ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ବିଧାୟକ ରୋହିତ ପୂଜାରୀଙ୍କୁ ବିଧାନସଭାରେ ଦଳର ଉପ ମୁଖ୍ୟ ସଚେତକ ଭାବରେ ନିଯୁକ୍ତି ଦେଇଛନ୍ତି। ଧର୍ମଶାଳା ବିଧାୟକ ପ୍ରଣବଙ୍କ ସ୍ଥାନରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିଛି। ପୂଜାରୀ ରେଢ଼ାଖୋଲ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି। ପୂଜାରୀ ପଞ୍ଚଦଶ ବିଧାନସଭାରେ ୨୦୧୪ରୁ ୨୦୧୯ ମଧ୍ୟରେ ବି ଉପମୁଖ୍ୟ ସଚେତକ ଥିଲେ। ବିଧାନସଭାରେ ଏବେ ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସରକାରଙ୍କ ମୁଖ୍ୟ ସଚେତକ ଅଛନ୍ତି।

ପ୍ରଣବଙ୍କ ହଠାତ ସ୍ଥାନାନ୍ତର ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ ମାତ୍ର ୫ ମାସ ତଳେ ଏହି ପଦରେ ନିଯୁକ୍ତ ହୋଇଥିଲେ। ରାଜନୈତିକ ମହଲରେ ଚାଲିଥିବା ଆଲୋଚନା ଅନୁସାରେ ପ୍ରଣବଙ୍କୁ ହଟାଇ ରୋହିତଙ୍କୁ ନିଯୁକ୍ତି ଦେବା ପଛରେ କିଛି ଖାସ୍‌ କାରଣ ରହିଛି। ଆଗକୁ ବିଜେପୁର ଉପ-ନିର୍ବାଚନ ଥିବା କାରଣରୁ ସବୁ ଅଞ୍ଚଳକୁ ସମାନ ଗୁରୁତ୍ୱ ଦେବା ଲକ୍ଷ୍ୟ ନେଇ ରୋହିତଙ୍କୁ ଉପମୁଖ୍ୟ ସଚେତକ କରାଯାଇଛି ବୋଲି କେତେକ କହୁଛନ୍ତି। ଏହା ଦ୍ୱାରା ବରଗଡ଼ ଓ ସମ୍ବଲପୁର ଜିଲ୍ଲା ଲୋକେ ନିଶ୍ଚିତ ଭାବରେ ଖୁସି ହେବେ।

୨୦୧୯ ବିଧାନସଭା ନିର୍ବାଚନରେ ରୋହିତ ପୂଜାରୀଙ୍କ ପ୍ରଦର୍ଶନ ମଧ୍ୟ ଭଲ ଥିଲା। ରେଢ଼ାଖୋଲ ଆସନ ଲୋକସଭା ନିର୍ବାଚନରେ ବି ବିଜେଡିକୁ ଭଲ ଭୋଟ ଦେଇଥିଲା ଯଦିଓ ଦଳର ପ୍ରାର୍ଥୀ ନଳିନୀ ପ୍ରଧାନ ହାରିଯାଇଥିଲେ।

ତେବେ କିଛି ବିଜେଡ଼ି ନେତାଙ୍କ କହିବା ଅନୁଯାୟୀ ପ୍ରଣବଙ୍କୁ ଦାୟିତ୍ୱରୁ ହଟାଇବା ପଛରେ ଗୋଟିଏ ବଡ଼ କାରଣ ହେଉଛି ତାଙ୍କ କାମରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ ନଥିଲେ। ପ୍ରଣବଙ୍କ  ଅଦକ୍ଷ ସମନ୍ୱୟ ଯୋଗୁଁ ବିଧାନସଭାର ବଜେଟ ଅଧିବେଶନ ସମୟରେ ଗୃହରେ ସରକାରଙ୍କୁ ବିଭିନ୍ନ ଦିନରେ  ଅଡ଼ୁଆରେ ପଡ଼ିବା ପାଇଁ ହୋଇଥିଲା। ବିରୋଧୀ ଦଳ ଖୁବ୍ ଆକ୍ରମଣାତ୍ମକ ଭୂମିକା ଗ୍ରହଣ କରିଥିବା ବେଳେ ଶାସକ ଦଳର ପ୍ରତିଆକ୍ରମଣ ଦୁର୍ବଳ ଥିଲା।

Comment