ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଦିନରେ ରାଜ୍ୟରେ ବିଦ୍ୟୁତ ସଙ୍କଟ ଦେଖାଦେବ। ଏବେଠାରୁ ଏହି ଆଶଙ୍କା ପ୍ରକାଶ ପାଇଲାଣି। ଏନଟିପିସିର କଣିହାଁ ପ୍ଲାଣ୍ଟରେ ତିନୋଟି ୟୁନିଟ ବନ୍ଦ ହେବା ଫଳରେ ଏହି ଅବସ୍ଥା ଦେଖାଦେଇଛି। ଓଡ଼ିଶା ଦୈନିକ ୩୫୫ ମେଗାୱାଟ ବିଦ୍ୟୁତ ଶକ୍ତି ହରାଉଥିବା ଜଣାପଡ଼ିଛି। ଏହାର କାରଣ ପ୍ଲାଣ୍ଟକୁ ଯଥେଷ୍ଟ ପରିମାଣରେ କୋଇଲା ମିଳୁନାହିଁ।

ଓଡ଼ିଶାର ଭାଗ ହିସାବରେ ଦିନକୁ ୫୪୪ ମେଗାୱାଟ ବିଜୁଳି ମିଳିବା କଥା। କିନ୍ତୁ ଏବେ ମାତ୍ର ୧୯୦ ମେଗାୱାଟ ବିଜୁଳି ମିଳୁଛି। ପ୍ଲାଣ୍ଟର ତିନୋଟି ୟୁନିଟ ବନ୍ଦ ହେବା ଯୋଗୁଁ ଆନୁପାତିକ ହିସାବରେ ରାଜ୍ୟକୁ କମ ବିଜୁଳି ଉପଲବ୍ଧ ହେଉଛି। ଦେଶର ଦ୍ୱିତୀୟ ବଡ଼ ଥର୍ମାଲ କୁହାଯାଉଥିବା ଏନଟିପିସିର କଣିହାଁ ଥର୍ମାଲ ପ୍ଲାଣ୍ଟ ୧୭ଟି ରାଜ୍ୟକୁ ବିଦ୍ୟୁତ ଯୋଗାଇ ଦିଆଯାଇଥାଏ। କିନ୍ତୁ ବିଗତ କିଛି ଦିନ ଧରି ଲଗାତାର କୋଇଲା ଯୋଗାଣରେ ବ୍ୟାଘାତ ସୃଷ୍ଟି ହେବା ଯୋଗୁଁ  ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି।

ମହାନଦୀ କୋଲଫିଲଡ୍ସରୁ କଣିହାଁ ପ୍ଲାଣ୍ଟକୁ କୋଇଲା ପରିବହନ କରାଯାଇଥାଏ। ସ୍ଥାନୀୟ ଲୋକଙ୍କ ଦ୍ୱାରା ନିରନ୍ତର ଧର୍ମଘଟ ଯୋଗୁଁ କୋଇଲା ଠିକଣା ଭାବରେ ପ୍ଲାଣ୍ଟକୁ ଆସି ପାରୁନାହିଁ ବୋଲି ଅଭିଯୋଗ ହୋଇଛି।

କଣିହାଁ ପ୍ଲାଣ୍ଟକୁ ଲିଙ୍ଗରାଜ ଓ କଣିହାଁ କୋଇଲା ଖଣିରୁ କୋଇଲା ଆସିଥାଏ। ଏମ୍‌ସିଏଲ ପକ୍ଷରୁ ଦିନକୁ ୫୫ ହଜାର ଟନ କୋଇଲା ଆସିବା କଥା। କିନ୍ତୁ ଏବେ ମାତ୍ର ୩୦ରୁ ୪୦ ହଜାର ଟନ ଯୋଗାଇ ଦିଆଯାଉଛି। ଯଦି ଆଗାମୀ ଦିନରେ ଅବସ୍ଥା ନସୁଧୁରେ ଅଧିକ ୟୁନିଟ ବନ୍ଦ କରିବା ନିଶ୍ଚିତ ବୋଲି ଏନଟିପିସିର ଜଣେ ଅଧିକାରୀ କହିଛନ୍ତି। ପ୍ଲାଣ୍ଟର ୧ ,୪ ଓ ୫ ନମ୍ବର ୟୁନିଟ ବନ୍ଦ ହେବା ଫଳରେ ଦୈନିକ ୩ ହଜାର ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହେବା ଜାଗାରେ କେବଳ ୧୦୦ ମେଗାୱାଟ ଉତ୍ପାଦନ ହେଉଛି।

Comment