ଓଡ଼ିଶାଲାଇଭ୍ ବ୍ୟୁରୋ

ଧରାପୃଷ୍ଠକୁ ଆସିଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ଆଜି ମଣ୍ଡପରେ ମା’ଙ୍କର ମହାନବମୀ ପୂଜା ହୋଇଥିଲା। ମା’ଙ୍କ ଦର୍ଶନ କରିବା ପାଇଁ ଆଜି କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପରେ ଖଚାଖଚ୍‌ ଭିଡ଼ ପରିଲକ୍ଷିତ ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଭୁବନେଶ୍ୱର ରସୁଲଗଡ଼ ଛକରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା। ଫଳରେ ଲୋକେ ଫସି ଯାଇଥିଲେ।

ଦିନ ବେଳେ ମା’ଙ୍କ ନବମୀ ପୂଜା ଦେଖିଥିଲେ ଭକ୍ତ। ସନ୍ଧ୍ୟା ହେବା କ୍ଷଣୀ ଲୋକେ ଘରୁ ବାହାରି ଆସିଥିଲେ। ବାଇକ୍‌, ଚାରି ଚକିଆ ଗାଡ଼ିରେ ପୂଜା ମଣ୍ଡପରୁ ପୂଜା ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିବା ସହ ଆକର୍ଷଣୀୟ ତୋରଣର ମଜା ନେଇଥିଲେ।

ସେହିପରି କଟକରେ ବିଭିନ୍ନ ପୂଜା ମଣ୍ଡପରେ ମା’ ସୁନା, ଚାନ୍ଦିରେ ଚମକୁଛନ୍ତି। ମା’ଙ୍କର ଏହି ଅପରୂପ ବେଶକୁ ଦେଖିବା ଲାଗି ପ୍ରବଳ ଜନସମାଗମ ହୋଇଥିଲା।

କଟକରେ ୱାନ ୱେ ଟ୍ରାଫିକ ବ୍ୟବସ୍ଥା ହୋଇଥିବାରୁ ଲୋକେ ସୁବିଧାରେ ଯିବା ଅସିବା କରିପାରୁଥିଲେ। କିନ୍ତୁ ଭୁବନେଶ୍ୱରରେ ପରିସ୍ଥିତି ବେହାଲ ହୋଇଯାଇଥିଲା। ରସୁଲଗଡ଼ରେ ଟ୍ରାଫିକ ଜାମ୍‌ ହୋଇଯିବାରୁ ଲୋକେ ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ। ନା ଆଗକୁ ଯାଇ ପାରୁଥିଲେ ନା ପଛକୁ? ରସୁଲଗଡ଼ରୁ ବାଣୀବିହାର ଏବଂ ରସୁଲଗଡ଼ରୁ ହଂସପାଳ ବ୍ରିଜ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକ ଲମ୍ବି ରହିଥିଲା। ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା।

ପୂଜା ପୂର୍ବରୁ ଟୁଇନସିଟି କଟକ-ଭୁବନେଶ୍ୱରରେ ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବା ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ଘନ ଘନ ପ୍ରସ୍ତୁତି ବୈଠକ ବସିଥିଲା। ହେଲେ ପ୍ରସ୍ତୁତି ଫେଲ୍ ବୋଲି ଆଜିର ଟ୍ରାଫିକ ଜାମ୍‌ରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।

Comment