ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ ଦଶହରା ସମୟରେ କଟକରେ କେଉଁ ରାସ୍ତାରେ ଗାଡ଼ି ଯିବ ଏବଂ କେଉଁ ରାସ୍ତାରେ ଯିବ ନାହିଁ।

କଟକ: ପୂଜା ସମୟରେ କଟକ ସହରରେ ଟ୍ରାଫିକ୍ ପରିଚାଳନା ପାଇଁ କମିସିନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ସୁପରିଚାଳନା ପାଇଁ ସ୍ୱତନ୍ତ୍ର ପ୍ଲାନ୍ ପ୍ରସ୍ତୁତ ହୋଇଛି। ମହାଷଷ୍ଠୀର ଅପରାହ୍ଣ ୪ଟାରୁ ବିଜୟାଦଶମୀ ରାତି ୧୨ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ କଟକଣା ବଳବତ୍ତର ରହିବ। ଏହାଛଡ଼ା ଭସାଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୪ ତାରିଖ ସନ୍ଧ୍ୟାରୁ ୮ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସହରର ବିଭିନ୍ନ ରାସ୍ତାରେ କଟକଣା ଲଗାଯାଇଛି।

ଏହି କ୍ରମରେ ହାୱଡା ମୋଟର୍ସ ଛକରୁ ମଙ୍ଗଳାବାଗକୁ କୌଣସି ଗାଡ଼ି ଆସିବନି। ମଙ୍ଗଳାବାଗରୁ ବଣିଆସାହି ଓ ଥୋରିଆସାହିକୁ ଯାନବାହାନ ଯାଇପାରିବନି। ଦୋଳମୁଣ୍ଡାଇ ଛକରୁ ରାଣୀହାଟ ଅଭିମୁଖେ ଗାଡ଼ି ଚାଲିବା ନେଇ କଟକଣା ରହିଛି।

ଏସ୍‌ସିବି ମେଡିକାଲ୍ ପଛପଟ ଗେଟରୁ ଗାଡ଼ିଗୁଡ଼ିକ ଡାକ୍ତର ତେଜେଶ୍ୱର ରାଓ ଛକରୁ କେନାଲ୍ ବନ୍ଧ ହୋଇ ରାଣୀହାଟ୍ ପୋଲ ଦେଇ କଲେଜଛକକୁ ଯିବ। ଛତ୍ରବଜାର ପୋଲ ପାଖରୁ ମହତାବ୍ ରୋଡ୍-ଦୋଳମୁଣ୍ଡାଇକୁ ଏବଂ ଛତ୍ରବାଜର ପୋଲ୍ ପାଖରୁ ପିଲିଗ୍ରୀମ୍ ରୋଡରେ କଲେଜ୍ ଛକକୁ ଯାନବାହାନ ଯାଇପାରିବ ନାହିଁ। ମାଲଗୋଦାମରୁ କୌଣସି ଗାଡ଼ି ଛତ୍ରବଜାର କିମ୍ବା ପିଲିଗ୍ରୀମ୍ ରୋଡକୁ ଯିବନି।

ମାଲଗୋଦାମରୁ ଗାଡ଼ିଗୁଡ଼ିକ ଓଭରବ୍ରିଜରେ ଯିବା ଆସିବା ଛଉପରେ କଟକଣା ଲାଗୁ କରାଯାଇଛି। ପିଠାପୁର ଓ ଝୋଲାସାହିରୁ ଆସୁଥିବା ଗାଡ଼ିଗୁଡ଼ିକ ଫୋନବାକ୍ସ ଛକରୁ ଡାହାଣକୁ କାଠଗଡ଼ା ସାହି ହୋଇ ଗୌରୀଶଙ୍କର ପାର୍କ ଯିବେ। ତେଲେଙ୍ଗାବଜାର ଓ ବଙ୍ଗାଳିସାହିରୁ ଆସୁଥିବା ଗାଡ଼ିଗୁଡ଼ିକ ରାମକୃଷ୍ଣ କଟେଜ୍ ଛକରୁ କୁକୁରିଆପଦା ଓ ଭଗତପୁର ଆଡ଼କୁ ଯିବ। ପୁରୁଣା ଜେଲ୍ ଛକରୁ ଚୌଧୁରୀବଜାରକୁ ଗାଡ଼ି ଯାଇପାରିବ ନାହିଁ।

ଚୌଧୁରୀ ବଜାର ଛକରୁ ଗୌରୀଶଙ୍କର ପାର୍କକୁ ଗାଡ଼ି ଚଳାଚଳ କରିପାରିବ ନାହିଁ। ବାଲୁବଜାର ଛକରୁ ହାଇକୋର୍ଟ ଅଭିମୁଖେ ଗାଡ଼ି ଯାଇପାରିବ ନାହିଁ। ଚାନ୍ଦୀନିଚୌକରୁ ଚଣ୍ଡୀମନ୍ଦିର ଅଭିମୁଖେ ଗାଡ଼ି ଚଳାଚଳ କରିବ ନାହିଁ। ସେହିପରି ପୂର୍ବାଞ୍ଚଳରେ ନୂଆବଜାର ଛକରୁ କୌଣସି ଭାରୀଯାନ ଓଏମ୍ପି ଛକକୁ ଯିବ ନାହିଁ। ଉକ୍ତ ଗାଡ଼ି ଗୁଡ଼ିକ ନୂଆପଡ଼ା ଛକ ହୋଇ ପ୍ରେସ୍ ଛକ ଏବଂ ପୋତାପୋଖରୀ ହୋଇ କାଳିଆବୁଦାରେ ବାହାରିବ। ଓଏମ୍ପି ଛକରୁ ଭାରୀଯାନଗୁଡ଼ିକ ପ୍ରେସ୍‌ଛକ-ନୂଆବଜାର ହୋଇ ଜଗତସିଂହପୁର ଅଭିମୁଖେ ଯିବ। ଯୋବ୍ରା ଆନିକଟ ଛକ ଆଡ଼ୁ ଆସୁଥିବା ତିନି ଚକିଆ ଓ ଚାରି ଚକିଆ ଯାନଗୁଡ଼ିକ ଶନିମନ୍ଦିର ଛକଠାରୁ ସିଧା ଗଳି ପୋଲ ରାସ୍ତାରେ ନଯାଇ ମହାନଦୀ କଡ଼ ରାସ୍ତାରେ ଯାଇ ପାରିବେ।

ପୂଜା ସମୟରେ କେବଳ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କଟକ ସହରରୁ ୪ଟି ଜୋନରେ ବଣ୍ଟା ଯାଇଛି। ଏଭଳି ଭାବେ ସହରକୁ ମୋଟ୍ ୮ଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍ ଦାୟିତ୍ୱରେ ଜଣେ ଲେଖାଏଁ ଡିଏସ୍ପି ବା ଏସିପି ପାହ୍ୟାର ଅଧିକାରୀ ରହିବେ। ପ୍ରତି ଦୁଇଟି ଜୋନକୁ ଜଣେ କରି ଅତିରିକ୍ତି ଏସ୍‌ପି ବା ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ ନିୟନ୍ତ୍ରଣ କରିବେ। ତେବେ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ମୋଟ୍ ୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ।

ସେହିପରି ଏଏସ୍ଆଇଠାରୁ ଏଏସ୍ପି ପାହ୍ୟାର ମୋଟ୍ ୪୨ ଜଣ ଅଧିକାରୀ କେବଳ ଟ୍ରାଫିକ୍ ବ୍ୟବସ୍ଥା ବୁଝିବା ପାଇଁ ନିୟୋଜିତ ହେବେ। ଏଥିସହିତ ଦୁଇ ଜଣ ଏଡିସିପି, ୫ ଜଣ ଏସିପି, ୨ ଜଣ ଇନ୍ସିପେକ୍ଟର, ୪୧ ଜଣ ଟ୍ରାଫିକ୍ ହାବିଲଦାର, ୩୦୦ ଜଣ ଟ୍ରାଫିକ୍ କନଷ୍ଟେବଳ, ୨୦୦ ଜଣ ହୋମଗାର୍ଡ ସଂପୂର୍ଣ୍ଣ ଟ୍ରାଫିକ୍ ବ୍ୟବସ୍ଥା ତଦାରଖ କରିବେ।

ପ୍ରତି ସେକ୍ଟରରେ ଜଣେ କରି ଏଏସ୍ଆଇ ଓ ଜଣେ କନଷ୍ଟେବଳ ବାଇକରେ ପାଟ୍ରୋଲିଂ କରିବେ। ଟ୍ରାଫିକ୍ ନେଇ କୌଣସି ପ୍ରକାର ଅସୁବିଧା ହେଲେ ତାହାକୁ ସୁଧାରିବା ପାଇଁ ଏହି ପାଟ୍ରୋଲିଂ ବାଇକ୍ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ।

Comment