ଓଡ଼ିଶାଲାଇଭ ବ୍ୟୁରୋ

bisakhapatna

ବିଶାଖାପାଟଣାରେ ପ୍ରଥମେ ୫୫ ବର୍ଷ ତଳେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିଲା। ଏହି ପୂଜା ବଙ୍ଗାଳି ସଂପ୍ରଦାୟ ଆରମ୍ଭ କରିଥିଲେ।

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶର ବନ୍ଦର ଓ ଶିଳ୍ପନଗରୀ ବିଶାଖାପାଟଣା ସହରରେ ଆଜକୁ ୫୫ ବର୍ଷପୂର୍ବେ ପ୍ରଥମଥର ପାଇଁ ଦୁର୍ଗାପୂଜାର ଆୟୋଜନ କରାଯାଇଥିଲା। ଏଠାରେ ଦୁର୍ଗାପୂଜାର ଆୟୋଜନ ପ୍ରଥମକରି ବଙ୍ଗାଳି ସମ୍ପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିଲା।

ଏହାପୂର୍ବରୁ ଏଠାକାର ବାସିନ୍ଦାମାନେ ଦୁର୍ଗାପୂଜାର ଆୟୋଜନ ସମ୍ପର୍କରେ ଓ ଏହାର ପୂଜା ପଦ୍ଧତି ସମ୍ପର୍କରେ କୌଣସ ପ୍ରକାରେ ଅବଗତ ନଥିଲେ। ୫୫ ବର୍ଷପୂର୍ବେ ବିଶାଖାପାଟଣାର ନୌସେନା ଅସ୍ତ୍ରଶସ୍ତ୍ର ବିଭାଗରେ କାର୍ଯ୍ୟରତ ପଶ୍ଚିମବଙ୍ଗ ବାସିନ୍ଧା ଡି.ସି. ଚୌଧୁରୀ ବିଶାଖାପାଟଣାରେ ଦୁର୍ଗାପୂଜା ଆୟୋଜନ ପାଇଁ ଆଗେଇ ଆସିଥିଲେ ଏବଂ ପୂଜାର ଆୟୋଜନ ପାଇଁ ସ୍ଥାନୀୟ ବଙ୍ଗାଳି ସମ୍ପ୍ରଦାୟର ବାସିନ୍ଦାଙ୍କ ସହଯୋଗ ଲୋଡ଼ିଥିଲେ।

ଆଜି ୬୮ ବର୍ଷ ବୟସରେ ପଦାର୍ପଣ କରିଥିବା ଡି.ସି. ଚୌଧୁରୀ ୫୫ ବର୍ଷ ପୂର୍ବେ ନିଜ ସାନ ଭାଇ ଓ କିଛି ସ୍ଥାନୀୟ ବଙ୍ଗାଳି ବାସିନ୍ଦାଙ୍କୁ ନେଇ ଗୋଟିଏ ଦୁର୍ଗାପୂଜା କମିଟି ଗଠନ କରିଥିଲେ। ପରେ ୧୯୬୪ ମସିହା ବିଶାଖାପାଟଣା ସହରର ହିନ୍ଦୁସ୍ତାନ ସିପୟାର୍ଡ଼ ନିକଟ ବର୍ମା କ୍ୟାମ୍ପ ନିକଟରେ ବିଶାଖାପାଟଣାର ପ୍ରଥମ ଦୁର୍ଗାପୂଜା ହୋଇଥିଲା।

ହେଲେ ଏହି ପୂଜା ବହୁଦିନ ଧରି ତିଷ୍ଠି ରହିପାରିନଥିଲା। ଧୀରେ ଧୀରେ ଏହି ପୂଜା ହିନ୍ଦୁସ୍ଥାନ ସିପୟାର୍ଡ଼ ପକ୍ଷରୁ ଆୟୋଜନ କରାଗଲା। କାଳକ୍ରମେ ଡି.ସି. ଚୌଧୁରୀଙ୍କ ଦ୍ୱାରା ନିର୍ମିତ ପୂଜା କମିଟି ଭାଙ୍ଗି ୨ଟି କମିଟିରେ ପରିଣତ ହେଲା। ଡି.ସି. ଚୌଧୁରୀଙ୍କ ସାନ ଭାଇ ଏମ.ସି. ଚୌଧୁରୀଙ୍କ ତତ୍ୱାବଧାନରେ ନିର୍ମିତ ବଙ୍ଗାଳିମାନଙ୍କ ନୂଆ ପୂଜା କମିଟି ଦୁର୍ଗାପୂଜାର ଆୟୋଜନ ନୌସେନା କଲୋନୀରେ ହୋଇଥିଲା।

ବର୍ତ୍ତମାନ ବିଶାଖାପାଟଣାରେ ବଙ୍ଗାଳିମାନଙ୍କର ୬ଟି ବଙ୍ଗାଳି ଅନୁଷ୍ଠାନ ରହିଛି ଏବଂ ଏମାନଙ୍କ ଦ୍ୱାରା ୨୦ରୁ ଅଧିକ ଦୁର୍ଗାପୂଜାର ଆୟୋଜନ କରାଯାଉଛି। ୧୯୮୯-୯୦ ମସିହାରେ ହିନ୍ଦୁସ୍ତାନ ସିପୟାର୍ଡ଼ ଓ ନୌସେନାରେ କାର୍ଯ୍ୟରତ କିଛି ବଙ୍ଗାଳି ବାସିନ୍ଦା ସିନ୍ଧିଆ ନିକଟ ଶ୍ରୀହରିପୁରମ୍‌ ନିକଟରେ ଗୋଟିଏ ଛୋଟିଆ ଜାଗା କିଣି ନିଜର ଅନୁଷ୍ଠାନ ସ୍ଥାପନ କରିଥିଲେ। ଯାହା ଆଜି ଗୋଟିଏ ୨ ମହଲା ବିଲଡିଂରେ ପରିଣତ ହୋଇଛି।

ଏହି ବିଲଡିଂର ନିର୍ମାଣ ପରେ ଏହି ସାହିର ନାମ “ବଙ୍ଗାଳି ସାହି” ରଖାଯାଇଥିଲା। ଏହି ବଙ୍ଗାଳି ସାହିରେ ରହିଥିବା ପଶ୍ଚିମ ବିଶାଖା କଲଚୁରାଲ ଆସୋସିଏସନ ଯାହା ଆଜି ବିଶାଖାପାଟଣା ସହରର ଗୋଟିଏ ଅଗ୍ରଣୀ ବଙ୍ଗାଳି ଅନୁଷ୍ଠାନ ରୂପେ ପରିଚିତ।

ନୌସେନା, ରେଳବାଇ, ଷ୍ଟିଲ ପ୍ଲାଣ୍ଟ, ଏନଟିପିସି ଇତ୍ୟାଦି ସରକାରୀ ଓ ବେସରକାରୀ ସଂସ୍ଥାରେ ଚାକିରୀ ଖୋଜିବାକୁ ଆସି ଅନେକ ବଙ୍ଗାଳି ଲୋକ ଏଠାକାର ବାସିନ୍ଦା ହୋଇ ସାରିଲେଣି। ବର୍ତ୍ତମାନ ବିଶାଖାପାଟଣାରେ ୨୫ ହଜାରରୁ ଅଧିକ ବଙ୍ଗାଳି ଲୋକ ବାସକରୁଥିବା ବେଳେ ବହୁ ଲୋକ ଏଠାକାର ବାସିନ୍ଦା ହୋଇସାରିଛନ୍ତି। ବେଳେବେଳେ ନିଜ ମାତୃଭୂମିକୁ ମଧ୍ୟ ଯା ଆସ କରୁଛନ୍ତି।

ଏହାମଧ୍ୟରେ କୋଲକାତାର ପ୍ରସିଦ୍ଧ ଦକ୍ଷିଣକାଳୀ ମନ୍ଦିର ଭଳି ବିଶାଖାପାଟଣା ରେଳ ଷ୍ଟେସନ ନିକଟରେ ଗୋଟିଏ କାଳୀମନ୍ଦିରର ନିର୍ମାଣ କରାଯାଇଛି। ଏଠାରେ ପ୍ରତ୍ୟେକ ବର୍ଷ ରେଳବାଇରେ କାର୍ଯ୍ୟରତ ବଙ୍ଗାଳି କର୍ମଚାରୀ ଓ କିଛି ସ୍ଥାନୀୟ ବଙ୍ଗାଳି ବାସିନ୍ଦା ମିଳିମିଶି ସବୁ ବର୍ଷ ମା ଦୁର୍ଗାଙ୍କ ନବରାତ୍ରି ପୂଜା ବହୁ ଧୁମଧାମରେ ଆୟୋଜନ କରିଥାନ୍ତି।

ବିଶାଖାପାଟଣା ବାସିନ୍ଦାଙ୍କୁ ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ପାଳନ ସାଙ୍ଗକୁ ଏହାର ରୀତିନୀତି ସମ୍ପର୍କରେ ଅବଗତ କରାଇବା ସହ ସହରରେ ପ୍ରଥମ ଦୁର୍ଗାପୂଜାକୁ ଜୀବନଦାନ ଦେଇଥିବା ବଙ୍ଗାଳି ବାସୀଙ୍କୁ ବିଶାଖାପାଟଣାର ସ୍ଥାନୀୟ ବାସିନ୍ଦା ଅନେକ ପ୍ରଶଂସା କରନ୍ତି। ବଙ୍ଗାଳି ସମ୍ପ୍ରଦାୟଙ୍କ ଅବଦାନ ଯୋଗୁଁ ଆଜି ବିଶାଖାପାଟଣାରେ ୨ ଟି କାଳୀମନ୍ଦିରର ନିର୍ମାଣ କରାଯାଇଛି।

ବଙ୍ଗାଳିମାନଙ୍କ ଅବଦାନ ଯୋଗୁଁ ଆଜି ସାରା ବିଶାଖାପାଟଣା ସହରର ବିଭିନ୍ନ ଗଳିକନ୍ଦିରେ ତେଲୁଗୁ, ଓଡ଼ିଆ ଓ ଅନ୍ୟ ଭାଷାଭାଷୀଙ୍କ ଦ୍ୱାରା ଏକ ହଜାରରୁ ଅଧିକ ମଣ୍ଡପରେ ଜଗତ ଜନନୀ ମା ଦୁର୍ଗାଙ୍କ ଦୁର୍ଗାପୂଜା ଆୟୋଜନ କରାଯାଉଛି। କିଛି ଜାଗାରେ ନବରାତ୍ରି ପୂଜାର ଆୟୋଜନ ହେଉଥିବା ବେଳେ କିଛି ସପ୍ତମୀଠାରୁ ଓ କିଛି ଜଗାରେ ଷୋଡ଼ଶ ପୂଜାର ଆୟୋଜନ କରାଯାଉଥିବା ଦେଖିବାକୁ ମିଳିଛି। ଏଣୁ ବିଶାଖାପାଟଣା ସହରରେ ବଙ୍ଗାଳିମାନଙ୍କ ଗୋଟିଏ ସ୍ୱତନ୍ତ୍ର ପରିଚୟ ରହିଛି।

Comment