ଓଡ଼ିଶାଲାଇଭ୍ ବ୍ୟୁରୋ

ରାସ୍ତାରେ ସୁରକ୍ଷିତ ଭାବେ ଗାଡ଼ି ଚଲାଇବା ପାଇଁ ରାସ୍ତାର ବିଭିନ୍ନ ନିୟମ ବିଷୟରେ ଆପଣ ଜାଣିବା ନିହାତି ଆବଶ୍ୟକ। ବିଭିନ୍ନ ସମୟରେ ଆପଣ ବିଭିନ୍ନ ରଙ୍ଗର ଲାଇନ୍ ରୋଡ୍ ଉପରେ ଦେଖିବାକୁ ପାଇଥିବେ। କେତେବେଳେ ଧଳାରଙ୍ଗର ଲାଇନ୍ ତ, କେବେ କେବେ ହଳଦିଆ ରଙ୍ଗର ଲାଇନ୍ ଆପଣ ରାସ୍ତା ଉପରେ ଦେଖିବାକୁ ପାଇଥିବେ।

ବେଳେବେଳେ ଏହି ଲାଇନଗୁଡ଼ିକ ସିଧାସଳଖ ଲମ୍ବା ହୋଇ ଟଣା ହୋଇଥିବାବେଳେ ଅନ୍ୟ କେତେକ ରାସ୍ତାରେ ଲାଇନ୍ ଗୁଡ଼ିକ ଛାଡ଼ି ଛାଡ଼ି ହୋଇ ଟଣା ହୋଇଥାଏ। ତେବେ ଏହା ପଛର କାରଣ କଣ? କଣ ପାଇଁ ଏପରି ଲାଇନ୍ ସବୁ ଟଣା ଯାଇଥାଏ? ଜାଣନ୍ତୁ

ବିଭିନ୍ନ ସମୟରେ ଆପଣ ରୋଡରେ ଧଳାରଙ୍ଗର ଲମ୍ବା ଲାଇନ ଦେଖିବାକୁ ପାଇଥିବେ। ତେବେ ଏହାର ଅର୍ଥ ହେଉଛି ଆପଣ ଯେଉଁ ଲେନରେ ଯାଉଛନ୍ତି କେବଳ ସେହି ଲେନରେ ହିଁ ଚାଲନ୍ତୁ ଏବଂ ଅନ୍ୟ ଲେନକୁ ଯାଆନ୍ତୁ ନାହିଁ।

ସେହିଭଳି ଯଦି ଆପଣ ରୋଡରେ ଛାଡ଼ି ଛାଡ଼ି ହୋଇ ଧଳା ଲାଇନ୍ ଦେଖିବାକୁ ପାଇବେ ତେବେ ଆପଣ ଜାଣିବେ ଆପଣ ଯେଉଁ ଲେନରେ ଯାଉଛନ୍ତି ସେହି ଲେନରୁ ଆପଣଙ୍କ ଗାଡ଼ିକୁ ଅନ୍ୟ ଲେନକୁ ବଦଳାଇପାରିବେ। ଅନ୍ୟ ଗାଡ଼ିକୁ ସଙ୍କେତ ଦେଇ ବା ଗାଡ଼ିର ଇଣ୍ଡିକେଟର ଦେଇ ଆପଣ ଲେନ ବଦଳାଇପାରିବେ।

ସେହିପରି ରାସ୍ତାରେ ଯଦି ଲମ୍ବା ହଳଦିଆ ରଙ୍ଗର ଲାଇନ୍ ଦେଖିବାକୁ ପାଇବେ ତେବେ ଆପଣ ଜାଣିବେ ଯେ, ଆପଣ ଅନ୍ୟ ଗାଡ଼ିକୁ ଓଭରଟେକ୍ କରିପାରିବେ କିନ୍ତୁ ସେହି ଲେନ୍ ଭିତରେ ରହି ଆପଣଙ୍କୁ ଓଭରଟେକ୍ କରିବାକୁ ପଡ଼ିବ।। ତେବେ ଏହି ନିୟମ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଥାଏ।

ଅନ୍ୟପଟେ ଯଦି ରାସ୍ତାରେ ଆପଣ ଲାଗି ଲାଗି ହୋଇ ଦୁଇଟି ହଳଦିଆ ଲାଇନ୍ ଦେଖିବାକୁ ପାଇବେ ତେବେ ଜାଣିବେ ଯେ, ଆପଣ ଯେଉଁ ଲେନରେ ଯାଉଛନ୍ତି ସେହି ଲେନରେ ହିଁ ଯିବେ, ଅନ୍ୟ ଲେନକୁ ଯିବାକୁ କିମ୍ବା ଓଭରଟେକ୍ କରିବାକୁ ଆପଣଙ୍କୁ ଅନୁମତି ନାହିଁ। ସେହିପରି ଆପଣ ଯଦି ରାସ୍ତାରେ ଛାଡ଼ି ଛାଡ଼ି ହୋଇ ହଳଦିଆ ଲାଇନ୍ ଦେଖିବାକୁ ପାଇଲେ ତେବେ ଜାଣିବେ ଯେ, ଆପଣ ଲେନ ପରିବର୍ତ୍ତନ କରିପାରିବେ, ଏଥିପାଇଁ ଆପଣଙ୍କୁ ଅନୁମତି ଅଛି।

ଏହି ସମସ୍ତ ରୋଡ ଲାଇନ୍ ସମ୍ବନ୍ଧରେ ଜାଣିବା ଜଣେ ଚାଳକ ପକ୍ଷେ ନିହାତି ଆବଶ୍ୟକ। ଯାହାଦ୍ୱାରା ଆପଣ ସୁରକ୍ଷିତ ଭାବେ ଗାଡ଼ି ଚଲାଇବା ସହ ନିଜକୁ ସୁରକ୍ଷିତ ରଖିପାରିବେ।

Comment