ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବକ୍ସିବଜାରସ୍ଥିତ ପୋଲିସ୍ ମୁଖ୍ୟାଳୟ ପରିସରରେ ଥିବା ରାମକୃଷ୍ଣ ପାଢ଼ୀ ସ୍ମୃତି କକ୍ଷରେ ଆୟୋଜିତ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ପୋଲିସ୍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଏହାର ଉଦ୍‌ଘାଟନ କରିଛନ୍ତି।

ଏହି ଅବସରରେ ସେ କହଥିଲେ, ‘‘ଅପରାଧ ଅନୁସନ୍ଧାନ କରିବା ପୋଲିସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ପୂରୁଣା ପଦ୍ଧତି ଛାଡ଼ି ବୈଜ୍ଞାନିକ(ସାଇଣ୍ଟିଫିକ୍) ଓ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ମାମଲାର ତଦନ୍ତ କଲେ, ପୋଲିସକୁ ସଫଳତା ମିଳିପାରିବ।’’

ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟର ୩୭ଟି ପୋଲିସ୍ ଜିଲ୍ଲା ଓ ପ୍ରତିଷ୍ଠାନରୁ ୨୧୨ ଜଣ ପ୍ରତିଯୋଗୀ ଓ ୨୧ଟି ପୋଲିସ୍ ଶ୍ୱାନ ଭାଗ ନେଇଛନ୍ତି। ଏହି ପ୍ରତିଯୋଗୀଙ୍କ ମଧ୍ୟରେ ୪୫ଜଣ ଇନ୍ସପେକ୍ଟର, ୫୨ ଜଣ ସବ୍ଇନ୍ସପେକ୍ଟର, ୪୯ ଜଣ ଏଏସ୍ଆଇ, ୬୬ ଜଣ କନ୍‌ଷ୍ଟେବଲ ଅଛନ୍ତି।

୩ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ଫଟୋଗ୍ରାଫି, ଡିଏନ୍ଏ, ଫିଙ୍ଗର ପ୍ରିଣ୍ଟିଂ, ବୈଜ୍ଞାନିକ ପଦ୍ଧତିରେ ଅନୁସନ୍ଧାନ, କମ୍ପୁଟର୍ ଜ୍ଞାନ କୌଶଳରେ ଦକ୍ଷତା, ସାଇବର ଅପରାଧ, ମେଡ଼ିକୋ ଲିଗାଲ୍, ପୋଲିସ୍ ଆଇନ୍ କାନୁନ୍, ପୋଲିସ୍ ଶ୍ୱାନ କୌଶଳ ପ୍ରର୍ଶନ ଓ ନିରୀକ୍ଷଣ ବିଭାଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହେବ।

ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନେ ସର୍ବଭାରତୀୟ ପୋଲିସ୍ ବୃତ୍ତିଗତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟତା ହାସଲ କରିବେ ବୋଲି ସୂଚନା ମିଳିଛି।

୨୭ ତାରିଖରେ ଏହି ପ୍ରତିଯୋଗିତା ଉଦ୍‌ଯାପିତ ହେବ। ଉଦ୍‌ଯାପନୀରେ ମୁଖ୍ୟ ଅତିଥି ଭାବେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିବେ।

Comment