ଓଡିଶାଲାଇଭ୍ ବ୍ୟୁରୋ

ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ବିସିସିଆଇ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଚାଲିଥିବା ଅଭ୍ୟାସ ମ୍ୟାଚ ଡ୍ର’ରେ ଶେଷ ହୋଇଛି। ଏହାସହ ଭାରତୀୟ ଦିନିକିଆ ଦଳର ଉପଅଧିନାୟକ ତଥା ଓପନରଙ୍କ ଟେଷ୍ଟ ଓପନିଂକୁ ଚିନ୍ତା ବଢ଼ିଛି। ଦକ୍ଷିଣ ଆଫ୍ରିକା ସହ ଖେଳାଯାଉଥିବା ଅଭ୍ୟାସ ମ୍ୟାଚରେ ରୋହିତ ଇଂନିସ ଓପନ କରିବାକୁ ଆସି ଶୂନରେ ପାଭିଲିୟନ୍ ଫେରିଛନ୍ତି। ଯାହା ବର୍ତ୍ତମାନ ଚିନ୍ତାର କାରଣ ପାଲିଟିଛି।
ରୋହିତଙ୍କୁ ଟେଷ୍ଟରେ ଓପନ କରିବା ପାଇଁ ବିଭିନ୍ନ କ୍ରିକେଟରମାନେ ମତ ରଖିଥିଲେ। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ତାଙ୍କୁ ଓପନର ଭାବେ ଦଳରେ ସାମିଲ କରାଯାଇଥିଲା।
ଏହାସହ ଯଶପ୍ରୀତ୍ ବୁମରାଙ୍କ ସ୍ଥାନରେ ଦଳରେ ସାମିଲ ହୋଇଥିବା ଉମେଶ ଯାଦବ ମଧ୍ୟ ଭଲ ପ୍ରଦର୍ଶନ କରି ପାରିନାହାନ୍ତି। ସେ ମ୍ୟାଚରେ ୧୧ଓଭର ବୋଲିଂ କରି ୫.୦୯ ଇକୋନୋମିରେ ୫୬ରନ ଦେଇଛନ୍ତି। ତାଙ୍କ ବୋଲିଂରେ ସେ ମାତ୍ର ଗୋଟିଏ ୱିକେଟ ଦଖଲ କରି ପାରିଛନ୍ତି।
ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଓ ବିସିସିଆଇ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ତିନିଦିନିଆ ଅଭ୍ୟାସ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚର ପ୍ରଥମ ଦିନର ଖେଳ ବର୍ଷାକାରଣରୁ ବନ୍ଦ ରହିଥିଲା। ତେବେ ଦ୍ୱିତୀୟ ଦିନରେ ଦକ୍ଷିଣ ଆଫ୍ରିକା ଦଳ ଟସ୍ ଜିତି ବ୍ୟାଟିଂ କରିଥିଲା। ତେବେ ଦକ୍ଷିଣ ଆଫ୍ରିକା ଦଳ ୨୭୯ ରନରେ ୬ ୱିକେଟ୍ ହରାଇ ଇଂନିସ ଘୋଷଣା କରିଦେଇଥିଲା।
ତେବେ ଏହାପରେ ବିସିସିଆଇ ବୋର୍ଡ ଏକାଦଶ ପକ୍ଷରୁ ଓପନିଂ ପାଇଁ ଆସିଥିଲେ ମୟଙ୍କ ଅଗ୍ରୱାଲ୍ ଓ ରୋହିତ ଶର୍ମା। ତେବେ ରୋହିତ ତାଙ୍କ ଇଂନିସରେ ବିନା କୌଣସି ରନ୍ କରି ଆଉଟ ହୋଇଯାଇଥିଲା। ବିସିସିଆଇ ବୋର୍ଡ ଏକାଦଶ ଦଳ ୮ ୱିକେଟ ହରାଇ ୨୬୫ରନ୍ କରିପାରିଥିଲା। ଦଳପକ୍ଷରୁ ଶ୍ରୀକାର ଭାରତ ସର୍ବାଧିକ ୭୧ରନ୍ କରିଥିଲା ବେଳେ ପ୍ରିୟଙ୍କ ପାଞ୍ଚାଲ ଓ ସିଦ୍ଦେଶ ଲାଡ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଯାହା ଫଳରେ ଅଭ୍ୟାସ ମ୍ୟାଚ୍ ଡ୍ରରେ ଶେଷ ହୋଇଛି।


















