ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୯ରୁ ନଭେମ୍ବର ୧୧ ତାରିଖ ଯାଏଁ ପୁରୀ ଜଗନ୍ନାଥ ମନ୍ଦିରରେ କାର୍ତ୍ତିକମାସ ପୂଜା ଆଉ ହବିଷ ନୀତି ଚାଲିବ। ପଞ୍ଚୁକରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚଳିତବର୍ଷ କାର୍ତ୍ତିକ ମାସରେ ପାଞ୍ଚ ଦିନ ପଞ୍ଚୁକ ପଡ଼ିବ। ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କର ୬ଟି ରୂପର ଦର୍ଶନ ପାଇବେ। ରାଧାଦାମୋଦର ବେଶ ସମେତ ୪ ନଭେମ୍ବରରେ ହରିହର ବେଶ, ୮ ନଭେମ୍ବରରେ ଠିଆକିଆ ବା ଲକ୍ଷ୍ମୀନାରାୟଣ ବେଶ, ୯ ନଭେମ୍ବରରେ ବାଙ୍କଚୂଡ଼ ବା ବାମନ ବେଶ, ୧୦ ନଭେମ୍ବରରେ ତ୍ରିବିକ୍ରମ ବେଶ, ୧୧ ନଭେମ୍ବରରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବ। ନଭେମ୍ବର ୧୨, କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶରେ ସଜେଇ ହେବେ ଦାରୁବ୍ରହ୍ମ।

ଶ୍ରୀଜୀଉଙ୍କ ନୀତିକାନ୍ତି ସମୟ 

ଚଳିତବର୍ଷ ପ୍ରାୟ ୨ ଲକ୍ଷ ଶ୍ରଦ୍ଧାଳୁ ହବିଷ ବ୍ରତ ପାଳନ କରିବା ପାଇଁ ଶ୍ରୀକ୍ଷେତ୍ରରେ ଜମା ହେବେ। ତେବେ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀଜୀଉଙ୍କ ନୀତିକାନ୍ତିର ସମସ୍ତ ସମୟ ନିର୍ଦ୍ଧାରଣ କରାଯାଇଛି।

ଏହି ମାସରେ ମହାପ୍ରଭୁଙ୍କ ବାଳଧୂପ ବିଧି କରାଯିବ। ରାତି ୪ଟାରୁ ଶ୍ରୀମନ୍ଦିରର ଫାଟକ ଖୋଲିବ। ସକାଳ ୫ ଘଣ୍ଟା ସମୟରେ ମହାପ୍ରଭୁଙ୍କର ମଙ୍ଗଳଆଳତୀ ଅନୁଷ୍ଠିତ ହେବ। ସକାଳ ୬ଟା୩୦ରୁ ୭ଟା୩୦ ମଧ୍ୟରେ ରାଧାଦାମୋଦର ବେଶ କରାଯିବ। ସକାଳ ୮ଟାରେ ଗୋପାଳ ବଲ୍ଲଭ, ୮ଟା୩୦ ମଧ୍ୟରେ ସକାଳ ଧୂପ, ୧୦ଟାରୁ ୧୦.୩୦ ମଧ୍ୟରେ ବାଳଧୂପ ବିଧି ହେବ।

ସେହିପରି ଅପରାହ୍‌ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏଁ ପ୍ରଭୁଙ୍କର ଦିନ ପହୁଡ଼ ନୀତି ହେବ। ସନ୍ଧ୍ୟା ୫ଟାରେ ପହୁଡ଼ ଦ୍ୱାର ଖୋଲାଯାଇ ୬ଟା ବେଳେ ସନ୍ଧ୍ୟା ଆଳତୀ, ରାତି ୭ଟା ୩୦ରୁ ୯ଟା୩୦ ମଧ୍ୟରେ ସନ୍ଧ୍ୟାଧୂପ କରାଯିବ। ରାତି ୧୦ଟାରେ ଚନ୍ଦନ ଲାଗି, ୧୧ଟାରେ ବଡ଼ସିଂହାର ବେଶ, ୧୧ଟା୩୦ରେ ବଡ଼ସିଂହାର ଭୋଗ କରାଯାଇ ରାତି ୧୨ଟା ବେଳେ ମହାପ୍ରଭୁଙ୍କ ମନ୍ଦିର ପହୁଡ଼ ପଡ଼ିବ ବୋଲି ଶ୍ରୀମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ଗର୍ଭଗୃହ ଦର୍ଶନ ବ୍ୟବସ୍ଥା ବନ୍ଦ ଥିବାରୁ ସାହାଣମେଳା କରାଯିବ ନାହିଁ। ଭକ୍ତମାନେ ଭିତରକାଠ ଓ ବାହାରକାଠ ପାଖରେ ଠିଆ ହୋଇ ପ୍ରଭୁଙ୍କ ଦର୍ଶନ କରିପାରିବେ।    

ଆବାସସ୍ଥଳୀ ବ୍ୟବସ୍ଥା

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାୟ ୩ ହଜାର ହବିଷାଳୀଙ୍କ ପାଇଁ ପୁରୀର ୩ଟି ସ୍ଥାନରେ ଆବାସସ୍ଥଳୀର ଆୟୋଜନ କରାଯାଇଛି। ମାସ ଯାକ ହବିଷ ବ୍ରତ ପାଳୁଥିବା ଭକ୍ତମାନେ ଅକ୍ଟୋବର ୧୩ରୁ ନଭେମ୍ବର ୧୨ଯାଏଁ ପୁରୀର ମୁନିସିପାଲଟି କଲ୍ୟାଣ ମଣ୍ଡପ, ରେଳବାଇ ଟୁରିଷ୍ଟ୍ କମ୍ପ୍ଲେକ୍ସ୍ ଏବଂ ନରେନ୍ଦ୍ରକୋଣ ହବିଷାଳୀ କେନ୍ଦ୍ରରେ ରହିପାରିବେ।

ଆବାସସ୍ଥଳୀ ପାଇଁ ଭକ୍ତମାନଙ୍କୁ ଅକ୍ଟୋବର ୧୧ ପୂର୍ବରୁ ଅନ୍‌ଲାଇନ୍ ରେ ଆବେଦନ କରିବାକୁ ପଡ଼ିବ। ନଚେତ୍ ଯର୍ପ୍ୟଟନ ବିଭାଗ କାର୍ଯ୍ୟାଳୟ ଯାଇ ସିଧାସଳଖ ବି ବୁକିଂ କରିପାରବେ।

Comment