ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପ୍ରମାଣ ପାଇଲାନି ସିବିଆଇ। ନିର୍ଦ୍ଦୋଶ ସାବ୍ୟସ୍ତ ହେଲେ ଗୋଆ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ର।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୋଆ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ବରଦାକାନ୍ତ ମିଶ୍ରଙ୍କ ବିରୋଧରେ ସିବିଆଇ ଦାଖଲ କରିଥିବା ମାମଲା ବନ୍ଦ ହେଲା। ଏହି ମାମଲାରେ ସିବିଆଇ ସଠିକ ପ୍ରମାଣ ସଂଗ୍ରହ ନକରି ପାରିବାରୁ ଅଦାଲତ ଏହି ତଦନ୍ତ ପ୍ରକ୍ରିୟା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଫେସର ବରଦାକାନ୍ତ ମିଶ୍ର ୨୦୦୬ରୁ ୨୦୧୭ ମଧ୍ୟରେ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗ ଆଣି ସିବିଆଇ ପ୍ରଫେସର ମିଶ୍ରଙ୍କ ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ତେବେ ପ୍ରମାଣ ନମିଳିବାରୁ ବର୍ତ୍ତମାନ ସିବିଆଇ ଏହି ମାମଲାର ତଦନ୍ତ ନିଜ ଆଡ଼ୁ ବନ୍ଦ କରିଛି।

ପ୍ରଫେସର ମିଶ୍ରଙ୍କ ବିରୁଦ୍ଧରେ ସିବିଆଇ ଯେଉଁ ଅଭିଯୋଗ ଆଣିଥିଲା, ସେସବୁକୁ ପ୍ରମାଣ କରିବାରେ ସିବିଆଇ ବିଫଳ ହୋଇଛି। ଗତ ଦୁଇ ବର୍ଷ ଧରି ସିବିଆଇ ଯାଞ୍ଚ କରିଥିଲେ ମଧ୍ୟ ଏହି ମାମଲାରେ କୌଣସି ପ୍ରମାଣ ଏକାଠି କରିବାରେ ସିବିଆଇ ସକ୍ଷମ ହୋଇପାରିନଥିଲା। ଫଳରେ ଏହାର ଶେଷ ରିପୋର୍ଟ ଭୁବନେଶ୍ୱର ସିବିଆଇ କୋର୍ଟରେ ଦାଖଲ କରାଯାଇଥିଲା।

କୋର୍ଟ ଗତ ସେପ୍ଟେମ୍ବର ୧୩ ଏହି ମାମଲାକୁ ଗ୍ରହଣ କରିଥିଲେ। ସିବିଆଇ ପ୍ରମାଣ ଦାଖଲ କରିବାରେ ବିଫଳ ହୋଇଥିବାରୁ କୋର୍ଟ ଏହି ମାମଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ପ୍ରଫେସର ମିଶ୍ର ସମ୍ପୂର୍ଣ୍ଣ ଭାବେ ନିର୍ଦ୍ଧୋଷ ସାବ୍ୟସ୍ତ ହୋଇଛନ୍ତି।

୨୦୧୭ ମସିହାରେ ସିବିଆଇ ପକ୍ଷରୁ ଏହି ମାମଲା ସାମ୍ନାକୁ ଆସିବା ପରେ ପ୍ରଫେସର ମିଶ୍ରଙ୍କ ସମ୍ମାନ ଓ ବ୍ୟକ୍ତିତ୍ୱ ଉପରେ ବାଧା ପହଞ୍ଚାଇଥିଲା। ତେବେ ବର୍ତ୍ତମାନ ସେ ନିର୍ଦ୍ଧୋଷ ସାବ୍ୟସ୍ତ ହେବା ପରେ କୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଭବିଷ୍ୟତରେ ଏହା ଅନ୍ୟ କାହା ସହ ନ ହେଉ ବୋଲି ପ୍ରଫେସର ମିଶ୍ର କହିଛନ୍ତି। ବର୍ତ୍ତମାନ ପ୍ରଫେସର ବରଦାକାନ୍ତ ମିଶ୍ର ଗୋଆ ଆଇଆଇଟିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

Comment