ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜିଠୁ ‘ମୋ ସରକାର’। ଫୋକସ୍‌ରେ ଥାନା ଓ ଡାକ୍ତରଖାନା।

ଡାକ୍ତରଖାନାରେ ରୋଗୀଙ୍କୁ ଉଚିତ୍‌ ସେବା ମିଳୁଛି କି? ରୋଗୀଙ୍କୁ ଡାକ୍ତରମାନେ କେମିତି ବ୍ୟବହାର କରୁଛନ୍ତି? ଥାନାରେ ସାଧାରଣ ଲୋକଙ୍କ ଅଭିଯୋଗକୁ କେତେ ଗୁରୁତ୍ୱ ମିଳୁଛି? ଥାନା ବାବୁ ଆପଣଙ୍କ ସହିତ କେମିତି ବ୍ୟବହାର କଲେ?

ଏସବୁ ନିଜେ ତଦାରଖ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିଠୁ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଫୋନ୍‌ କରିବେ।

ଥାନା ଓ ଡାକ୍ତରଖାନା ଯାଇଥିବା ଲୋକଙ୍କଠାରୁ ମତାମତ ନେବେ। ‘ମୋ ସରକାର’ ଯୋଜନାରେ ପ୍ରଶାସନକୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ପ୍ରଥମ ଦଫାରେ ଥାନା ଓ ଡାକ୍ତରଖାନା ସରକାରଙ୍କ ଫୋକସ୍‌ରେ ରହିଛି। ମୁଖ୍ୟମନ୍ତ୍ରୀ ପ୍ରତିଦିନ ୧୦ ଜଣ ଲୋକଙ୍କର ଫିଡ୍‌ବ୍ୟାକ ନେବେ।

ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌ କଲ୍‌ ଲୋକଙ୍କ ପାଖକୁ ଯିବା ପୂର୍ବରୁ ପୋଲିସ ଡିଜି ଏବଂ ପୋଲିସ କମିଶନର ଲୋକଙ୍କ ସହ କଥା ହୋଇଥିଲେ। ଥାନାରେ ସେମାନଙ୍କୁ କେମିତି ବ୍ୟବହାର କରାଗଲା ସେନେଇ ମତାମତ ନେଇଥିଲେ।

ଭୁବନେଶ୍ୱର ସହିଦ ନଗର ଥାନା ଏବଂ କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନା ଶୁଭାରମ୍ଭ ହେବ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏତଲା କପିକୁ ଥାନାରେ ପ୍ରସ୍ତୁତ କରି ରଖାଯାଇଛି। ଏହି ଏତଲା କପିରେ ଅଭିଯୋଗକାରୀଙ୍କ ଫୋନ୍‌ ନମ୍ବର ରହିଛି। ମୁଖ୍ୟମନ୍ତ୍ରୀ ସିଧାସଳଖ ଅଭିଯୋଗକାରୀଙ୍କ ସହ କଥା ହେବେ।

Comment