ଓଡ଼ିଶାଲାଇଭ୍ ବ୍ୟୁରୋ
ହାଇଦ୍ରାବାଦ୍ କ୍ରିକେଟ ଆସୋସିଏସନର ସଭାପତି ଭାବରେ ନୂଆକରି ନିର୍ବାଚିତ ହୋଇଛନ୍ତି ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ। ଆଝାରୁଦ୍ଦିନ ତାଙ୍କ ପ୍ରତିଦ୍ୱନ୍ଦ୍ଵୀଙ୍କଠାରୁ ୭୪ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।
କ୍ରିକେଟରେ ସଂସ୍କାର ପାଇଁ ଲୋଧା କମିଟିର ସୁପାରିସ ଲାଗୁହେବା ପରେ ନୂତନ ସମ୍ବିଧାନ ଅନୁସାରେ ଦେଶରେ ଏବେ ବିଭିନ୍ନ କ୍ରିକେଟ ଆସୋସିଏସନରେ ନିର୍ବାଚନ ହେଉଛି। ୨୦୦୦ ମସିହାରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ବିସିସିଆଇ ଆଝାରୁଦ୍ଦିନ ଉପରେ ଆଜୀବନ ବାସନ୍ଦ କରିଥିଲା। ତେବେ ୨୦୧୨ ମସିହାରରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାଙ୍କ ଉପରେ ଲାଗିଥିବା ବାସନ୍ଦ ଉଠାଇ ଦେଇଥିଲେ।
ଭାରତର ଏହି ପୂର୍ବତନ ସଫଳ ଅଧିନାୟକ ଭାରତ ପାଇଁ ୯୯ଟି ଟେଷ୍ଟ ଓ ୩୩୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଟେଷ୍ଟରେ ସେ ୬୨୧୫ରନ୍ କରିଥିବାବେଳେ ଦିନିକିଆରେ ମୋଟ୍ ୯୩୭୮ ରନ୍ ସଂଗ୍ରହ କରିଥିଲେ। ଏହାସହ ଅଧିନାୟକ ଭାବରେ ସେ ୪୭ଟି ଟେଷ୍ଟ ଓ ୧୭୪ଟି ଦିନିକିଆ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଭାରତର ସଫଳ ଅଧିନାୟକମାନଙ୍କ ମଧ୍ୟରେ ଆଝାରୁଦ୍ଦିନଙ୍କ ନାଁ ସାମିଲ ଅଛି।