ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : କଟକ ଦଶହରା ନିଆରା। ସେହିପରି ଭସାଣ ଉତ୍ସବ ବି ଏଠି ବେଶ୍ ସ୍ୱତନ୍ତ୍ର। ଧାଡିକୁ ଧାଡି ମେଢ ସାଙ୍ଗକୁ ଲାଇଟ୍, ବାଜାର ପଟୁଆର। ତେବେ ଭସାଣ ଉତ୍ସବର ଏହି ପରମ୍ପରା କାହିଁ କେଉଁ କାଳରୁ କଟକ ଦଶହରା ସହ ଜଡିତ ରହିଆସିଛି। ବିଶେଷକରି ପାରମ୍ପରିକ ବାଜାର ବିକଳ୍ପ ନାହିଁ। ଭସାଣରେ ହାତ ବାଜାର ସ୍ଥାନ କେହି ନେଇପାରି ନାହାନ୍ତି। ୫୦ବର୍ଷ ତଳେ ଭସାଣରେ ଯେଉଁ ବାଜା ବାଜୁଥିଲା, ଏବେ ବି ସେହି ବାଜା କମ୍ପାଉଛି।

ଅବଶ୍ୟ ଦେବୀ ବିସର୍ଜନର ମାହୋଲରେ ଯୋଡି ହୋଇଯାଇଛି ଆଉ କିଛି ନୂଆ ବାଦ୍ୟ। ଯେମିତି ଶିଙ୍ଘ, ଚାଙ୍ଗୁ, ଧୁଡୁକି, ବଲାଙ୍ଗୀର, ଡ୍ରମ୍, ପଞ୍ଜାବି, ଶଙ୍ଖ, ଘୁମୁରା ଭଳି ଅନେକ। ତେବେ ଏ ସବୁ ତ’ ଏବେର କଥା। ଆଗରୁ ଭସାଣ ଉତ୍ସବର ରୂପରେଖ ବେଶ୍ ନିଆରା ଥିଲା। କାନ୍ଧବୁହା ମୂର୍ତ୍ତି ସମ୍ମୁଖରେ ହାତ ବାଜା ବେଶ୍ ସୀମିତ ଥିଲା।

ତାଳମୂଳି ଓ ଦୁଲୁଦୁଲି ଥିଲା ଦୁଇଟି ବାଜା। ଏହାକୁ ପ୍ରାୟ ପୂଜା କମିଟି ନିଜ ଶୋଭାଯାତ୍ରାରେ ସାମିଲ୍ କରୁଥିଲେ। ତାଳମୂଳି ଥିଲା ଢେଙ୍କାନାଳର ପ୍ରସିଦ୍ଧ ବାଜା। କାନ୍ଧଭାରରେ ଦୁଇ ଭାରୁଆ ବଡ ବାଜାକୁ ବୋହୁଥିବେ ଏବଂ ବଜାଇଲା ବାଲା ତାଳମୂଳିରେ ପ୍ରହାର କରିଚାଲୁଥିଲା।  ସେହିପରି ପଶ୍ଚିମାଞ୍ଚଳରୁ ଆସୁଥିଲା ଦୁଲୁଦୁଲି।

ଅନ୍ୟପକ୍ଷରେ ଘଣ୍ଟ ପାଟୁଆ ବି ଭସାଣ ଶୋଭାଯାତ୍ରାର ଆକର୍ଷଣ ସାଜୁଥିଲେ। ଜଗତସିଂହପୁର, ବଲାଙ୍ଗୀର, ସମ୍ବଲପୁର, ବ୍ରହ୍ମପୁର ଭଳି ଅଞ୍ଚଳରୁ ଘଣ୍ଟ ପାଟୁଆ ଆସି ଦୁର୍ଗାପୂଜାରେ ସାମିଲ୍ ହେଉଥିଲେ।

ସେହିପରି ପାଇପ ବ୍ୟାଣ୍ଡପାର୍ଟିର ବି ଥିଲା ଚାହିଦା। ବିନା କୌଣସି ଇଲେକ୍ଟ୍ରି ସଂଯୋଗରେ କେବଳ ପାଇପ୍‌ର ଶବ୍ଦ ଯାହା ଗୀତର ବୋଲ୍ ସୃଷ୍ଟି କରୁଥିଲା।

କାଳକ୍ରମେ ଜ୍ଞାନକୌଶଳର ପ୍ରଗତିରେ ଇଲେକ୍ଟ୍ରୋନିକ୍ସ ବ୍ୟାଣ୍ଡ୍ପାର୍ଟିର ଉତ୍ଥାନ ହେଲା। ବ୍ରହ୍ମପୁର, କଟକ, ସାଲେପୁର ଭଳି ଅଞ୍ଚଳର ବ୍ୟାଣ୍ଡ୍ ଥିଲା ଡିମାଣ୍ଡରେ। ଏକଦା ଦଶହରାରେ ଇଲେକ୍ଟ୍ରୋନିକ୍ସ ବ୍ୟାଣ୍ଡ୍ପାର୍ଟି ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ।

ଏବେ ଯାଏଁ ଏହି ବ୍ୟାଣ୍ଡର ଆକର୍ଷଣ କମିନାହିଁ। ପ୍ରାୟ ସମସ୍ତ ପୂଜା କମିଟି ବ୍ୟାଣ୍ଡକୁ ଶାଭାଯାତ୍ରାରେ ସାମିଲ୍ କରୁଛନ୍ତି। ଏମିତି କିଛି ପୂଜା କମିଟି ରହିଛନ୍ତି ଯେଉଁମାନେ ଦୀର୍ଘ ବର୍ଷ ଧରି ଗୋଟିଏ ବ୍ୟାଣ୍ଡ ପାର୍ଟିକୁ ବୁକ୍ କରୁଛନ୍ତି।

ଶିଖରପୁର-ଗଣ୍ଡରପୁର ମହାନଦୀବିହାର ଦୁର୍ଗାପୂଜା କମିଟି ଶ୍ରୀକାକୁଲମ୍ ବ୍ୟାଣ୍ଡକୁ ଦୀର୍ଘ ୪୮ବର୍ଷ ଧରି ନିଜ ଌୂଜାରେ ସାମିଲ୍ କରୁଛି। ସେହିପରି ଛତ୍ରବଜାର ଦୁର୍ଗାପୂଜା କମିଟି ୫୦ବର୍ଷ ଧରି ବ୍ରହ୍ମପୁରର ଜ୍ୟୋତି ବ୍ୟାଣ୍ଡ୍ ଭସାଣ ଶୋଭାଯାତ୍ରାରେ ସାମିଲ୍ କରିଥିଲା।

ବ୍ୟାଣ୍ଡ୍ ବ୍ୟତୀତ ବଲାଙ୍ଗୀରର ଶିଙ୍ଘ, ଚାଙ୍ଗୁ, ଧୁଡୁକି, ଡ୍ରମ୍, ପଞ୍ଜାବି, ଶଂଙ୍ଖ, ଘୁମୁରା ଭଳି ବାଜା ଏବେର କ୍ରେଜ୍। ସମ୍ବଲପୁର, କେନ୍ଦୁଝର, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି, ବଲାଙ୍ଗୀର ଭଳି ଅଞ୍ଚଳରୁ ଦଳଗତ ଭାବେ ବାଦ୍ୟ ଶିଳ୍ପୀ ଏଠାକୁ ଆସୁଛନ୍ତି।

ଗଣେଶ ପୂଜା ଭସାଣିରୁ ଆସି କାର୍ତ୍ତିକେଶ୍ୱର ପୂଜା ଶେଷ ପର୍ଯ୍ୟନ୍ତ କଟକରେ ସେମାନଙ୍କ ରହଣୀ ହୁଏ । କିଛି ପୂଜା କମିଟି ସେମାନଙ୍କୁ ନିଜ ଅଞ୍ଚଳରେ ରଖନ୍ତି। ସେମାନଙ୍କ ଖାଇବା, ପିଇବା ଖର୍ଚ୍ଚ ମଧ୍ୟ ତୁଲାଇଥାନ୍ତି। ତେବେ ଏହି ସବୁ ବାଜାର ମୂଲ୍ୟ ଅତିକମ୍‌ରେ ୧୦ହଜାରରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଛି।

LEAVE A REPLY

Please enter your comment!
Please enter your name here