ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନରେ କଂଗ୍ରେସ ଟିକେଟ କିଏ ନେବ? ଏହାକୁ ନେଇ ଗତ ଦୁଇ ଦିନ ହେଲା କଂଗ୍ରେସ ଭବନରେ ଚାଲିଥିଲା ତର୍ଜମା। ତର୍ଜମା ଶେଷ ହେବା ପରେ ୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଆଜି ଏଆଇସିସିକୁ ପଠା ଯାଇଛି।

ଏହି ତାଲିକାରେ ଅଭିଷେକ ସେଠଙ୍କ ନାଁ ଆଗରେ ରହିଛି। ଅଭିଷେକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରିପୁନାଥ୍‌ ସେଠଙ୍କ ପୁଅ। ରିପୁନାଥ ୧୯୯୫ରେ ବିଜେପୁରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିଥିଲେ। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇଥିଲେ ରିପୁନାଥ୍‌।

ଏହାପରେ ରିପୁନାଥ୍‌ ନିର୍ବାଚିତ ହୋଇପାରି ନଥିଲେ। ୨୦୦୪ରୁ ରିପୁନାଥଙ୍କୁ ଟିକେଟ ଦେଇ ନଥିଲା ଦଳ। ସୁବଳ ସାହୁଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଥିଲା।

ସୁବଳ ୨୦୦୪ରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଥିଲେ। ୨୦୧୭ରେ ସୁବଳଙ୍କ ଦେହାନ୍ତ ପରେ ପୁଣି ଚର୍ଚ୍ଚାକୁ ଆସିଥିଲେ ରିପୁନାଥ। ୨୦୧୮ ଉପ-ନିର୍ବାଚନରେ ରିପୁନାଥ ଟିକେଟ ରେସ୍‌ରେ ରହିଥିଲେ। ହେଲେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଣୟ ନିର୍ବାଚନରେ ପରାଜିତ ହେବା ପରେ ବିଜେଡିରେ ଯୋଗ ଦେଇଥିଲେ।

୨୦୧୯ ନିର୍ବାଚନରେ ରିପୁନାଥଙ୍କୁ କଂଗ୍ରେସ ଟିକେଟ ଦେଇଥିଲା। ବିଜେଡିର ନବୀନ ପଟ୍ଟନାୟକ, ବିଜେପିର ସନତ ଗଡ଼ତିଆଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲେ ରିପୁନାଥ। ସେ ୧୪ ହଜାର ୩୪୪ ଭୋଟ ପାଇଥିଲେ।

ନବୀନ ପଟ୍ଟନାୟକ ବିଜେପୁର ଆସନରୁ ଇସ୍ତଫା ଦେବା ପରେ ପୁଣି ଉପ-ନିର୍ବାଚନ ପାଇଁ ବିଗୁଲ ବାଜିଛି। ରିପୁନାଥଙ୍କୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ପ୍ରସ୍ତୁତ ହେଉଥିଲା। ହେଲେ ରିପୁନାଥ ପୁଅ ଅଭିଷେକଙ୍କ ନାଁ ସୁପାରିଶ କରିଥିଲେ।

ଅଭିଷେକଙ୍କ ନାଁ ବି କଂଗ୍ରେସ ବୈଠକରେ ଆଲୋଚନା ହୋଇଥିଲା। ଏବେ ଅଭିଷେକଙ୍କ ନାଁ ଏଆଇସିସିକୁ ଯାଇଛି। ଅଭିଷେକଙ୍କ ସମେତ ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଏବଂ ଅବସରପ୍ରାପ୍ତ ଯନ୍ତ୍ରୀ ରବିନ୍ଦ୍ର ପଣ୍ଡାଙ୍କ ନାଁ ଏଆଇସିସିକୁ ପଠା ଯାଇଛି।

Comment