ମିନତି ମିଶ୍ର

ଲୋକସଭା ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ରବିବାର ସେ ଡଲାସ ସ୍ଥିତ ଟେକ୍ସାସ ବିଶ୍ଵବିଦ୍ୟାଳୟରେ ଇଣ୍ଡିଆନ ଓଭରସିଜ କଂଗ୍ରେସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସେ ନିଜ ବକ୍ତବ୍ୟରେ ବିଜେପି ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘକୁ (ଆରଏସଏସ୍) ସମାଲୋଚନା କରିଥିଲେ। ଏହାସହ ସେ ରାଜନୀତି ସହ ଦେବତାଙ୍କ ପରିଭାଷାକୁ ଯୋଡ଼ି ବ୍ୟାଖ୍ୟା କରିଥିଲେ।

“ଦେବତା ଶବ୍ଦକୁ ଆମେ କେବଳ ଦିବ୍ୟ ଶକ୍ତି ସହ ତୁଳନା କରିବା କଥା ନୁହେଁ। ଜଣେ ବ୍ୟକ୍ତିଙ୍କର ବାହାରୁ ଭଲ ବ୍ୟବହାର, ଚିନ୍ତାଧାରା ତଥା କଥାବାର୍ତ୍ତା ତାଙ୍କ ଅନ୍ତର୍ନିହିତ ଭାବନା ସହ ସମାନ ହେଲେ ସେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ପାରଦର୍ଶୀ ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କୁ ଦେବତା କୁହାଯାଇ ପାରିବ”, କହିଛନ୍ତି ରାହୁଲ ଗାନ୍ଧୀ।

ଏହି ପରିପ୍ରେକ୍ଷୀରେ ରାହୁଲ ପ୍ରଭୁ ଶ୍ରୀରାମଙ୍କଠାରୁ ଆରମ୍ଭ କରି ଭଗବାନ ଶିବଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଉଦାହରଣ ଦେଇ ନିଜ ରାଜନୈତିକ ବିଚାରଧାରାକୁ ସମସ୍ତଙ୍କ ସମ୍ମୁଖରେ ରଖିଥିଲେ।

ରାହୁଲ ଗାନ୍ଧୀ କହିଥିଲେ, “ଭଗବାନ ଶ୍ରୀରାମ ଏବଂ ମହାତ୍ମା ଗାନ୍ଧୀଙ୍କୁ ଦେଖିଲେ ବି ଜାଣିପାରିବେ ସେମାନଙ୍କ ମୂଳ ବିଚାର ଧାରା ହେଉଛି ନିଜ ପରିଚୟର ବିନାଶ କରିବା। ଅର୍ଥାତ ‘ମୁଁ’ ଭାବକୁ ନଷ୍ଟ କରିବା। ସେମାନେ ଅନ୍ୟର କଥା ଶୁଣିବା ଉପରେ ସେମାନେ ଗୁରୁତ୍ୱ ଦେଉଥିଲେ। ମୋ ମତରେ ଏହା ହିଁ ଭାରତୀୟ ରାଜନୀତିର ହୃଦୟ। ଏପରି ବିଚାରଧାରା ହିଁ ଜଣେ ରାଜନେତାର ପରିଚୟ ହେବା ଆବଶ୍ୟକ।”

ସେ ଆହୁରି ମଧ୍ୟ କହିଥିଲେ, “ଭଗବାନ ଶିବଙ୍କୁ ସମସ୍ତେ ସଂହାର କର୍ତ୍ତା କହନ୍ତି। ତେବେ ସେ ନିଜର ଅହଙ୍କାର, ସୃଷ୍ଟି ଏବଂ ବିଶ୍ୱାସକୁ ନଷ୍ଟ କରନ୍ତି। ଏହା ତାଙ୍କ ବିଚାରଧାରା। ଭାରତୀୟ ରାଜନୀତିର ଚିନ୍ତାଧାରା ଏବଂ କାର୍ଯ୍ୟ ମଧ୍ୟ ଠିକ ଏହି ବିଶ୍ୱାସ ଉପରେ ପର୍ଯ୍ୟବେଶିତ।”

ବିଜେପି ଓ ଆରଏସଏସକୁ ସମାଲୋଚନା

ରାହୁଲ ଗାନ୍ଧୀ ନିଜ ବକ୍ତବ୍ୟରେ ବିଜେପି ଓ ଆରଏସଏସକୁ କଡ଼ା ସମାଲୋଚନା କରିଥିଲେ। ଉଭୟ ସଂଗଠନର ଚିନ୍ତାଧାରା ଭାରତୀୟ ସମାଜକୁ ପଛକୁ ନେଇ ଯାଉଥିବା ସେ କହିଥିଲେ। ଆରଏସଏସର ନୀତି ମହିଳାମାନଙ୍କୁ ଗୃହ କାର୍ଯ୍ୟରେ ସୀମିତ ରଖିବା ବୋଲି ରାହୁଲ ଅଭିଯୋଗ କରିଥିଲେ।

ଏକଲବ୍ୟଙ୍କୁ ମନେ ପକେଇଲେ

ନିଜ ଅଭିଭାଷଣରେ ଏକଲବ୍ୟଙ୍କୁ ସ୍ଥାନ ଦେଇ ରାହୁଲ କହିଥିଲେ, “ଭାରତରେ ପ୍ରତିଦିନ ଲକ୍ଷାଧିକ ଏକଲବ୍ୟଙ୍କ କାହାଣୀ ସାମ୍ନାକୁ ଆସୁଛି। ଏଠାରେ କୁଶଳୀ ତଥା ଦକ୍ଷ ବ୍ୟକ୍ତିଙ୍କୁ ସୁଯୋଗ ଦିଆଯାଉନି। ସେମାନଙ୍କୁ କାମ କରିବା ଏବଂ ସଫଳତାର ଶୀର୍ଷରେ ପହଞ୍ଚିବା ଲାଗି ବହୁତ ସଂଘର୍ଷ କରିବାକୁ ପଡୁଛି।”   

ଚୀନକୁ ପ୍ରଶଂସା

“ପଶ୍ଚିମର ଅନେକ ଦେଶର ବେରୋଜଗାର ସମସ୍ୟା ରହିଛି। ଭାରତରେ ମଧ୍ୟ ବେରୋଜଗାରୀ ଏକ ବଡ଼ ସମସ୍ୟା। ହେଲେ ଚୀନରେ ଏହି ସମସ୍ୟା ବିଶେଷ ନାହିଁ। ଚୀନ ବୈଶ୍ୱିକ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛି। ୧୯୪୦ରୁ ୬୦ ଦଶକ ଯାଏଁ ଆମେରିକା ବୈଶ୍ୱିକ ଉତ୍ପାଦନର କେନ୍ଦ୍ର ଥିଲା। ପରେ ଏହା କୋରିଆ ଏବଂ ଜାପାନ ହାତକୁ ଗଲା। ଏବେ ଚୀନ ବିଶ୍ଵର ବିଭିନ୍ନ ସାମଗ୍ରୀର ଉତ୍ପାଦନ କେନ୍ଦ୍ର। ଆମେରିକା, ୟୁରୋପ ଏବଂ ଭାରତ ଉତ୍ପାଦନ ବିଚାରକୁ ଛାଡ଼ିଦେଇ ଏହାକୁ ଚୀନ ହାତରେ ସମର୍ପି ଦେଇଛନ୍ତି।”  

ଏହି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଚୀନର ନୀତି ଓ ଉତ୍ପାଦନ କ୍ଷମତାକୁ ବହୁତ ପ୍ରଶଂସା କରିଥିଲେ। ଭାରତକୁ ଚୀନ ଭଳି ନିଜ ଉତ୍ପାଦନ କ୍ଷମତାକୁ ବଢ଼ାଇ ଲୋକଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିବା ଦିଗରେ ସେ ଗୁରୁତ୍ଵାରୋପ କରିଥିଲେ।  

Tags: #RahulGadhi #USVisit #TexasUniversity #IndianOverseasCongress #Politics #India      

LEAVE A REPLY

Please enter your comment!
Please enter your name here