ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ବରଗଡ଼ ଜିଲ୍ଲା କଂଗ୍ରେସ କମିଟିର ଉପ-ସଭାପତି ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ଏନେଇ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି।

ବିଜେପୁରରେ କଂଗ୍ରେସ ପ୍ରାର୍ଥୀ କିଏ ହେବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। କଂଗ୍ରେସର ଉଚ୍ଚସ୍ତରୀୟ କମିଟି ଏନେଇ ଗତ ଦୁଇ ଦିନ ହେଲା କଂଗ୍ରେସ ଭବନରେ ମାନସ ମନ୍ଥନ କରିଥିଲେ। ୫ ଜଣ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ରାଜ୍ୟ କଂଗ୍ରେସ ଏଆଇସିସିକୁ ପଠାଇଥିଲା।

ଏହି ପାଞ୍ଚ ଜଣଙ୍କ ଭିତରେ ଥିଲେ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର, ସ୍ୱାଧୀସ୍ମିତା ସୁଆର ଏବଂ ଅବସରପ୍ରାପ୍ତ ଯନ୍ତ୍ରୀ ରବିନ୍ଦ୍ର ପଣ୍ଡା। ଏମାନଙ୍କ ଭିତରୁ ଦିଲ୍ଲୀପଙ୍କ ଉପରେ ମୋହର ମାରିଛି ଏଆଇସିସି।

୨୦୧୮ ଉପ-ନିର୍ବାଚନରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଣୟ ନିର୍ବାଚନ ହାରିବା ପରେ ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ରେ କଂଗ୍ରେସ ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ପ୍ରାର୍ଥୀ କରିଥିଲା।

ବିଜେପୁର ଥିଲା କଂଗ୍ରେସର ଗଡ଼। ସୁବଳ ସାହୁ ୨୦୦୪ରୁ ଲଗାତର ତିନି ଥର ଏହି ଆସନରୁ ନିର୍ବାଚନ ଜିତିଥିଲେ। ସୁବଳଙ୍କ ଦେହାନ୍ତ ପରେ ତାଙ୍କ ପରିବାର ବିଜେଡିରେ ସାମିଲ ହୋଇଥିଲେ। ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ଫଳରେ କଂଗ୍ରେସର ଗଡ଼ ଭାଙ୍ଗି ଯାଇଥିଲା। ଆଗାମୀ ଉପ-ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରି କଂଗ୍ରେସ ଗଡ଼ ରକ୍ଷା କରିବାକୁ ଉଦ୍ୟମ କରୁଛି।

Comment