ଓଡ଼ିଶାଲାଇଭ୍ ବ୍ୟୁରୋ

(କଟକରୁ ଜୟ ମହାନ୍ତି): ଉଠୁଛି ପଡୁଛି କଟକ ସହର।ବିଳମ୍ବିତ ରାତି ପର୍ଯ୍ୟନ୍ତ ପୂଜାମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଗହଳିଚହଳି ଲାଗି ରହୁଛି। କଟକର ୧୬୧ଟି ପୂଜା ମଣ୍ଡପରେ ଆଜି ମହାନବମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମହାନବମୀରେ ଦେଖିବାକୁ ମିଳେ ଭଳିକି ଭଳି ରୀତିନୀତି ଓ ପରମ୍ପରା। ଆସନ୍ତୁ ଜାଣିବା କଟକି ଦଶହରାର ଦୁଇଟି ଭିନ୍ନ ପରମ୍ପରା କୁମାରୀ ପୂଜା ଓ ମାଛ ଭୋଗ ବିଷୟରେ…

କୁମାରୀ ପୂଜା

ନବମୀ ତିଥିରେ କଟକ ସହରର ହରିପୁର-ଦୋଳମୁଣ୍ଡାଇ ପୂଜାମଣ୍ଡପରେ ଦେଖିବାକୁ ମିଳେ ବିଶେଷ ଭିଡ଼। କାରଣ ଏଠାକାର ଏକ ନିଆରା ପୂଜା ପରମ୍ପରା ହେଉଛି କୁମାରୀ ପୂଜା ବିଧି।

କିଛି ଦିନ ପୂର୍ବରୁ କୁମାରୀମାନଙ୍କୁ ନିମନ୍ତ୍ରଣ ଦିଆଯାଇଥାଏ। ନଅଜଣ କୁମାରୀ ନବରାତ୍ରି ଆରମ୍ଭରୁ ଆମିଷ ଆଦି ଭକ୍ଷଣ ନ କରି ନିରାମିଷ ଭୋଜନ କରି ନିଷ୍ଠାର ସହ ରହିଥା’ନ୍ତି। ଏହି କୁମାରୀ କନ୍ୟାମାନଙ୍କୁ ସେମାନଙ୍କ ମା’ମାନେ ପାଦରେ ଅଳତା ଲଗାଇ ବୋହୂ ଭଳି ସଜାଇ ଦେଇଥା’ନ୍ତି। ଏହି କୁମାରୀଙ୍କ ମନରେ ରାଗ, ସନ୍ଦେହ, ମୋହମାୟା, ଅହଂକାର ଛୁଇଁ ନଥାଏ। ସେଥିପାଇଁ ଏହି କନ୍ୟାମାନଙ୍କୁ ନବମୀ ତିଥିରେ ମା’ଙ୍କ ମଣ୍ଡପ ପାଖରେ ପୂଜା କରାଯାଇଥାଏ। କୁହାଯାଏ ଛୋଟ ପିଲାଙ୍କ ଭିତରେ ନାରାୟଣ ଥାନ୍ତି। ଏଣୁ ନାରାୟଣଙ୍କ ଅବସ୍ଥିତିକୁ ସମ୍ମାନ ଜଣାଇବାର ବିଧି ଭାରତୀୟ ସଂସ୍କୃତିରେ ବହୁ ପୁରୁଣା ହୋଇଥିବାରୁ କଟକି ଦୂର୍ଗାପୂଜାରେ ଦେଖିବାକୁ ମିଳେ ଏହାର ଜ୍ୱଳନ୍ତ ଉଦାହରଣ।

ମା’ ଦୁର୍ଗାଙ୍କୁ ଆରାଧନା କରିବା ପରି ନବରାତ୍ରର ନବମୀ ଦିନରେ କୁମାରୀ କନ୍ୟାମାନଙ୍କର କରାଯାଇଥାଏ ପୂଜା। ମା’ଙ୍କୁ ଯେପରି ସଜାଯାଏ କୁମାରୀମାନଙ୍କୁ ସେହିପରି ସଜେଇ ଦିଆଯାଏ। କୁମାରୀମାନଙ୍କୁ ଦିଆଯାଇଥାଏ ସୁସ୍ୱାଦୁ ଖାଦ୍ୟ ସହିତ ଉପହାର। ବେଶ ସୁନ୍ଦର ଏହି କୁମାରୀ ପୂଜା ପରମ୍ପରାର ଦୃଶ୍ୟ।

ପୂଜା ସରିବା ପରେ କୁମାରୀମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇଥାନ୍ତି ଶ୍ରଦ୍ଧାଳୁ। ନବମୀ ସକାଳୁ ସକାଳୁ ହରିପୁର-ଦୋଳମୁଣ୍ଡାଇ ପୂଜାମଣ୍ଡପରେ କୁମାରୀ ପୂଜା ଅବସରରେ ମଣ୍ଡପରେ ଦେଖିବାକୁ ମିଳିଥିଲା ବେଶ ଭିଡ଼। ଘଣ୍ଟ-ଘଣ୍ଟା-ବାଜା-ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ପରିବେଶ।

“ଆମର ଏହି ପୂଜା ମଣ୍ଡପଟି କଟକ ସହରର ଏକମାତ୍ର ପୂଜା ମଣ୍ଡପ ଯେଉଁଠାରେ ନବମୀ ଦିନ କୁମାରୀ ପୂଜା କରାଯାଇଥାଏ। ଏହା ଅମ ମଣ୍ଡପର ମୁଖ୍ୟ ଆକର୍ଷଣ। ଅନେକ ବର୍ଷ ଧରି ଏଠାରେ ବଙ୍ଗୀୟ ମତରେ ପୂଜା ହୁଏ ଓ କୋଲକାତାରୁ ସ୍ୱତନ୍ତ୍ର ଭାବରେ ଢାକ୍ ବାଜା ବାଦକମାନଙ୍କୁ ମଧ୍ୟ ନିମନ୍ତ୍ରଣ ଦିଆଯାଇଥାଏ। ସେମାନେ ମା’ ଙ୍କ ସମ୍ମୁଖରେ ଢାକ୍ ବଜାଇ ଆସୁଛନ୍ତି,” କହିଛନ୍ତି ହରିପୁର ଦୋଳମୁଣ୍ଡାଇ ଦୂର୍ଗାପୂଜା କମିଟିର ଅଧିକାରୀ ବାବୁ ପ୍ରଧାନ।

ମାଛ ଭୋଗର ପରମ୍ପରା

କୁମାରୀ ପୂଜା ପରି ମହାନବମୀରେ ଆଉ ଏକ ପରମ୍ପରା ରହିଛି। ଏହା ହେଉଛି ମାଛ ଭୋଗର ପରମ୍ପରା। କଟକ ସହରର ହାତ ଗଣତି କେତେଗୋଟି ପୂଜାମଣ୍ଡପରେ ଭୋଗ ଲାଗିଥାଏ ମାଛ। ଏହି ପରମ୍ପରା ବେଶ୍‌ ପୁରାତନ। ମାଛ ଭୋଗ ଟିକେ ପାଇବା ପାଇଁ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳେ ଚାନ୍ଦିନୀଚୌକ ଓ ଅଲିଶା ବଜାର ପୂଜା ମଣ୍ଡପରେ।

ନବମୀ ତିଥିରେ ପାଖାପାଖି ପାଞ୍ଚ କୁଇଣ୍ଟାଲ୍ ମାଛ ଓ ଏକ କୁଇଣ୍ଟାଲର ପରିବାକୁ ମିଶାଇ ଏକ ଘାଣ୍ଟ ପ୍ରସ୍ତୁତ କରାଯାଇଥାଏ। ଏହି ମାଛ ଘାଣ୍ଟରେ କାଙ୍କଡ, କଞ୍ଚା କଦଳୀ, ପୋଟଳ, ବାଇଗଣ, ପାଣି କଖାରୁ, ମୂଳା, ଟମାଟୋ, କନ୍ଦମୂଳ ଆଦି ପକାଯାଏ। ୧୮୮୫ ମସିହାରୁ ଏଠାରେ ମାଛ ଭୋଗ ହୋଇଆସୁଛି ବୋଲି କୁହନ୍ତି ଅଲିଶା ବଜାର ପୂଜା କମିଟି ସଭାପତି କିଶୋର ମହାନ୍ତି।

“ବହୁ ବର୍ଷ ପୂର୍ବେ ଏଠାକାର ଜମିଦାର ମା’ ଙ୍କର ପୂଜା କରିଆସୁଥିଲେ। ନରାଜ ଅଞ୍ଚଳରୁ କିଛି କୈବର୍ତ୍ତ ଏହି ପୂଜା ମଣ୍ଡପରେ ଭୋଗ ପାଇଁ ମାଛ ଦେଇଯାନ୍ତି,” କୁହନ୍ତି ପୂଜା କମିଟି ସଭାପତି।

ନବମୀ ଦିନ ମାଛ ଭୋଗ ପାଇବା ପାଇଁ ଚାନ୍ଦିନୀଚୌକ ପୂଜା ମଣ୍ଡପରେ ହଜାର ହଜାର ଜନସାଧାରଣଙ୍କ ଭିଡ ହୁଏ ବୋଲି କୁହନ୍ତି ପୂଜାକମିଟି ସମ୍ପାଦକ ବିଜୟ କୁମାର ବେହେର।

ପୂଜା କମିଟିର କର୍ମକର୍ତ୍ତା ସାହିର ସମସ୍ତଙ୍କ ଘରେ ମାଛ ଭୋଗ ପହଞ୍ଚାଇ ଦିଅନ୍ତି। ସ୍ଥାନୀୟ ଅଞ୍ଚଳର ସମସ୍ତ ବ୍ୟବସାୟୀ ବନ୍ଧୁମାନଙ୍କୁ ମଧ୍ୟ ମାଛ ଭୋଗ ବଣ୍ଟନ କରାଯାଇଥାଏ ବୋଲି କୁହନ୍ତି ପୂଜା କମିଟି ସମ୍ପାଦକ। ସାଧାରଣ ଲୋକ ମଧ୍ୟ ମାଛ ଭୋଗ ନେବାର ବ୍ୟବସ୍ଥା ରହିଛି।

ପୂଜା କମିଟି ପାଖରେ ଟଙ୍କା ଜମା କରି ଟୋକନ୍ ଆଣି ସାଧାରଣ ଲୋକେ ମାଛ ଭୋଗ ନେବାର ବ୍ୟବସ୍ଥା  ମଧ୍ୟ  କରାଯାଇଛି।

ସମୟ ବଦଳିଛି। ତା’ ସହ କଟକରେ ମେଢ଼ ସଂଖ୍ୟା ବି ବଢ଼ିଛି। ହେଲେ ବଦଳିନି ପରମ୍ପରା। କୁମାରୀ ପୂଜା ଏବଂ ମାଛ ଭୋଗର ପରମ୍ପରା ଏବେ ବି ବଜାୟ ରହିଛି। ଆସନ୍ତା କାଲି ବିଜୟାଦଶମୀ। କିଛି ପୂଜା ମଣ୍ଡପରେ ଦହି ପଖାଳ ଭୋଗ ଲାଗି ହେବ। ଏହାସହ ସିନ୍ଦୂର ଖେଳ ମଧ୍ୟ ଏକ ଅନନ୍ୟ ପରମ୍ପରା।

Comment