ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ରାଜ୍ୟରେ ଆଜି ବିଜୟା ଦଶମୀ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ବିଶେଷକରି ଟୁଇନ୍‌ ସିଟି କଟକ ଏବଂ ଭୁବନେଶ୍ୱରରେ ବିଜୟଦଶମୀ ଉପଲକ୍ଷେ ଖଚାଖଚ୍‌ ଭିଡ଼ ପରିଲକ୍ଷିତ ହୋଇଥିଲା। ବିଜୟାଦଶମୀ ଦଶହରାର ଅନ୍ତିମ ପର୍ବ ହୋଇଥିବାରୁ ମା’ଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଲାଗିଥିଲା।

ଗତ ପାଞ୍ଚ ଦିନ ହେଲା ପୂଜା ମଣ୍ଡପରେ ମା’ ଦର୍ଶନ ଦେଉଛନ୍ତି। ମହାଷଷ୍ଠୀରୁ ମା’ ଙ୍କ ଦର୍ଶନ କରୁଛନ୍ତି ଭକ୍ତ। ଆଉ କିଛି ସମୟ ପରେ ମା’ ଭକ୍ତଙ୍କ ଗହଣରୁ ମେଲାଣି ନେବେ। ପୁଣି ଆର ବର୍ଷକୁ ଅପେକ୍ଷା। ଏଣୁ ଭକ୍ତମାନେ ମା’ଙ୍କ ଦର୍ଶନ ପାଇଁ ଘରୁ ବାହାରି ଆସିଛନ୍ତି।

କଟକରେ ମା’ ସୁନା ଚାନ୍ଦିରେ ଝଲସୁଥିବା ବେଳେ ଭୁବନେଶ୍ୱରରେ ଆକର୍ଷଣୀୟ ତୋରଣ ଲୋକଙ୍କ ମନ ମୋହୁଛି। ଏହାକୁ ଦେଖିବା ପାଇଁ କଟକ-ଭୁବନେଶ୍ୱର ଜନସମୁଦ୍ର ପାଲଟି ଯାଇଛି। କିଛି ପୂଜା ମଣ୍ଡପ ପାଖରେ ଏମିତି ଭିଡ଼ ହୋଇଛି ଯେ ସୋରିଷ ପକାଇବାକୁ ଜାଗା ନାହିଁ।

ଛକ ଛକରେ ମୋଲୋଡ଼ି କାର୍ଯ୍ୟକ୍ରମର ମଜା ନେଉଛନ୍ତି ଲୋକେ। ଚଟପଟି ଖାଦ୍ୟର ବି ମଜା ନେଉଛନ୍ତି ଲୋକେ। ମା’ଙ୍କ ପାଖରେ ଏବଂ ଆକର୍ଷଣୀୟ ତୋରଣ ପାଖରେ ଲୋକେ ସେଲ୍‌ଫି ନେବାକୁ ଭୁଲୁ ନାହାନ୍ତି।

ବିଜୟଦଶମୀ ଅବସରରେ କେତେକ ପୂଜାମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଉତ୍ସବ ଆୟୋଜନ କରାଯାଉଛି। ରାବଣ ପୋଡ଼ି ଦେଖିବା ପାଇଁ ଲୋକେ ଭିଡ଼ ଜମାଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡା, ଝାରପଡ଼ା, ନହରକଣ୍ଟା, ଚନ୍ଦକାରେ ରାବଣ ପୋଡ଼ି ଆୟୋଜନ କରାଯାଇଛି। ଏସବୁ ସ୍ଥାନରେ ଆତସବାଜି ପ୍ରତିଯୋଗିତା ମଧ୍ୟ ହେଉଛି। ଆତସବାଜିରେ ସାରା ପରିବେଶ କମ୍ପୁଛି।

ସେହିପରି କଟକରେ ମଧ୍ୟ ରାବଣ ପୋଡ଼ି ଉତ୍ସବର ମଜା ନେଉଛନ୍ତି ଲୋକେ। କଟକ କିଲା ପଡ଼ିଆରେ ସର୍ବ ଧର୍ମ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରାବଣ ପୋଡ଼ି ଉତ୍ସବ ଆୟୋଜନ କରାଯାଇଛି। କଟକରେ ୫୦ ଫୁଟର ପ୍ରତିକୃତି ନିର୍ମାଣ କରାଯାଇଛି। ଏଠାରେ ଆତସବାଜି ପ୍ରତିଯୋଗିତା ଚାଲିଛି। ଆଉ କିଛି ସମୟ ପରେ ରାବଣ ପ୍ରତିକୃତିରେ ଅଗ୍ନି ସଂଯୋଗ କରାଯିବ।

ଆଜି କଟକ ଏବଂ ଭୁବନେଶ୍ୱରର କିଛି ସ୍ଥାନରେ ହାଲ୍‌କା ବର୍ଷା ହୋଇଥିଲା। ବର୍ଷାକୁ ଖାତିର ନକରି ଲୋକେ ପୂଜା ମଣ୍ଡପ ବୁଲୁଛନ୍ତି। ସାଂସ୍କୃତି କାର୍ଯ୍ୟକ୍ରମର ଭରପୂର ମଜା ଉଠାଉଛନ୍ତି।

Comment