ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁର ପାଇଁ ଆଗୁଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ପ୍ରାର୍ଥୀ ଘୋଷଣାରୁ କମିଟି ଗଠନ ଯାଏଁ ସବୁଥିରେ କଂଗ୍ରେସ ଆଗରେ।

ବିଜେପୁର ଉପ-ନିର୍ବାଚନକୁ କଂଗ୍ରେସ ଏଥର ଗୁରୁତର ଭାବେ ଗ୍ରହଣ କରିଥିବା ମନେହେଉଛି। ଦୁଇ ପ୍ରମୁଖ ଦଳ ବିଜେପି ଏବଂ ବିଜେଡି ଟିକେଟକୁ ନେଇ କସରତ୍‌ କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ଆଗରେ ରହିଛି। ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ଦିଲ୍ଲୀପ କୁମାର ପଣ୍ଡାଙ୍କୁ ଆଗୁଆ ଟିକେଟ ଦେଇ ଗଡ଼ ରକ୍ଷା କରିବାକୁ କଂଗ୍ରେସ ଗୋଟି ଚାଳନା କରିଛି।

୨୦୧୮ ଉପ-ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନ ବେଳେ ବିଜେପୁରକୁ ନେଇ କଂଗ୍ରେସ ଯେମିତି ତତ୍ପରତା ଦେଖାଇବା କଥା ତାହା ଦେଖାଇ ନଥିଲା। ହାତରୁ ଗଡ଼ ଖସିଯିବା ପରେ କଂଗ୍ରେସ ବୁଦ୍ଧି ଶିଖିଛି ଏବଂ ବିଜେପୁର ପାଇଁ ଆଗୁଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

କଂଗ୍ରେସ ବିଧାୟକ ଥିବା ସୁବଳ ସାହୁଙ୍କ ଦେହାନ୍ତ ପରେ ୨୦୧୮ ଫେବ୍ରୁଆରିରେ ବିଜେପୁରରେ ହୋଇଥିଲା ଉପ-ନିର୍ବାଚନ। ଏହି ଉପ-ନିର୍ବାଚନରେ ସୁବଳ ସାହୁଙ୍କ ପରିବାର ବିଜେଡିକୁ ଆସିବା ପରେ କଂଗ୍ରେସର ଗଡ଼ ଭୁଶୁଡ଼ି ଯାଇଥିଲା। ଶାସକ ଦଳକୁ ଯେମିତି ଟକ୍କର ଦେବା ପାଇଁ ଅଣ୍ଟା ଭିଡ଼ିବା କଥା ତାହା କଂଗ୍ରେସ ଦଳରେ ଦେଖିବାକୁ ମିଳି ନଥିଲା। ପ୍ରାର୍ଥୀ ଚୟନରେ ବିଳମ୍ବଠୁ ଆରମ୍ଭ କରି ପ୍ରଚାରରେ ବି କଂଗ୍ରେସ ପଛରେ ପଡ଼ି ଯାଇଥିଲା। ଶେଷରେ କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ କରିଥିଲା। ପ୍ରଣୟଙ୍କର ଲୋକସମ୍ପର୍କ ଭଲ ଥିଲା। ହେଲେ ଦଳ ତାଙ୍କ ପାଇଁ ଯେମିତି ଲାଗିବା କଥା ତାହା ହୋଇ ନଥିଲା ବୋଲି ନିର୍ବାଚନ ଫଳାଫଳ ପରେ ନିଜେ ପ୍ରଣୟ ଅଭିଯୋଗ କରିଥିଲେ। ଯେଉଁ ବିଜେପୁର କଂଗ୍ରେସର ଗଡ଼ ଥିଲା ସେଠି ଏହି ଜାତୀୟ ଦଳ ଶୋଚନୀୟ ପରାଜିତ ହୋଇଥିଲା।

୨୦୧୮ ଉପ-ନଦିର୍ବାଚନ ଭଳି ୨୦୧୯ ବିଧାନସଭା ନିର୍ବାଚନରେ ବି କଂଗ୍ରେସ ଚିତ୍‌ପଟ୍ଟାଙ୍ଗ ମାରିଥିଲା। ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କୁ ଦଳ ପ୍ରାର୍ଥୀ କରିଥିଲା। ହେଲେ ଦଳ ୧ ନମ୍ବରକୁ ଯିବ କ’ଣ ଦୁଇ ନମ୍ବର ପାଇଁ ବି ଲଢ଼େଇ କରିବାରେ ସଫଳ ହୋଇ ନଥିଲା।

୨୦୧୮ ଉପ-ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସ ପାଇଁ ଶିକ୍ଷା ହୋଇଛି। ସବୁବେଳେ ଗୋଷ୍ଠୀ କନ୍ଦଳକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ଏଥର ନିର୍ବାଚନ ଲଢ଼ିବାକୁ ଆଗୁଆ ସଜବାଜ ହୋଇଛି। ଗତ ଅଗଷ୍ଟ ମାସରୁ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାଠୁ ଆରମ୍ଭ କରି ପ୍ରାର୍ଥୀ ଦେବା କ୍ଷେତ୍ରରେ କଂଗ୍ରେସ ଦୁଇ ଦଳଙ୍କଠାରୁ ଆଗରେ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ କଂଗ୍ରେସ ବିଜେପୁର ପାଇଁ ପୂରା ଜୋଶ୍‌ରେ ରହିଛି। ହେଲେ ଏହା କେତେଦୂର ଭୋଟରେ ପ୍ରତିଫଳିତ ହେଉଛି ତାହା ଦେଖିବାର କଥା।

ଦାୟିତ୍ୱ ଦେବାରେ କଂଗ୍ରେସ ଆଗରେ

କଂଗ୍ରେସ କେବଳ ପ୍ରାର୍ଥୀ ଘୋଷଣା କରିବାରେ ନୁହେଁ, ନେତାଙ୍କୁ ବିଭିନ୍ନ ଦାୟିତ୍ୱରେ ଦେବାରେ ଆଗରେ ରହିଛି ଏହି ଜାତୀୟ ଦଳ। ୯ ଜଣ ବରିଷ୍ଠ ନେତାଙ୍କୁ କଂଗ୍ରେସ ବିଜେପୁର ନିର୍ବାଚନ ପରିଚାଳନା ପାଇଁ ବିଭିନ୍ନ ଦାୟିତ୍ୱ ଦେଇଛି।

ବିଜେପୁର ବ୍ଲକରେ ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସତ୍ୟଭୂଷଣ ସାହୁଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ବରପାଲି ବ୍ଳକରେ ନିହାର ମହାନନ୍ଦା, ସରୋଜ ମହାପାତ୍ର, ଗାଇସିଲାଟ ବ୍ଲକରେ ପ୍ରକାଶ ଚନ୍ଦ୍ର ଦେବତା, ସମରେନ୍ଦ୍ର ମିଶ୍ର ଏବଂ ବରପାଲି ଏନଏସି ଦାୟିତ୍ୱରେ ପ୍ରଦୀପ ଦେବତା ଏବଂ ବିଜେପୁର ଏନଏସି ଦାୟିତ୍ୱରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ରଖାଯାଇଛି।

ବିଜେଡି ବି ୧୪ ଜଣ ନେତାଙ୍କୁ ଦାୟିତ୍ୱ ଦେଇଛି। କିନ୍ତୁ କଂଗ୍ରେସ ଆଗୁଆ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ନିର୍ବାଚନ ମାହୋଲକୁ ସରଗରମ କରିଛି।

Comment