ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିଯୋଗକାରୀଙ୍କୁ ଫୋନ୍‌ କରି ମତାମତ ନେଲେ ପୋଲିସ ଡିଜି ବି କେ ଶର୍ମା।

‘‘ଥାନା ବାବୁ ଆପଣଙ୍କୁ କେମିତି ବ୍ୟବହାର ପ୍ରଦର୍ଶନ କଲେ? କେମିତି ଭାଷା କହିଲେ? ଏଫ୍‌ଆଇଆର୍‌ କପିର ରସିଦ୍‌ ଦେଲେ କି? ଆପଣ କେତେ ମାର୍କ ଦେବେ?’’

ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଅଫିସରୁ ଅଭିଯୋଗକାରୀଙ୍କୁ ଫୋନ୍‌ କରି ଏମିତି ପ୍ରଶ୍ନ କରିଥିଲେ ପୋଲିସ ଡିଜି ବିଜୟ କୁମାର ଶର୍ମା। ଅଭିଯୋଗକାରୀଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣିଥିଲେ ଏବଂ କିଏ କ’ଣ କହିଲେ ତାକୁ ରେକର୍ଡ କରିଥିଲେ।

ଅକ୍ଟୋବର-୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଯାଉଛି ‘ମୋ ସରକାର’ ଯୋଜନା। ଏହି ଯୋଜନାର ପ୍ରଥମ ଦଫାରେ ରହିଛି ଡାକ୍ତରଖାନା ଏବଂ ଥାନା। ଡାକ୍ତରଖାନାରେ ରୋଗୀ ଏବଂ ଥାନାରେ ଅଭିଯୋଗକାରୀଙ୍କୁ କେମିତି ବ୍ୟବହାର ମିଳୁଛି ତାହା ଜାଣିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଅକ୍ଟୋବର-୨ରୁ ବିଧିବଦ୍ଧ ଭାବେ ଏହି ଯୋଜନା ଲାଗୁ ହେବା ପୂର୍ବରୁ ପୋଲିସ ଡିଜି ଟ୍ରାଏଲ୍‌ ବେସିସ୍‌ରେ ଲୋକଙ୍କ ମତାମତ ନେଇଥିଲେ। ଭୁବନେଶ୍ୱର, ନୟାଗଡ଼ ଏବଂ ନବରଙ୍ଗପୁରର ତିନି ଜଣ ଅଭିଯୋଗକାରୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ପୋଲିସ ଡିଜି।

‘‘ତିନି ଜଣ ଅଭିଯୋଗକାରୀଙ୍କ ସହ କଥା ହୋଇଛି। ଥାନାରେ ସେମାନଙ୍କର ଅନୁଭୂତି କ’ଣ ଥିଲା ସେନେଇ ମତାମତ ନେଲି। କିଛି ପ୍ରଶ୍ନର ଉତ୍ତର ସହଜରେ ଦେଇଥିବା ବେଳେ ଆଉ କିଛି ପ୍ରଶ୍ନର ଉତ୍ତର ଦେଲା ବେଳେ ଅଭିଯୋଗକାରୀ ସଙ୍କୋଚ ମନେକରିଥିଲେ। ଯେଉଁଠି ଥାନା ଅଧିକାରୀ ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର କରିଥିବା ଜଣାପଡ଼ିବ ସେଠି ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ’’, କହିଛନ୍ତି ପୋଲିସ ଡିଜି ବି କେ ଶର୍ମା।

ପ୍ରଶାସନକୁ ଲୋକଙ୍କ ନିକଟତର କରିବା ପାଇଁ ରାଜ୍ୟ ସରକାର 5-T ଫର୍ମୁଲା ଆପଣାଇଛନ୍ତି। ଏହି କ୍ରମରେ ରାଜ୍ୟରେ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ତଳେ 5-T ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଚରିଆରେ ୫୦୦ରୁ ଅଧିକ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

ଥାନାକୁ ଅଭିଯୋଗ ନେଇ ଯାଉଥିବା ଲୋକଙ୍କ କଥା ଅଗ୍ରାଧିକାର ଭିତ୍ତିରେ ଶୁଣିବାକୁ ପରାମର୍ଶ ଦେଇଥିଲେ 5-T ସଚିବ।

Comment