୋଇନି। ବୁଧବାର ସନ୍ଧ୍ୟା ସୁଦ୍ଧା ବିଜେପୁର ପାଇଁ ପ୍ରାର୍ଥୀ ଘୋଷଣା କରିପାରେ କଂଗ୍ରେସ। ତେବେ ଦଳ ପୂର୍ବ ସ୍ଥିତିକୁ କେମିତି ଫେରିବ ସେନେଇ ରଣନୀତି ପ୍ରସ୍ତୁତ କରିଛି।

ବିଜେପୁର ପାଇଁ କଂଗ୍ରେସ ଗଠନ କରିଛି କମିଟି। ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏହି କମିଟି ଗଠନ ହୋଇଛି। ଏହି କମିଟି ବିଜେପୁର ଗସ୍ତ କରି ବିଜେପୁରବାସୀଙ୍କର ମତାମତ ନେଇଛନ୍ତି। ଏହି ମତାମତକୁ ଆଧାର କରି କଂଗ୍ରେସ ଭବନରେ ମଙ୍ଗଳବାର ଚାଲିଥିଲା ମାନସ ମନ୍ଥନ।

ଏହି ବୈଠକରେ ଟିକେଟ ପ୍ରସଙ୍ଗ ମଧ୍ୟ ଆଲୋଚନା ହୋଇଥିଲା। ଉପଯୁକ୍ତ ପ୍ରାର୍ଥୀଙ୍କୁ କଂଗ୍ରେସ ଟିକେଟ ଦେବ ବୋଲି ବୈଠକରେ ଆଲୋଚନା ହୋଇଥିଲା।

‘‘୧୦ରୁ ୧୫ ନେତା ଟିକେଟ ପାଇଁ ଲିଖିତ ଆକାରରେ ଜଣାଇଥିଲେ। ଆାହୁରି ଅନେକ ନେତା ଟେଲିଫୋନ୍‌ ଜରିଆରେ କହିଥିଲେ। ସମସ୍ତଙ୍କ ଆବେଦନକୁ ବିଚାର କରାଯାଇଛି। ୪, ୫ ଜଣଙ୍କ ନାଁ ଟିକେଟ ପାଇବା ରେସ୍‌ରେ ସାମିଲ ହୋଇଛି। ଆମେ ଏଆଇସିସିକୁ ପଠାଇ ଦେଇଛୁ। ଏଇଆଇସିସିରେ ଜଣକର ନାଁ ଚୂଡ଼ାନ୍ତ ହେବ’’, କହିଛନ୍ତି ନରସିଂହ ମିଶ୍ର।

ଶ୍ରୀ ମିଶ୍ର ଆହୁରି କହିଛନ୍ତି ଯେ ବିଜେପୁର ଥିଲା କଂଗ୍ରେସର ଗଡ଼। ଲଗାତର ଦୁଇ ଥର ଆମେ ସେଠି ବିଜୟୀ ହୋଇଥିଲୁ। ହେଲେ ଗତ ଉପ-ନିର୍ବାଚନ ବେଳେ ଶାସକ ଦଳ ହାତକୁ ଚାଲିଗଲା ବିଜେପୁର। ତେବେ ଭୋଟରଙ୍କ ମୁଡ୍‌ କେତେବେଳେ କ’ଣ ହେବ ତାହା କହିବା ମୁସ୍କିଲ୍‌। ଆମେ ଲୋକଙ୍କ ମତାମତକୁ ଆଧାର କରି ପୁଣି ନିର୍ବାଚନ ଲଢ଼ିବୁ।’’

କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ୨୦୦୪ରୁ ୨୦୧୭ ଯାଏଁ ବିଜେପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ। କିନ୍ତୁ ୨୦୧୭ରେ ତାଙ୍କର ଦେହାନ୍ତ ହୋଇଯିବାରୁ ସୁବଳଙ୍କ ପରିବାର ବିଜେଡିରେ ସାମିଲ ହୋଇଥିଲେ।

୨୦୧୮ ଉପ-ନିର୍ବାଚନରେ ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। କଂଗ୍ରେସ ଏଠାରେ ଗାଇସିଲାଟ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଣୟ ପରାଜିତ ହୋଇଥିଲେ।

୨୦୧୯ ନିର୍ବାଚନରେ କଂଗ୍ରେସ ଏଠାରେ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ରିପୁନାଥ୍‌ ବି ପରାଜିତ ହୋଇଥିଲେ। ବିଜେପୁରରେ ସେ ତିନି ନମ୍ବରରେ ରହିଥିଲେ। ଏଣୁ କଂଗ୍ରେସ ପୁଣି ରିପୁନାଥ୍‌ଙ୍କୁ ଟିକେଟ ଦେଉଛି ନା ନୂଆ ମୁହଁକୁ ପ୍ରାର୍ଥୀ କରୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment