ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯୋଶବନ୍ତ ନାରାୟଣ ପାଢ଼ୀ) ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି  ବିଶାଖାପାଟଣା ସହର। ଚଳଚଞ୍ଚଳ ହୋଇପଡ଼ିଛି ପୁରପଲ୍ଲୀ। ସବୁଠି ମନ୍ତ୍ର, ତନ୍ତ୍ର ପୂଜାରେ ମା’ଙ୍କର କରାଯାଉଛି ଆବାହନ।

ଏଥିପାଇଁ ଦୋକାନ ବଜାରରେ ମଧ୍ୟ ଗହଳ ଚହଳ ଲାଗିରହିଛି। ଶିଳ୍ପ ଓ ବନ୍ଦର ନଗରୀ ବିଶାଖାପାଟଣା ସହରରେ ଏହି ଦୁର୍ଗାପୂଜା ଉତ୍ସବ ପାଳନରୁ ବାଦ ପଡ଼ିନାହାନ୍ତି ଏଠାକାର ପ୍ରବାସୀ ଓଡ଼ିଆ ଓ ବଙ୍ଗାଳି ପରିବାରର ସଦସ୍ୟମାନେ।

ବିଶାଖାପାଟଣା ସହର ଦଶପଲ୍ଲା ହିଲ୍‌ସ ନିକଟରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଆରମ୍ଭ ହୋଇଯାଇଛି ଜଗତ ଜନନୀ ମା’ ଦୁର୍ଗାଙ୍କ ଦଶହରା ପୂଜା। ଏହି ଅନୁଷ୍ଠାନ ୧୯୭୨ ମସିହାରେ ନିର୍ମାଣ ହେବାଠାରୁ ଏଠାକାର ପ୍ରବାସୀ ଓଡ଼ିଆମାନେ ମିଳିମିଶି ନିରାଡ଼ମ୍ବର ସହ ଦଶହରା ପୂଜା ପାଳନ କରିଆସୁଛନ୍ତି। ଏଠାରେ ପ୍ରତ୍ୟେକ ବର୍ଷ ସପ୍ତମୀଠାରୁ ପୂଜା ଆରମ୍ଭ ହୋଇଥାଏ। ଏଠାରେ ଦଶଭୂଜା ମୃଣ୍ମୟ ମୂର୍ତ୍ତି ସହ ପାର୍ଶ୍ୱ ଦେବଦେବୀ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀ ପୂଜା ପାଇଥା’ନ୍ତି। ବିଶେଷକରି ସୁସଜ୍ଜିତ ତୋରଣ ସାଙ୍ଗକୁ ରାସ୍ତାର ଉଭୟ ପାର୍ଶ୍ୱକୁ ରଙ୍ଗୀନ ଆଲୋକ ମାଳରେ ସଜାଯାଇଛି।

ଚଳିତବର୍ଷ ଅଷ୍ଟମୀ ତିଥିରେ ପ୍ରବାସୀ ଓଡ଼ିଆଙ୍କ ମନୋରଞ୍ଜନ ପାଇଁ ଏଠାକାର ପ୍ରବାସୀ ଓଡ଼ିଆମାନେ ଗତ ୧୫ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଅଭ୍ୟାସ କରି ଆଜି ମନ୍ଦିର ପ୍ରାଙ୍ଗଣରେ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ହଜାର ହଜାର ଓଡ଼ିଆଙ୍କୁ ମନୋରଞ୍ଜନ କରିଥିଲେ। ସେହିପରି ଏଠାରେ ପ୍ରତ୍ୟେକ ଦିନ ବୈଦିକ ରୀତିରେ ଚଣ୍ଡିପୂଜା ହେବାସହ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାରରେ ମା’ଙ୍କ ଯଥାରୀତି ପୂଜା ସମ୍ପନ୍ନ ହେବ। ବିଶେଷକରି ଏଠାରେ ନବମୀ ଦିନ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ପରିଲିକ୍ଷିତ ହୋଇଥାଏ। ଅଷ୍ଟମୀ ଦିନ ପ୍ରବାସୀ ଓଡ଼ିଆ ମହିଳାମାନେ ମହାଷ୍ଟମୀ ବ୍ରତ ପାଳନ କରିଥିବାରୁ ଏଠାରେ ଭକ୍ତଙ୍କ ଗହଳି ଦେଖାଦେଇଥାଏ।

ନବମୀ ଓ ଦଶମୀ ତିଥିରେ ଏଠାରେ ସ୍ୱତନ୍ତ୍ର ପୂଜା କାର୍ଯ୍ୟକ୍ରମର ଆୟୋଜନ କରାଯିବ ପରେ ଶୁକ୍ରବାର ଦିନ ମା’ଙ୍କୁ  ମେଲାଣି ଦିଆଯିବ। ଏହି ପୂଜାର ପରିଚାଳନା ଦାଇତ୍ୱ ଉତ୍କଳ ସାଂସ୍କୃତିକ ସମାଜ ହାତକୁ ନେବାସହ, ଏହି ଅନୁଷ୍ଠାନର ସମସ୍ତ ପ୍ରବାସୀ ଓଡ଼ିଆମାନେ ପୂଜା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପୂର୍ଣ୍ଣ କରିବାପାଇଁ ଆପ୍ରାଣ ଉଦ୍ୟମ କରୁଥିବାରୁ ଏବଂ ପ୍ରବାସୀ ଓଡ଼ିଆଙ୍କ ଏକାଗ୍ରତା ଓ ଏକତ୍ର ମନଭାବ ଯୋଗୁଁ ଏଠାରେ ମା ଦୁର୍ଗାଙ୍କ ପୂଜା କାର୍ଯ୍ୟକ୍ରମ ଚଳିତବର୍ଷ ୪୩ ବର୍ଷରେ ପଦାର୍ପଣ କରିଥିବା ସମାଜର ସଭାପତି ଜିତେନ୍ଦ୍ର କୁମାର ନାୟକ ପ୍ରକାଶ କରିଛନ୍ତି।

ସେହିପରି ସହରର ଇଷ୍ଟକୋଷ୍ଟ ରେଳବାଇରେ କାର୍ଯ୍ୟରତ ବଙ୍ଗାଳି ପରିବାର ପକ୍ଷରୁ ମା’ କାଳୀଙ୍କ ମନ୍ଦିର ପରିସରରେ ବଡ଼ ଧୁମଧାମରେ ଦୁର୍ଗା ପୂଜା ପାଳନ କରିଛନ୍ତି। ଏଠାରେ ଦୁର୍ଗା ପୂଜାର ଆୟୋଜନ ପ୍ରତ୍ୟେକ ବର୍ଷ ବଙ୍ଗାଳି ସେବା ସମିତି ତରଫରୁ ୯ ଦିନ ଧରି ଆୟୋଜନ କରାଯାଇଥାଏ। ଏଠାରେ ସହର ସମସ୍ତ ବଙ୍ଗାଳି ପରିବାର ଏକତ୍ରିତ ହୋଇ ଦୁର୍ଗାଙ୍କ ନବରାତ୍ର ପୂଜାର ଆୟୋଜନ କରିଥାନ୍ତି। ଏଠାରେ ଦୁର୍ଗାପୂଜା ୫୪ ବର୍ଷ ହେବ ପାଳନ କରାଯାଉଛି।

Comment