ଓଡ଼ିଶାଲାଇଭ୍ ବ୍ୟୁରୋ
୨୧ରେ ବିଜେପୁର ଉପନିର୍ବାଚନ। ତିନି ଦଳରେ ବହୁଛି ଅସନ୍ତୋଷର ହାୱା।
ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଆସ୍ତେ ଆସ୍ତେ ଜୋର ଧରୁଥିବା ବେଳେ ତିନିଟି ଯାକ ବୃହତ ଦଳରେ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ବିଦ୍ରୋହ ସମସ୍ୟା ସୃଷ୍ଟି କରିଛି। ନା ବିଜେଡି ନା ବିଜେପି ନା କଂଗ୍ରେସ କେହି ଏହି ଅସନ୍ତୁଷ୍ଟ ସମସ୍ୟାରୁ ନିଜକୁ ମୁକୁଳାଇ ପାରୁଛନ୍ତି। ଯେଉଁମାନେ ଟିକେଟ ପାଇଁ ଆଶାୟୀ ଥିଲେ ସେମାନେ ଟିକେଟ ନପାଇବା କାରଣରୁ ପାଟିତୁଣ୍ଡ ଆରମ୍ଭ କରିଦେଇଛନ୍ତି। ଏହା ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନରେ ସମସ୍ୟା ସୃଷ୍ଟି କରିପାରେ।
ଇତି ମଧ୍ୟରେ ଶାସକ ବିଜେଡିର ଦୁଇ ଜଣ ବଡ଼ ଆଶାୟୀ ପୂର୍ବତନ ସାଂସଦ ପ୍ରଭାସ ସିଂହ ଓ ବରିଷ୍ଠ ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଦଳର ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି। ଏହା ସତ୍ତ୍ୱେ ସେମାନଙ୍କୁ ବୁଝାସୁଝା କରିବା ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଜାରି ରହିଛି।
ଏ ଦିହିଁଙ୍କ ଭିତରୁ ପ୍ରାର୍ଥୀ ହେବା ପାଇଁ ପ୍ରଭାସ ସିଂହ ଖୋଲାଖୋଲି ଆଗ୍ରହ ପ୍ରକାଶ କରିଥିଲେ। ମିଶ୍ର ବିଜେଡି ବରଗଡ଼ ଜିଲ୍ଲାର ପୂର୍ବତନ ସଭାପତି ହୋଇଥିବାରୁ ତାଙ୍କ ମନରେ ବି ଟିକେଟ ପାଇବା ଆଶା ରହିଥିଲା। ତେବେ ଶାସକ ଦଳର ତୁଙ୍ଗ ନେତାମାନେ ଦୃଢ଼ ନିଶ୍ଚିତ ଯେ ନିର୍ବାଚନ ପାଇଁ ସମସ୍ତେ ମିଳିମିଶି କାମ କରିବେ ଓ ଦଳୀୟ ପ୍ରାର୍ଥୀ ରୀତା ସାହୁ ବିଜୟ ଲାଭ କରିବେ। ସବୁ ନିର୍ବାଚନ ଭଳି ବିଜେପୁର ଉପନିର୍ବାଚନକୁ ବି ବିଜେଡି ସମ୍ମାନର କଥା ବୋଲି ଧରିଛି।
ଖବର ମିଳିଛି ଯେ ଦଳର ମୁଖ୍ୟ ନବୀନ ପଟ୍ଟନାୟକ ଦୁର୍ଗା ପୂଜା ପରେ ଦୁଇ ଦିନ ରୀତାଙ୍କ ପାଇଁ ପ୍ରଚାର କରିବେ। ନବୀନଙ୍କ ପ୍ରଚାର ଉପରେ ପ୍ରକୃତରେ ରୀତାଙ୍କ ଜିତିବା ନିର୍ଭର କରୁଛି।
ଅସନ୍ତୁଷ୍ଟଙ୍କ ବିଦ୍ରୋହରେ ବିଜେପି ମଧ୍ୟ ଘାଇଲା ହୋଇଥିବା ଲକ୍ଷ୍ୟ କରାଯାଇଛି। ଯେଉଁମାନେ ଟିକେଟ ପାଇବା ପାଇଁ ଆଶା ରଖିଥିଲେ ସେମାନଙ୍କୁ ଟିକେଟ ନମିଳିବା ଫଳରେ ବିଜେପିର ଦଳୀୟ ପ୍ରାର୍ଥୀ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି କହିଛନ୍ତି ଜଣେ ବରିଷ୍ଠ ନେତା। ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେଠାରୁ ହିଁ ଘୋଷଣା କରିସାରିଛନ୍ତି ଯେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ନାହିଁ। ୨୦୧୮ ଉପନିର୍ବାଚନରେ ଅଶୋକ ବିଜେପିର ପ୍ରାର୍ଥୀ ହୋଇଥିଲେ କିନ୍ତୁ ହାରି ଯାଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ସନତ ଗଡତିଆ ବିଜେପିର ପୁଣି ପ୍ରାର୍ଥୀ ହୋଇଛନ୍ତି।
ତେଣେ କଂଗ୍ରେସ ପକ୍ଷରୁ ମଧ୍ୟ ନିର୍ବାଚନ ଜିତିବା ପାଇଁ ବ୍ୟାପକ ଉଦ୍ୟମ ଚାଲିଛି। ବରଗଡ଼ ଜିଲ୍ଲା କଂଗ୍ରେସର ଉପସଭାପତି ଦିଲୀପ ପଣ୍ଡା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଦଳର ନେତାମାନେ ହିଁ ବିରୋଧ କରୁଛନ୍ତି। ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ ଏଥର ଟିକେଟ ପାଇବା ଆଶାରେ ରହିଥିଲେ। ତାଙ୍କୁ ପ୍ରାର୍ଥୀ କରାନଯିବା କାରଣରୁ ସେ ପ୍ରାର୍ଥୀ ଚୟନ ପଦ୍ଧତିକୁ ସମାଲୋଚନା କରିଛନ୍ତି। କଂଗ୍ରେସ ପକ୍ଷରୁ ଦଳର ନଅ ଜଣ ବରିଷ୍ଠ ନେତାଙ୍କୁ ନିର୍ବାଚନ ପ୍ରଚାର ଦାୟିତ୍ୱ ଦିଆଯାଇଛି।








୨୧ରେ ବିଜେପୁର ଉପନିର୍ବାଚନ। ତିନି ଦଳରେ ବହୁଛି ଅସନ୍ତୋଷର ହାୱା।









