ଓଡ଼ିଶାଲାଇଭ ବ୍ୟୁରୋ

ବର୍ତ୍ତମାନ ଦେଶରେ ଅନେକ ବିକାଶ ମୂଳକ କାର୍ଯ୍ୟ କରାଯାଉଛି। ଜ୍ଞାନ ବିଜ୍ଞାନ, ଯାନ୍ତ୍ରିକ କୌଶଳ ପ୍ରୟୋଗକରି ଦେଶକୁ ଏକ ବିକଶିତ ରାଷ୍ଟ୍ର କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଛନ୍ତି। ହେଲେ ଆମ ରାଜ୍ୟରେ ଏମିତି ବି ଗାଁ ଅଛି ଯେଉଁଠି ଏବେ ଯାଏଁ ନା ରାସ୍ତା ତିଆରି ହୋଇଛି ନା ପିଲାମାନେ ପାଠ ପଢିବାକୁ ସ୍କୁଲ ଅଛି। ଏମିତି ଏକ ଗ୍ରାମ ହେଉଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ବଞ୍ଜାରୀ ପଞ୍ଚାୟତର ତେତଲିଆବାହାଲ।

ବେଲପାହାଡ ପୌରପରିଷଦରୁ ପ୍ରାୟ ୮ କିମି ଦୂରରେ ତେତିଲିଆବାହାଲ ଗ୍ରାମ ଅବସ୍ଥିତ। ଏଠାରେ ରହିଛନ୍ତି ମାତ୍ର ୨୨ଟି ପରିବାର। ଏହି ଗ୍ରାମର ଜନ ସଂଖ୍ୟା ହେଉଛି ୧୫୦। ଗ୍ରାମର ଚାରିପାଖରେ ଘେରି ରହିଛି ଘଞ୍ଚ ଜଙ୍ଗଲ। ଗ୍ରାମରେ ବିଦ୍ୟାଳୟ କି ଆଙ୍ଗନବାଡ଼ିଟିଏ ନାହିଁ। ପିଲାମାନେ ଦୈନିକ ୫ କିଲୋମିଟର ସୁନ୍ଦରଗଡ଼ ଜିଲ୍ଲା କାଉଦରହ ଗ୍ରାମକୁ ଚାଲି ଚାଲି ପାଠ ପଢ଼ିବାକୁ ଯାଆନ୍ତି।

ସେହିପରି ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇ ନଥିବାରୁ ଏବେବି ରାତି ସମୟରେ ପାଠପଢା ପାଇଁ ଡିବିରର ସାହାଯ୍ୟ ନେବାକୁ ପଡୁଛି। ଏଠାରେ ଟିଭି, ଫ୍ୟାନ ଆଦି ବୈଦୁତିକ ଉପକରଣ ଚାଲିବା ସାତ ସପନ ବୋଲି କହିଛନ୍ତି  ଗ୍ରାମର ରେମତି ରୋହିଦାସ। ଏହି ଗ୍ରାମର ସମସ୍ତେ ବିପିଏଲ୍ ପରିବାର ଅର୍ନ୍ତଭୁକ୍ତ। ବିପିଏଲ୍ ପରିବାରକୁ ବିଦ୍ୟୁତ୍ ଯୋଗାଇବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ତେତିଲିଆବାହାଲ ଗ୍ରାମବାସୀ ଦୀର୍ଘ ବର୍ଷ ହେବ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇ ପାରି ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଗାଁରେ ସରକାରୀ ସୁବିଧା କହିଲେ ମିଳିଛି କେବଳ ୨ଟି ନଳକୂପ। ଏହି ନଳକୂପ ମଧ୍ୟ ଖରାଦିନେ ସୁଖି ଯାଉଥିବାରୁ ଲୋକେ ବାଧ୍ୟ ହୋଇ ଚୁଆଁ କରି କିମ୍ବା ନାଳର ପାଣି ପିଇବାକୁ ବାଧ୍ୟ ହୋଇଥାଆନ୍ତି। ସ୍ୱାସ୍ଥ୍ୟ ସେବା ପାଇଁ ଏଠାକାର ଲୋକେ ସୁନ୍ଦରଗଡ ଜିଲ୍ଲା ଉପରେ ନିର୍ଭର କରନ୍ତି। ଗ୍ରାମକୁ ଯିବା ଆସିବା କରିବା ପାଇଁ ଭଲ ରାସ୍ତା ନଥିବାରୁ ଏଠାକୁ ଆମ୍ବୁଲାନ୍ସ ଆସି ପାରେ ନାହିଁ। ଫଳରେ ରୋଗୀକୁ ଖଟିଆରେ ବୋହି ଚିକିତ୍ସାଳୟ ନେବାକୁ ବାଧ୍ୟ ହୋଇଥାଆନ୍ତି ବୋଲି ଗ୍ରାମବାସୀ କହିଛନ୍ତି।

ଏହି ଖରାପ ରାସ୍ତାରେ ଗ୍ରାମର ବୃଦ୍ଧ ଲୋକ ସାତ କିଲୋମିଟର ବଣପାହାଡ଼ ରାସ୍ତାରେ ବଞ୍ଜାରୀକୁ ଯାଇ ମାସକୁ ମାସ ଭତ୍ତା ପଇସା ଆଣିଥାଆନ୍ତି। ଦିନ ମଜୁରିଆ ଭାବରେ କାମ କରୁଥିବା ଏହି ଗ୍ରାମର ଅଧିକାଂଶ ଲୋକ ସଂପୂର୍ଣ୍ଣ ନିରକ୍ଷର। ଲୋକେ ଜିଲ୍ଲା ପ୍ରଶାସନକୁ ଦରଖାସ୍ତଟିଏ ଲେଖିବା ମଧ୍ୟ ଜାଣି ନାହାଁନ୍ତି।  କିନ୍ତୁ ବାରମ୍ଵାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ।

Comment