ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଏଚ୍‌ଆର୍‌ଏସ୍‌ର ପଦକ୍ଷେପ।

ସମ୍ବଲପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ଭରପୂର ସମ୍ଭାର ରହିଛି। ହେଲେ ଏଠାକାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ହୋଇପାରୁ ନାହିଁ। ପଶ୍ଚିମ ଓଡ଼ିଶାରେ ଥିବା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ପ୍ରଚାର ପ୍ରସାର କିପରି ଡିଜିଟାଲ ମିଡିଆ ମାଧ୍ୟମରେ ହୋଇପାରିବ ସେନେଇ ଓଡ଼ିଶାଲାଇଭ୍‌ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍ ସମ୍ବଲପୁରର (ଏଚ୍‌ଆର୍‌ଏଏସ୍‌) କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ।

ଶ୍ରୀ ରଥ ନିକଟରେ ପଶ୍ଚିମ ଓଡ଼ିଶା ଗସ୍ତରେ ଯାଇଥିଲେ। ଏହି ଗସ୍ତ ବେଳେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ସମ୍ପର୍କରେ ଆଲୋଚନା ହୋଇଥିଲା। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ସମ୍ପର୍କରେ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିବା ବେଳେ ସମ୍ବଲପୁର ଏବଂ ଏହାର ଆଖପାଖ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ଏଚ୍‌ଆର୍‌ଏଏସ୍‌ର କର୍ମକର୍ତ୍ତାମାନେ ଆଲୋଚନା ବେଳେ କହିଥିଲେ।

ପ୍ରକୃତି ରାଣୀ ପଶ୍ଚିମ ଓଡ଼ିଶାରେ କିଛି ଅଭାବ ରଖି ନାହିଁ। ପ୍ରାକୃତିକ ସମ୍ପଦରେ ସମୃଦ୍ଧ ହୋଇଛି ପଶ୍ଚିମ ଓଡ଼ିଶା। ବଲାଙ୍ଗୀରର ରାଣୀପୁର ଝରିଆଲ ହେଉ କି ବରଗଡ଼ ଜିଲ୍ଲାର ହରିଶଙ୍କର, ନୃସିଂହନାଥଙ୍କ ପୀଠ। ମା’ ସମଲେଶ୍ୱରୀଙ୍କ ପୀଠ, ହୀରାକୁଦ ଡ୍ୟାମ ହେଉ କି ହୁମାର ବକ୍ର ମନ୍ଦିର। ଏସବୁ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକମାନେ ଆସି ମଜା ନେଇଥାନ୍ତି। କିନ୍ତୁ ଏସବୁ ସ୍ଥାନର ଯେମିତି ପ୍ରଚାର ପ୍ରସାର ହେବା କଥା ତାହା ହୋଇପାରୁ ନାହିଁ।

ସେହିପରି ପଶ୍ଚିମ ଓଡ଼ିଶାରେ ଅନେକ ଜଳ ଭଣ୍ଡାର ରହିଛି। ପ୍ରାକୃତିକ ପରିବେଶର ବି ଅଭାବ ନାହିଁ। ବିଭିନ୍ନ ଐତିହାସିକ ସ୍ଥଳ ମଧ୍ୟ ରହିଛି। ଏସବୁ କ୍ଷେତ୍ରର ପ୍ରଚାର ପ୍ରସାର କରାଯାଇ ଅଧିକରୁ ଅଧିକ ପର୍ଯ୍ୟଟକ କେମିତି ପଶ୍ଚିମ ଓଡ଼ିଶା ଆସି ପାରିବେ ସେ ଉପରେ ରାଜ୍ୟ ସରକାର ଫୋକସ୍‌ ଦେବାକୁ ସମ୍ବଲପୁର ହୋଟେଲ ଏବଂ ରେସ୍ତାରାଁ ଆସୋସିଏସନ ଆଲୋଚନା ବେଳେ ପ୍ରସ୍ତାବ ରଖିଥିଲା।

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯିବା ପାଇଁ ସଡ଼କ ଏବଂ ରେଳପଥର ବ୍ୟବସ୍ଥା ରହିଛି। କିଛି ମାସ ତଳେ ଝାରସୁଗୁଡ଼ାରେ ଏୟାରପୋର୍ଟ ମଧ୍ୟ ଲୋକାର୍ପଣ ହୋଇଛି। ପର୍ଯ୍ୟଟକମାନେ ପଶ୍ଚିମ ଓଡ଼ିଶାକୁ ଆସିବା ପାଇଁ କୌଣସି ଅସୁବିଧା ନାହିଁ। ହେଲେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଅପିଲ୍ କରିଛନ୍ତି ଏଚ୍‌ଆର୍‌ଏଏସ୍‌ର କର୍ମକର୍ତ୍ତା।

ପଶ୍ଚିମ ଓଡ଼ିଶାରେ ଥିବା ପର୍ଯ୍ୟଟନସ୍ଥଳୀର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କୁ ଅନେକ ଥର ଚିଠି ଲେଖିଛି ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ୍ ସମ୍ବଲପୁର। ହେଲେ ଏଦିଗରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଏଚଆର୍‌ଏଏସ୍‌ ପକ୍ଷରୁ କୁହାଯାଇଛି। ଯେତେବେଳେ ଓଡ଼ିଶାର ପର୍ଯ୍ୟଟନର ବିକାଶ କଥା ଉଠୁଛି ସେତେବେଳେ ନିର୍ଦ୍ଦିଷ୍ଟ କୌଣସି ଅଞ୍ଚଳକୁ ଗୁରୁତ୍ୱ ନଦେଇ ସବୁ ଅଞ୍ଚଳକୁ ସମାନ ଗୁରୁତ୍ୱ ଦେବାକୁ ଏଚ୍‌ଆର୍‌ଏସ୍‌ ପ୍ରସ୍ତାବ ଦେଇଛି।

ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର ପାଇଁ ଡିଜିଟାଲ ମିଡିଆ ମାଧ୍ୟମରେ ଯାହା ସମ୍ଭବ ତାହା କରିବା ପାଇଁ ଏଚ୍‌ଆର୍‌ଏଏସ୍‌ର କର୍ମକର୍ତ୍ତାଙ୍କୁ ଆଲୋଚନା ବେଳେ ପ୍ରତିଶ୍ରୁତି ଦେଇଥିଲେ ଓଡ଼ିଶାଲାଇଭ୍ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।

ଏହି ଆଲୋଚନା ବେଳେ ଏଚ୍‌ଆର୍‌ଏଏସ୍‌ର ସିଲା ଶିବ ପ୍ରସାଦ, ଗୁଞ୍ଜନ ପୋଦାର, ଅନୁପମ ଜୁନେଜା, ଗୋପାଳ ସାମନ୍ତରାୟ, ଗିରିଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

ଏଚ୍‌ଆର୍‌ଏଏସ୍‌ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ

ସମ୍ବଲପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ଏବଂ ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଏଚ୍‌ଆର୍‌ଏଏସ୍‌। ସେଥି ମଧ୍ୟରେ ରହିଛି ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସମ୍ବଲପୁରରେ ପର୍ଯ୍ୟଟନ ବିଭାଗର ଜଣେ ଉପନିର୍ଦ୍ଦେଶକଙ୍କୁ ଅବସ୍ଥାପିତ କରିବାକୁ ପ୍ରସ୍ତାବ ଦେଇଛି ଏଚ୍‌ଆର୍‌ଏଏସ୍‌। ହୀରାକୁଦଠାରେ ଜଳ ମହୋତ୍ସବ ଏବଂ ୱଟେର ସ୍ପୋର୍ଟସ୍‌ ଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତାବ ଦେବା ସହ ସମ୍ବଲପୁରରେ ଏକ ଚିଡ଼ିଆଖାନା ପ୍ରତିଷ୍ଠା, ସମ୍ବଲପୁରରେ ପର୍ଯ୍ୟଟନକୁ ନେଇ ରାଜ୍ୟ ସ୍ତରୀୟ କନ୍‌କ୍ଲେଭ୍ ଏବଂ ଟ୍ରାଭେଲ ବଜାର ଭଳି କାର୍ଯ୍ୟକ୍ରମ କରିବା, ସମ୍ବଲପୁରରେ ଖାଦ୍ୟ ମେଳା ଏବଂ ରୋଡ୍‌ ସୋ’ କରିବା, ହୀରାକୁଦ ଡ୍ୟାମର ଗାନ୍ଧୀ ମିନାରଠାରେ ରୋପ୍ ୱେ, ହୀରାକୁଦ ଡ୍ୟାମ୍‌ ନିକଟ ଅଞ୍ଚଳରେ ଆକ୍ୱା ମ୍ୟୁଜିୟମ ଏବଂ ସମଲେଶ୍ୱରୀ ମନ୍ଦିରରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି।

ସେହିପରି ସମ୍ବଲପୁର ଭିଏସ୍‌ଏସ୍‌ ଷ୍ଟାଡିୟମରେ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା କରିବା ଏବଂ ସମ୍ବଲପୁରରେ ପର୍ଯ୍ୟଟନ ଭିତ୍ତିଭୂମିର ସୁଦୃଢ଼ କରିବାକୁ ପ୍ରସ୍ତାବ ଦେଇଛି ଏଚ୍‌ଆର୍‌ଏଏସ୍‌।

ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଥିଲା ଏଚ୍‌ଆର୍‌ଏଓ ପକ୍ଷରୁ ଓଡ଼ିଶା ଟୁରିଜିମ୍‌ କନକ୍ଲେଭ। ଏଥିରେ ସମ୍ବଲପୁର ହାଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ସଭାପତି ଜସବୀର ସିଂ ହୁରା ଯୋଗଦେଇ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମତ ରଖିଥିଲେ।

‘‘ସମ୍ବଲପୁର ଏବଂ ଏହାର ଆଖପାଖ ଜିଲ୍ଲାରେ ଥିବା ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ସମ୍ଭାବନା ରହିଛି। ଆମ ପାଖରେ ପ୍ରାକୃତି ସମ୍ପଦ ଜଳଭଣ୍ଡାର, ଜଙ୍ଗଲ ରହିଛି। ଐତିହାସିକ ଏବଂ ଧାର୍ମିକ ସ୍ଥଳ ମଧ୍ୟ ରହିଛି। ସବୁଠୁ ବଡ଼ ଡ୍ୟାମ୍‌ ହୀରାକୁଦ ଜଳଭଣ୍ଡାର ପଶ୍ଚିମ ଓଡ଼ିଶାରେ ରହିଛି। ସମ୍ବଲପୁରୀ ଶାଢ଼ିର ଚାହିଦା ସାରା ବିଶ୍ୱରେ ରହିଛି। ହେଲେ ପଶ୍ଚିମ ଓଡ଼ିଶାରେ ପର୍ଯ୍ୟଟନର ବିକାଶ ଠିକ୍‌ ଭାବେ ହୋଇପାରି ନାହିଁ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବା ଦରକାର’’, କହିଥିଲେ ଜସବୀର ସିଂ ହୁରା।

LEAVE A REPLY

Please enter your comment!
Please enter your name here