ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ଆମେ ଗାନ୍ଧୀଙ୍କୁ ମହାତ୍ମା ବା ଭଗବାନ ରୂପେ ଦେଖୁ। ତେବେ ମୋହନ ଦାସ କରମଚାନ୍ଦ ଗାନ୍ଧୀ ବା ଗାନ୍ଧୀଜୀ ଥିଲେ ଅନ୍ୟମାନଙ୍କ ଭଳି ଜଣେ ସାଧାରଣ ମଣିଷ। ତେଣୁ ଗାନ୍ଧୀଜୀଙ୍କ ଜୀବନର ସେହି ଅସାଧାରଣ କଥାକୁ ‘ମଣିଷ ଗାନ୍ଧୀ’ ଓ୍ଵେବ୍ ସିରିଜ୍‌ରେ ଉପସ୍ଥାପନ କରିଛନ୍ତି ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ଏବଂ ଲେଖକ ଦାଶ ବେନହୁର।

‘‘ଗାନ୍ଧୀଜୀ ଥିଲେ ସତ୍ୟର ପୂଜାରୀ। ଥରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଇଶ୍ଵରଙ୍କ ସମ୍ବନ୍ଧରେ ଗାନ୍ଧୀଙ୍କ ମତ କ’ଣ ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଗାନ୍ଧୀ କହିଥିଲେ ଯେ, ପୂର୍ବରୁ ସେ ଭାବୁଥିଲେ ଇଶ୍ଵର ହିଁ ସତ୍ୟ। କିନ୍ତୁ ଏବେ ସତ୍ୟ ହିଁ ଇଶ୍ଵର ବୋଲି ସେ ଭାବିଥିଲେ। ଗାନ୍ଧୀଙ୍କ ଜୀବନର ସମସ୍ତ ବିଚାରଧାରା ସତ୍ୟ ଉପରେ ପର୍ଯ୍ୟବେସିତ। ସେଥିପାଇଁ ଗାନ୍ଧୀ ତାଙ୍କର ଆତ୍ମଜୀବନୀକୁ ଏକ ସତ୍ୟାନୁସନ୍ଧାନ ବୋଲି ନାମକରଣ କରିଥିଲେ’’, ମଣିଷ ଗାନ୍ଧୀ ଓ୍ୱେବ୍‌ସିରିଜି୍‌ରେ କହିଥିଲେ ଦାଶ ବେନହୁର।

ଏ ହେଉଛି ୧୯୨୭ ମସିହାର କଥା। ଗାନ୍ଧୀଜୀ ତୃତୀୟ ଥର ପାଇଁ ଓଡ଼ିଶା ଆସିଥିଲେ। ଡିସେମ୍ବର ୫ ତାରିଖରେ ବ୍ରହ୍ମପୁରରେ ଏକ ସଭା କରି ଗାନ୍ଧୀଜୀ ବୋଲଗଡ଼ରେ ଯାଇ ପହଞ୍ଚିଥିଲେ। ସେଠାରେ ତାଙ୍କ ଦେହ ଅସୁସ୍ଥ ହୋଇପଡ଼ିଥିଲା। ଉଚ୍ଚ ରକ୍ତଚାପ ଯୋଗୁଁ ସେଠାରେ ଗାନ୍ଧୀଜୀ ଜିଲ୍ଲା ବୋର୍ଡର ଏକ ଡାକବଙ୍ଗଳାରେ ବିଶ୍ରାମ ନେଉଥା’ନ୍ତି।

ଏହି ସମୟରେ ଜଣେ ବୃଦ୍ଧ ଲୋକଟିଏ ଛିଣ୍ଡା, ମଇଳା ଲୁଗା ପିନ୍ଧି ମୁଣ୍ଡରେ କାଠଧରି ଆସୁଥିବା ଦେଖିବାକୁ ପାଇଲେ ଗାନ୍ଧୀ। ହଠାତ୍ ବୃଦ୍ଧ ଜଣକ ଦାନ୍ତରେ କୁଟାଦେଇ ଗାନ୍ଧୀଙ୍କୁ ଶୋଇକରି ପ୍ରଣାମ କରିଥିଲେ। ଏହା ଦେଖି ଗାନ୍ଧୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଗାନ୍ଧି ଏହାପରେ ପଚାରିଲେ କାହିଁକି ମତେ ଦଣ୍ଡବତ କଲ। ସେ ବୃଦ୍ଧା ଜଳକ କହିଲେ, ଜଣେ ମହାତ୍ମା ଆସିଛନ୍ତି କେମିତି ମୁଁ ଦଣ୍ତବତ କରି ନଥା’ନ୍ତି।

ଗାନ୍ଧୀ ତାଙ୍କୁ ଉଠାଇନେଇ ତାଙ୍କର ଭଲମନ୍ଦ ବୁଝିବାପରେ ଦେଶର ସ୍ଵାଧୀନତା ସଂଗ୍ରାମ କଥା କହିଲେ। ଏହାପରେ ଉକ୍ତ ବୃଦ୍ଧଙ୍କୁ କହିଥିଲେ ଯେ ସେ ସ୍ୱାଧିୀନତା ସଂଗ୍ରାମ ପାଇଁ ଆସିଛନ୍ତି ଏବଂ ବିଭିନ୍ନ ବ୍ୟକ୍ତିଙ୍କଠାରୁ ଭିକ୍ଷା ତଥା ଚାନ୍ଦା ମାଗୁଛନ୍ତି।

ପରେ ଗାନ୍ଧୀ ସେହି ଗରିବ ବୃଦ୍ଧ ଜଣକୁ କିଛି ଚାନ୍ଦା ଦେବାକୁ କହିଥିଲେ। ଏହା ଶୁଣି ବୃଦ୍ଧ ଜଣକ ଆଶ୍ଚର୍ଯ୍ୟ ହୋଇ ଗାନ୍ଧିଙ୍କୁ ବଲବଲ ହୋଇ ଅନେଇଥିଲେ। ସେ ଅବା ଗରିବ ଲୋକ ଟିଏ ସେ କ’ଣ ଦେବ ଏ ମହାତ୍ମାଙ୍କୁ।

ଏହାପରେ ଗାନ୍ଧୀ ବୃଦ୍ଧ ଜଣଙ୍କୁ କହିଥିଲେ ଯେ ତମେ ମତେ କଥାର ଭିକ୍ଷା ଦିଅ। ତମେ ମତେ କଥା ଦିଅ। ସେ ହେବ ମୋ’ ପାଇଁ କଥାର ଭିକ୍ଷା।

ଗାନ୍ଧୀ ତାଙ୍କୁ ତିନୋଟି କଥା ରଖିବାକୁ କହିଥିଲେ। ପ୍ରଥମ ହେଲା ଇଶ୍ଵରଙ୍କ ଛଡ଼ା ଆଉ କାହାକୁ ଭୁଇଁରେ ଦଣ୍ଡବତ କରିବ ନାହିଁ। ଦ୍ଵିତୀୟରେ ତାଙ୍କୁ ଗୋମାଂସ ଖାଇବାରୁ ବାରଣ କରିଥିଲେ ଗାନ୍ଧୀ। ସେହିଭଳି ତୃତୀୟରେ ଗାନ୍ଧୀ ତାଙ୍କୁ ନିଶା ଖାଇବାକୁ ବାରଣ କରିଥିଲେ।

ଗାନ୍ଧୀଙ୍କ ଏଇ ତିନୋଟି ଭିକ୍ଷା ସେ ଅଞ୍ଚଳରେ ସାମାଜିକ ଆନ୍ଦୋଳନ ହୋଇଯାଇଥିଲା।ମାତ୍ର ଦିନ କେଇଟାରେ ସମସ୍ତ ପ୍ରକାର କୁସଂସ୍କାର ,ଗୋମାଂସ ଭକ୍ଷଣ ଓ ନିଶା ନିବାରଣ ଆଦି ବୋଲଗଡ଼ ଅଞ୍ଚଳରୁ ଦୂରେଇ ଯାଇଥିଲା।

Comment