ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠରେ ଅବତରଣ କଲେ ଜଗତଗନନୀ ମା’ ଦୁର୍ଗାପୂଜା। ଏହି ପାରମ୍ପରିକ ମାହୋଲ୍‌ରେ ସମସ୍ତଙ୍କଠାରେ ଦେଖିବାକୁ ମିଳିଛି ଦାଣ୍ଡିଆ ନାଚର ମଉଜ। କିଏ ଗୁଜୁରାଟି ଢାଞ୍ଚାରେ ବେଶ ପୋଷାକ ହେଉଛି ତ ଆଉ କିଏ ଦାଣ୍ଡିଆ ନାଚ ଅଭ୍ୟାସ କରୁଛି। ସନ୍ଧ୍ୟା ହେବା କ୍ଷଣି ହାତରେ ଦାଣ୍ଡିଆ ବାଡ଼ି ଧରି ଗୀତର ତାଳେ ତାଳେ ପାଦ ମିଶାଇ ଦାଣ୍ଡିଆ ନାଚିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇ ରହୁଛନ୍ତି। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ଆୟୋଜନ କରାଯାଉଛି ଦାଣ୍ଡିଆ ନାଇଟ୍ ଆସର।

ଚଳିତବର୍ଷ ପ୍ରଥମ କରି ଦାଣ୍ଡିଆ ନାଇଟ୍ସ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ ଆୟୋଜନ କରାଯାଉଛି। ୫ରୁ ୮ ତାରିଖ ଯାଏଁ ସନ୍ଧ୍ୟା ୬ଟାରୁ ୧୦ଟା ପର୍ଯ୍ୟନ୍ତ ପାନ୍ଥ ନିବାସରେ ଦାଣ୍ଡିଆ ନାଚର ଆସର ଜମିବ। ସେହିପରି ପ୍ରଦର୍ଶନୀ ପଡ଼ିଆରେ ଅକ୍ଟୋବର ୪ରୁ ୮ ତାରିଖ ଯାଏଁ ଦାଣ୍ଡିଆ କାର୍ଯ୍ୟକ୍ରମର ଅୟୋଜନ କରାଯିବ।

ହେଟେଲ ମେ’ ଫେୟାର୍‌ରେ ଅକ୍ଟୋବର ୧୦ରେ ଆୟୋଜନ କରାଯାଉଛି ଦାଣ୍ଡିଆ ନାଇଟ୍ସ। ହୋଟେଲ ପୁଷ୍ପକରେ ୫ରୁ ୭ ଦୁଇ ଦିନ ଧରି ଚାଲିବ ଦାଣ୍ଡିଆ ଡ୍ୟାନ୍ସ।

ଚନ୍ଦ୍ରଶେଖରପୁର ପଦ୍ମଜା ପ୍ରିମିୟମ୍ ହୋଟେଲ୍‌ ଆଣ୍ଡ୍ କନ୍‌ଭେନ୍‌ସନ୍‌, ମଞ୍ଚେଶ୍ୱରସ୍ଥିତ ଉର୍ମିଳା ବଗିଚାରେ ଅକ୍ଟୋବର ୪ରୁ ୭ ପର୍ଯ୍ୟନ୍ତ ଦାଣ୍ଡିଆ ଗୀତର ତାଳେ ତାଳେ ଝୁମିବାକୁ ସୁଯୋଗ ପାଇବେ।

ବିଭିନ୍ନ ଇଭେଣ୍ଟ ସଂସ୍ଥା, ପଞ୍ଚତାରିକା ହୋଟେଲ ଏବଂ ଗୁଜୁରାଟି କମ୍ୟୁନିଟି ଦ୍ୱାରା ଏହି ଦାଣ୍ଡିଆ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରାଯାଉଛି। ଉଭୟ ଅନ୍‌ଲାଇନ୍ ଆଉ ଅଫ୍‌ଲାଇନ୍‌ରେ ଦାଣ୍ଡିଆ ପାଇଁ ଟିକେଟ୍ ବିକ୍ରି ଚାଲିଛି। କପଲ୍‌ ଟିକଟ ଉପରେ ବିଶେଷ ରିହାତି ମିଳୁଛି।

ପାନ୍ଥ ନିବାସରେ ଜଣକ ପିଛା ୬୯୯ ଟଙ୍କା ଆଦାୟ କରାଯାଇଥିବା ବେଳେ କପଲ୍‌ ୧୨୯୯ ଟଙ୍କା ଦେବେ। ସେଥିରେ ରାତ୍ରୀଭୋଜନ ଆଉ ସନ୍ଧ୍ୟା ଜଳଖିଆ, ଜୁସ୍ ମିଳିବ।

ମେ’ ଫେୟାର୍‌ରେ ଜଣକୁ ୧୨୦୦ ଟଙ୍କା ଏବଂ କପଲ୍‌ଙ୍କ ପାଇଁ ୨୦୦୦ଟଙ୍କା ଟିକେଟ୍ ମୂଲ୍ୟ ରହିଛି। ଦାଣ୍ଡିଆ ନାଚର ଆଉ ଏକ ଆକର୍ଷଣ ହେଲା ଏଥିରେ ମିଳୁଥିବା ଉପହାର ଆଉ ପୁରସ୍କାର। ଏହାହିଁ ଆହୁରି ମଜାଦାର କରିଦିଏ ଦାଣ୍ଡିଆକୁ। ପାରମ୍ପରିକ ଦାଣ୍ଡିଆ ପରିଧାନ, ବେଶଭୂଷା ଆଉ ନାଚ ପାଇଁ ଦାଣ୍ଡିଆ କୁଇନ୍, ଶ୍ରେଷ୍ଠ ଦମ୍ପତ୍ତି, ଶ୍ରେଷ୍ଠ ଶିଶୁ ନୃତ୍ୟଶିଳ୍ପୀ, ଶ୍ରେଷ୍ଠ ବେଶଭୂଷା ଭଳି କିଛି ପୁରସ୍କାର ଓ ଉପହାରର ଭେଟ ମିଳେ।

Comment