ଓଡ଼ିଶାଲାଇଭ୍ ବ୍ୟୁରୋ

  • ଦୁର୍ନୀତି କରି ଖସି ପାରିବେନି ଉଚ୍ଚପଦସ୍ଥ ସରକାରୀ ଅଧିକାରୀ
  • ଦୁର୍ନୀତି ମାମଲାର ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ରର ଅନୁମତି ଦରକାର ନାହିଁ
  • ୨୦୧୪ ମସିହାରେ ଦେଇଥିବା ରାୟକୁ ବଳବତ୍ତର ରଖିଲେ ସୁପ୍ରିମକୋର୍ଟ

ଏବେ ଖସିଯାଇ ପାରିବେନି ଦୁର୍ନୀତି କରିଥିବା ଉଚ୍ଚପଦସ୍ଥ ସରକାରୀ ଅଧିକାରୀ। ବରିଷ୍ଠ ଆଇଏଏସ ଓ ଆଇପିଏସ ଅଧିକାରୀଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଏବେ ସିବିଆଇକୁ କେନ୍ଦ୍ର ସରକାରଙ୍କ ଅନୁମତି ନେବାକୁ ପଡ଼ିବନାହିଁ। ଏହି ମାମଲାରେ ସୁପ୍ରିମକୋର୍ଟ ୨୦୧୪ ମସିହାରେ ଦେଇଥିବା ନିଜର ରାୟକୁ ବଳବତ୍ତର ରଖିଛନ୍ତି।

ସରକାରୀଙ୍କ ଠାରୁ ଆବଶ୍ୟକୀୟ ଅନୁମତି ନନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ତଦନ୍ତକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟଙ୍କ ୫-ଜଣିଆ ସମ୍ବିଧାନିକ ଖଣ୍ଡପୀଠ ସର୍ବସମ୍ମତିରେ ଏହି ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଜଣେ ଯୁଗ୍ମ ସଚିବ କିମ୍ବା ତା’ଠାରୁ ଉଚ୍ଚ ପାହ୍ୟାର ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ତାଙ୍କ ବିରୋଧରେ ସିବିଆଇ ତଦନ୍ତ କରି ଗିରଫ କରି ପାରିବେ। ଏଥିପାଇଁ କେନ୍ଦ୍ର ସରକାରଙ୍କ କୌଣସି ଅନୁମତି ନେବାକୁ ପଡ଼ିବନାହିଁ। ଏନେଇ ଥିବା ସରକାରୀ କଟକଣା ଏବେ ହଟିଯାଇଛି।

କୌଣସି ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବାକୁ ହେଲେ ସିବିଆଇ ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆଇନ (ଡିଏସପିଇ) ଅନୁସାରେ କାମ କରିଥାଏ। ୨୦୦୩ ମସିହା ସେପ୍ଟେମ୍ବର ମାସରେ ଏହି ଆଇନରେ ଧାରା ୬-ଏକୁ ସାମିଲ କରାଯାଇଥିଲା। ଫଳରେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ସିବିଆଇକୁ କେନ୍ଦ୍ର ସରକାରଙ୍କ ଅନୁମତି ନେବା ବାଧ୍ୟତାମୂଳକ କରାଯାଇଥିଲା।

ଏହାପରେ ୨୦୧୪ ମେ’ ମାସରେ ସୁପ୍ରିମକୋର୍ଟ ଏହି ଧାରାକୁ ଅବୈଧ ଘୋଷଣା କରିଥିଲେ। ଏହି ଧାରାକୁ ଲାଗୁ ହେବା ଦିନଠାରୁ ଅବୈଧ ଘୋଷଣା କରାଯାଇଥିଲା। ଏହି ଧାରା ଦେଶରେ ନାଗରିକଙ୍କ ସମାନତା ଅଧିକାର ଓ ଦୁର୍ନୀତି ନିବାରଣ ଆଇନକୁ ଉଲଂଘନ କରୁଥିବା ସେତେବେଳେ ସୁପ୍ରିମକୋର୍ଟ କହିଥିଲେ।

ଅନ୍ୟପଟେ ୨୦୦୩ରୁ ୨୦୧୪ ମଧ୍ୟରେ ଅନେକ ଅଧିକାରୀ ଡିଏସପିଇ ଆଇନର ଧାରା ୬-ଏ ଆଳରେ ତଦନ୍ତରୁ ବର୍ତ୍ତି ଯାଇଥିଲେ। ଏଭଳି ଦେଖିବାକୁ ମିଳିଥିଲା ଦିଲ୍ଲୀର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଆର୍ ଆର୍ କିଶୋରଙ୍କ ମାମଲାରେ। ୨୦୦୪ ମସିହାରେ ଲାଞ୍ଚ ନେବା ଅଭିଯୋଗରେ ସେ ସିବିଆଇ ଦ୍ଵାରା ଗିରଫ ହେବାପରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।

ଜଣେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ହୋଇଥିବାରୁ ସିବିଆଇ ତାଙ୍କୁ ଗିରଫ କରି ଡିଏସପିଇ ଆଇନର ଧାରା ୬-ଏ ଉଲଂଘନ କରିଥିବା ସେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଥିଲେ। ପରେ ହାଇକୋର୍ଟ ତାଙ୍କ ଗିରଫଦାରୀକୁ ବେଆଇନ ଘୋଷଣା କରିଥିଲେ।

ଏହାପରେ ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାପରେ ଯେତେବେଳେ ସିବିଆଇ ଡାକ୍ତର ଆର୍ ଆର୍ କିଶୋରଙ୍କ ବିରୋଧରେ ପୁଣି ତଦନ୍ତ କରିବାକୁ ଉଦ୍ୟମ କରିଥିଲେ, ସେ ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ଅନୁମତି ସଙ୍କ୍ରାନ୍ତୀୟ ରାୟ ୨୦୧୪ ମସିହାରେ ଆସିଥିଲେ ମଧ୍ୟ ଏହାପୂର୍ବରୁ ହୋଇଥିବା ମାମଲାଗୁଡ଼ିକ କିଭଳି ତଦନ୍ତ ଅନ୍ତର୍ଭୁକ୍ତ ହେବ ବୋଲି ଦର୍ଶାଇ ଡାକ୍ତର ଆର୍ ଆର୍ କିଶୋର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ, ଯାହାକୁ ସୁପ୍ରିମକୋର୍ଟ ଏବେ ଖାରଜ କରିଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ମେ’ ୨୦୧୪ ପୂର୍ବରୁ ଦୁର୍ନୀତି ମାମଲାରେ ତଦନ୍ତ ହେଉଥିବା ଅଧିକାରୀଙ୍କୁ ଗିରଫ କରିବା ନେଇ ଏବେ କୌଣସି ସରକାରୀ କବଚ ମିଳିବ ନାହିଁ।

Tags: #SupremeCourt #Seniorgovtofficials #CBIinvestigation #Corruptioncase #India

LEAVE A REPLY

Please enter your comment!
Please enter your name here