ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୨ରେ ସାରାଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ହେବାକୁ ଯାଉଛି। ଏଥିପାଇଁ ଦେଶର ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ଆୟୋଜନ ମଧ୍ୟ କରାଯାଉଛି। ତେବେ ନୂତନ ଓ ନବୀକରଣ ଶକ୍ତି ମନ୍ତ୍ରାଳୟ ଓ ଆଇଆଇଟି ମୁମ୍ବାଇ ଏକ ଭିନ୍ନ ଉପାୟରେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯୋଜନା କରିଛନ୍ତି।

ଗାନ୍ଧୀ ଜୟନ୍ତୀ ଦିନ ବିଶ୍ୱର ୬୦ଟି ଦେଶର ଦଶଲକ୍ଷରୁ ଅଧିକ ପିଲା ସୋଲାର ଲ୍ୟାମ୍ପ ଜଳାଇ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବେ ବୋଲି ଯୋଜନ ପ୍ରସ୍ତୁତ ହୋଇଛି। ଏହାସହ ଭାରତରେ ଏହି କାର୍ଯ୍ୟକ୍ରମ ପାଖାପାଖି ୩୫୦୦ଟି ସ୍ଥାନରେ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।

ଦିଲ୍ଲୀର ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ମଧ୍ୟ ଦଶ ହଜାରରୁ ଅଧିକ ପିଲାଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ ହେବ। ଦିଲ୍ଲୀରେ ‘ଗ୍ଲୋବାଲ ଷ୍ଟୁଡେଣ୍ଟ ସୋଲାର ଆସେମ୍ବ୍ଲି’ ସାହାଯ୍ୟରେ ପ୍ରଥମେ ସ୍କୁଲ ପିଲାମାନଙ୍କୁ ସୋଲର ଲ୍ୟାମ୍ପ ତିଆରି କରିବା ଶିଖାଯିବ। ଏହାପରେ ପିଲାମାନେ ନିଜେ ନିଜେ ଏହି ସୋଲର ଲ୍ୟାମ୍ପ ତିଆରି କରିବେ ଏବଂ ଏହାପରେ ଏହି ସୋଲର ଲ୍ୟାମ୍ପକୁ ଜଳାଇ ପିଲାମାନେ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିବେ।

ଏହି କାର୍ଯ୍ୟକ୍ରମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ନେଇ ଆଲୋଚନା ହେଉଛି। ତେଣୁ ଏହି କାର୍ଯ୍ୟକ୍ରମରେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଏହାସହ କେନ୍ଦ୍ର ଶକ୍ତିମନ୍ତ୍ରୀ ଆର.କେ ସିଂହଙ୍କ ସହ ବହୁ ଅନ୍ୟ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

Comment