ଓଡ଼ିଶାଲାଇଭ୍ ବ୍ୟୁରୋ

ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି ଚନ୍ଦ୍ରବାବୁ ନାଇଡୁ।

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁ ଗିରଫ ହୋଇଛନ୍ତି। ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମର ୩୫୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଶନିବାର ରାଜ୍ୟ ସିଆଇଡି ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇଥିଲା।

ଶନିବାର ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ନନ୍ଦୟାଲରୁ ଗିରଫ ହୋଇଛନ୍ତି। ସେ ଶୁକ୍ରବାର ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିଲେ। ସିଆଇଡି ତାଙ୍କ ନିକଟକୁ ଆରେଷ୍ଟ ୱାରେଣ୍ଟ ପଠାଇଥିଲା। ନନ୍ଦୟାଲ ପୋଲିସ ସହାୟତାରେ ତାଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କୁ ବିଜୟୱାଡ଼ା ନିଆଯାଇଛି।

ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବାବେଳେ ରାଜ୍ୟର ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗ ହୋଇଥିଲା। ଆନ୍ଧ୍ରପ୍ରଦେଶରେ ସରକାର ବଦଳିବା ପରେ ସିଆଇଡି ମାମଲାର ତଦନ୍ତ ଆରମ୍ଭ କରିଥିଲା।

ଏହି ଦୁର୍ନୀତି ମାମଲାରେ ୨୦୨୧ ମସିହାରେ କେସ ରୁଜୁ ହୋଇଥିଲା। ଦୁର୍ନୀତିରେ ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମର ୨୪୧ କୋଟିର ପାଣ୍ଠି ସେଲ କମ୍ପାନୀଗୁଡ଼ିକୁ ପଠାଯିବାର ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଏହାସହ ଅନ୍ୟାନ୍ୟ ଆର୍ଥିକ କାରବାର ଅଭିଯୋଗର ତଦନ୍ତ ଜାରି ରହିଛି। ଚନ୍ଦ୍ରବାବୁ ନାଇଡୁ ଏହି ଦୁର୍ନୀତିରେ ମୁଖ୍ୟ ଅଭିଯୁକ୍ତ ଥିବା କୁହାଯାଉଛି।

ଚନ୍ଦ୍ରବାବୁ ନାଇଡୁଙ୍କୁ ବିରୋଧରେ କ୍ରାଇମବ୍ରାଞ୍ଚର ଧାରା ୫୦ (୧) ଓ (୨) ଅନୁସାରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିଲା। ଗିରଫ ପରେ ତାଙ୍କୁ ଜାମିନରେ ଛଡ଼ାଯାଇ ପାରିବ ନାହିଁ ବୋଲି ୱାରେଣ୍ଟରେ ଉଲ୍ଲେଖ ରହିଛି। ହେଲେ ଏହି ଗିରଫଦାରୀ ବିରୋଧରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଚନ୍ଦ୍ରବାବୁ ନାଇଡୁଙ୍କ ଓକିଲ କହିଛନ୍ତି।

Tags: #NChandrababuNaidu #CorruptionCase #APSkillDevelopmentAuthority #Andhrapradesh

 

Comment