ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ନେତପିଲା’ ପୂଜା ପୁରୀ ସେବାୟତ ଘରର ନିଆରା ପରମ୍ପରା। ଏହି ପୂଜାରେ କୁମାରୀ କନ୍ୟାମାନେ ପାରମ୍ପରିକ ବେଶ ଅଳଙ୍କାରରେ ସଜେଇ ହୋଇ ହର ପାର୍ବତୀଙ୍କୁ ପୂଜାର୍ଚ୍ଚନା କରିଥା’ନ୍ତି। ଏହି ବ୍ରତ ପାଳନ କଲେ ଭଲ ବର ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥକୁ ନେଇ ଅନେକ ରୀତିନୀତି ଓ ପରମ୍ପରା ରହିଛି। ସମସ୍ତ ପରମ୍ପରା ମଧ୍ୟରୁ ଶ୍ରୀକ୍ଷେତ୍ରରେ ଆଉ ଏକ ପରମ୍ପରା ହେଉଛି ସେବାୟତ କୂଳର ‘ନେତପିଲା’ ପୂଜା। ପୁରୀର ସେବାୟତ କୂଳର ୩ବର୍ଷରୁ ୯ବର୍ଷ ପର୍ଯ୍ୟନ୍ତ ନାବାଳିକା କରିଥା’ନ୍ତି ଏହି ପୂଜା।

ଏହି ‘ନେତପିଲା’ ପୂଜା କଲେ ସୁନ୍ଦର ବର ଓ ସୁଖୀ ସଂସାର ମିଳିଥାଏ ବୋଲି ବିଶ୍ୱାସ ରହିଛି। ଇନ୍ଦୁ ପୂର୍ଣ୍ଣିମାଠାରୁ ୨୧ଦିନ ଧରି ଏହି ପୂଜା କରାଯାଇଥାଏ। ପ୍ରଥମ ୧୫ ଦିନ ଘରେ ପୂଜା କରାଯାଇଥାଏ। ଏହାପରେ ଆଶ୍ୱୀନ ପଞ୍ଚମୀଠାରୁ ଅଷ୍ଟମୀ ପର୍ଯ୍ୟନ୍ତ ନେତ ପିଲାମାନେ ନିଜର ଆଈ ତଥା ମାଆଙ୍କ ସହିତ ଆସି ମାର୍କଣ୍ଡ ପୁଷ୍କରିଣୀ କୂଳରେ ମା’ ଗୌରୀଙ୍କୁ ପୂଜା କରିଥାନ୍ତି।

ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାର ଓ ବେଶ ପରିପାଟିରେ ସଜ୍ଜିତ ହୋଇଥା’ନ୍ତି କୁନି କୁନି ପିଲାମାନେ। ସାଥିରେ ପାଣିକଖାରୁ, ଖଣ୍ଡ ହଳଦି, ଜହ୍ନି, ମକା, କାକୁଡ଼ି, ନଡ଼ିଆ ଆଦି ନେଇ ମାର୍କଣ୍ଡ କୂଳରେ ଠାକୁରଙ୍କୁ ବନ୍ଦାପନା କରି ବଳି ଓ କାଟି ଗୀତ ଗାଇଥାନ୍ତି ନେତପିଲା। ଅଷ୍ଟମୀ ତିଥିରେ ପୂଜା ଶେଷ ହେବା ପରେ ସମସ୍ତ ପୂଜା ସାମଗ୍ରୀକୁ ମାର୍କଣ୍ଡ କୂଳରେ ବିସର୍ଜନ କରାଯାଇଥାଏ। ଏହାପରେ ପିଲାମାନେ ପ୍ରଭୁ ମାର୍କଣ୍ଡେୟଙ୍କୁ ଦର୍ଶନ କରି ବ୍ରତ ଶେଷ କରିଥାନ୍ତି।

Comment