ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ୍‌ରେ ଅଧିନାୟକଙ୍କ ଗୁରୁତ୍ୱ ନଶ୍ଚିତଭାବେ ଗୁରୁ ଦାୟିତ୍ୱ। କ୍ରିକେଟ୍‌ ମଇଦାନରେ ୧୧ଜଣ ଖେଳାଳି ପଡ଼ିଆକୁ ଓହ୍ଲାଇଥାନ୍ତି। ପଡ଼ିଆ ମଧ୍ୟରେ ଏହି ଖେଳାଳିମାନଙ୍କ ନେତୃତ୍ୱ ନେଇଥାନ୍ତି କ୍ରିକେଟ ଅଧିନାୟକ। ତେବେ ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ କେବେ ଦଳର ଅଧିନାୟକ ନିଯୁକ୍ତ ହେବେ ବୋଲି ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ। ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନଙ୍କୁ ଟିମର ଅଧିନାୟକ ପଦବୀ ଅଚାନକ ଭାବରେ ମିଳିଥିଲା। ତେବେ ଜାଣନ୍ତୁ ଏମିତି କିଛି ଖେଳାଳିଙ୍କ ବିଷୟରେ..

ଟିମ୍ ପେନ୍ (ଅଷ୍ଟ୍ରେଲିଆ)

୨୦୧୭ ଆଶେସ୍ ସିରିଜ୍ ପୂର୍ବରୁ ଟିମ୍ ପେନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ଚିନ୍ତା କରୁଥିଲେ। ଏହି ସିରିଜରେ ତାଙ୍କର କିଛି ସ୍ଥିର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହାର କିଛି ଦିନ ପରେ ବଲ ଟ୍ୟାମ୍ପରିଂରେ ଦୋଷୀ ହୋଇ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଉପ ଅଧିନାୟକ ଡେଭିଡ୍ ୱାର୍ନର ଦଳରୁ ବାହାରିଥିଲେ। ଏହାପରେ ଦଳରେ ନେତୃତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ସମୟରେ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଆଶ୍ଚର୍ଯ୍ୟଜନକ ଭାବେ ଟିମ୍ ପେନଙ୍କୁ ଦଳର ନେତୃତ୍ୱ ଦେଇଥିଲା। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ଗତ ଆଶେସ ସିରିଜକୁ ଡ୍ର ରଖିଥିଲା। ଏହାସହ ଅଷ୍ଟ୍ରେଲିଆ ନିଜ ପାଖରେ ଆଶେସ୍ ଟ୍ରଫି ରଖିଥିଲା।

ଗ୍ରୀମ ସ୍ମିଥ୍ (ଦକ୍ଷିଣ ଆଫ୍ରିକା)

୨୦୦୩ କ୍ରିକେଟ୍ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପରାଜୟପରେ ସନ୍ ପୋଲକଙ୍କୁ ଦଳର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ବିଭିନ୍ନ ସିନିୟର ଖେଳାଳିଙ୍କ ଉପସ୍ଥିତିରେ ୨୨ ବର୍ଷୀୟ ଗ୍ରୀମ ସ୍ମିଥଙ୍କୁ ଅଧିନାୟକ ପଦରେ ଅଧିଷ୍ଠିତ କରିଥିଲା ଦଳ।

ହଠାତ୍ ଆଶ୍ଚର୍ଯ୍ୟଜନକ ଭାବରେ ସେ ଦଳର ନେତୃତ୍ୱ ଗ୍ରହଣ କରିଥିଲେ। ସେ ଅଧିନାୟକ ହେବା ନେଇ ପୂର୍ବରୁ କୌଣସି ସୂଚନା ମିଳିନଥିଲା। ସ୍ମିଥଙ୍କ ଅଧିନାୟକତ୍ୱରେ ଦଳ ଲଗାତାର ଭାବରେ ୨୦୦୭ ଓ ୨୦୧୧ ୱାର୍ଲ୍ଡକପ୍ ସେମିଫାଇନାଲ ଖେଳିଥିଲା। ଏହାସହ ସେ ଅଧିନାୟକ ଥିବା ସମୟରେ ଦଳ ଟେଷ୍ଟ ରାଙ୍କିଙ୍ଗର ପ୍ରଥମ ସ୍ଥାନ ଦଖଲ କରିଥିଲା।

ଅନୀଲ କୁମ୍ବଲେ (ଭାରତ)

ଇଂଲଣ୍ଡ ବିପକ୍ଷରେ ଏକ ଚତ୍ମକାର ଟେଷ୍ଟ ସିରିଜ୍ ବିଜୟ ପରେ ରାହୁଲ ଦ୍ରାବିଡ୍ ହଠାତ୍ ଟେଷ୍ଟ ଅଧିନାୟକ ପଦରୁ ଓହରିଯାଇଥିଲେ। ସେହି ସମୟରେ ଧୋନି ଟି-୨୦ ବିଶ୍ୱକପରେ ଭାରତର ନେତୃତ୍ୱ ନେଇଥିଲେ ଏବଂ ଧୋନିଙ୍କୁ ଟେଷ୍ଟ କ୍ୟାପଟେନ୍ କରାଇବା ନେଇ ଚର୍ଚ୍ଚା ଲାଗିରହିଥିଲା। ତେବେ ପ୍ରଥମେ ଧୋନିଙ୍କୁ ଦିନିକିଆ ଓ ଟି-୨୦ରେ ଅଧିନାୟକ କରାଇବାପରେ ଯାଇ ଟେଷ୍ଟରେ ଅଧିନାୟକ ପଦ ଦେବାକୁ ବିଚାର କରାଯାଇଥିଲା।

ସେଥିପାଇଁ ଅନିଲ କୁମ୍ବଲେଙ୍କୁ ୩୭ବର୍ଷ ବୟସରେ ଭାରତୀୟ ଟେଷ୍ଟ ଟିମର ଅଧିନାୟକ ନିଯୁକ୍ତ କରାଯାଇଥିଲା। ଅନିଲ କୁମ୍ବଲେଙ୍କ ନେତୃତ୍ୱରେ ଭାରତ ୧୪ଟି ଟେଷ୍ଟ ଖେଳିଥିଲା। ସେଥିମଧ୍ୟରୁ ଭାରତ ୩ଟିରେ ବିଜୟୀ ହେବା ସହ ୫ଟି ମ୍ୟାଚରେ ପରାଜୟ ହାସଲ କରିଥିଲା। ସେହିପରି କୁମ୍ବଲେଙ୍କ ନେତୃତ୍ୱରେ ଭାରତ ୬ଟି ଟେଷ୍ଟ ମ୍ୟାଚ ଡ୍ର କରିବାରେ ସମର୍ଥ ହୋଇଥିଲା।

ଦିମୁଥ୍ କରୁଣାରତ୍ନେ 

ଗତ ବିଶ୍ୱକପରେ ଶ୍ରୀଲଙ୍କା ଦଳର ଅଧିନାୟକ ହୋଇଥିଲେ ଦିମୁଥ୍ କରୁଣାରତ୍ନେ। ଏହାପୂର୍ବରୁ ଶ୍ରୀଲଙ୍କା ଦଳରେ ଅଧିନାୟକ ପଦକୁ ନେଇ ଅନେକ ଆଲୋଚନା ଲାଗି ରହିଥିଲା। ଦଳର ଅନେକ ସିନିୟର ଖେଳାଳି ଦଳରୁ ବିଦାୟ ନେଇସାରିଥିଲେ। ଏଭଳି ପରିସ୍ଥିତିରେ ଦଳ ଗୋଟିଏ ଭଲ ନେତୃତ୍ୱ ଆବଶ୍ୟକ କରୁଥିଲା। ଏହି ସମୟରେ କାମଚଳା ଅଧିନାୟକ ହୋଇ କରୁଣାରତ୍ନେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ବିଜୟୀ ହୋଇଥିଲେ। ତେଣୁ ୨୦୧୯ କ୍ରିକେଟ ବିଶ୍ୱକପରେ ତାଙ୍କୁ ଦଳ ନେତୃତ୍ୱର ଭାର ଦେଇଥିଲା। ବର୍ତ୍ତମାନ ସେ ନିଜକୁ ଶ୍ରୀଲଙ୍କା ଦଳର ଜଣେ ଅଧିନାୟକ ଭାବେ ଗଢ଼ିତୋଳୁଛନ୍ତି।

Comment