ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା: ଅପରାଧିମାନଙ୍କ ପାଇଁ ସତର୍କ ଘଣ୍ଟି! ଅପରାଧ ଘଟାଇ ଆଖି ପିଛୁଳାକେ ଚମ୍ପଟ ମାରୁଥିବା ଅପରାଧିମାନେ ଆଉ ସହଜରେ ଖସିଯାଇ ପାରିବେନି। ତତକ୍ଷଣାତ ସିସିଟିଭି କ୍ୟାମେରାରେ କଏଦ ହେବ ସେମାନଙ୍କ ଅପରାଧିକ କାର୍ଯ୍ୟ ଓ ଅପରାଧିଙ୍କ ଚେହେରା। ବିଶେଷକରି ଗଜଲକ୍ଷ୍ମୀ ପୂଜାରେ ନିୟମ ଭଙ୍ଗ କରୁଥିବା ମେଢମାନଙ୍କର ଗତିବିଧି ଉପରେ ନଜର ରଖିବ ପ୍ରଶାସନ।

ଦୀର୍ଘ ଦିନ ଧରି ରାଜ୍ୟ ଅପରାଧ ମାନଚିତ୍ରରେ ରେକର୍ଡ କରିଥିବା କେନ୍ଦ୍ରାପଡା ଏବେ ଅପରାଧିମୁକ୍ତ ହେବାକୁ ମନ ବଳାଇଛି। ଜିଲ୍ଲାରେ ସିରିଜ୍ ଅପରାଧ ଘଟାଇ ପୋଲିସ ପ୍ରଶାସନର ନିଦ ହଜାଇଦେଉଥିବା ଅପରାଧିମାନଙ୍କୁ ପୋଲିସ କାବୁକରି ଏବେ ବିଭିନ୍ନ ମାମଲାରେ ଛନ୍ଦି ଜେଲ ହାଜତକୁ ପଠାଇ ଦେଇଛି। ଏହାଛଡା ବିଭିନ୍ନ ଅପରାଧରେ ସମ୍ପୃକ୍ତ ଅପରାଧିମାନେ ପୋଲିସ ହାତରେ ଧରାପଡିବା ସହିତ ସେମାନଙ୍କର ଅପରାଧ ପୋଲିସ ତଦନ୍ତରେ ପ୍ରମାଣିତ ହେବାରେ ଲାଗିଛି। ଏବେ ଯେତେ ଖୁଚୁରା ଅପରାଧି ଏବେ ଅପରାଧ ଜଗତକୁ ଆସିବାକୁ ଚିନ୍ତା କରୁଛନ୍ତି ସେମାନଙ୍କୁ ଚେକ ଦେବାରେ ଲାଗିଛି ପୋଲିସ।

ଏହି ଅପରାଧିମାନଙ୍କୁ ଧରି ପାନେ ଦେବାକୁ ଏବେ କେନ୍ଦ୍ରାପଡା ପୋଲିସ ଆରମ୍ଭ କରିବାକୁ ଯାଉଛି ନୂଆ ଯୋଜନା। ଦ୍ରୁତ ଗତିରେ ଗାଡି ଚଳାଇବା, ବିକଟାଳ ହର୍ଣ୍ଣ ବଜାଇ ଲୋକଙ୍କୁ ଆତଙ୍କିତ କରିବା, ଡିକି ଭାଙ୍ଗି ଚୋରି କରିବା, ଦୋକାନ ସଟର ଭାଙ୍ଗି ଚୋରି କରିବା ଆଦି ଘଟଣା ପୋଲିସର ନିଦ ହଜାଇ ଦେଉଛି।

ଏଣିକି ଏସବୁ ବଦମାସି ଉପରେ ଦିନରାତି ନଜର ରଖିବାକୁ କେନ୍ଦ୍ରାପଡା ସହରରେ ଲାଗିବ ୩୬ଟି ସିସିଟିଭି। ସହରର ୧୨ଟି ସମ୍ବେଦନଶୀଳ ଛକମାନଙ୍କରେ ଏହି ଇଲୋକ୍ଟ୍ରନିକ ଡିଭାଇସ୍ ଲଗାଇବ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ।

ଆସୁଛି କେନ୍ଦ୍ରାପଡା ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ପ୍ରତିବର୍ଷ ଗଜଲକ୍ଷ୍ମୀ ପୂଜାରେ କେତେକ ପୂଜା କମିଟିମାନଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିବା ପ୍ରଶାସନର ମୁଣ୍ଡ ବ୍ୟଥାର କାରଣ ହୋଇଛି। ବିଶେଷକରି ଭସାଣ ବେଳେ ନୀତିନିୟମ ଭଙ୍ଗ ହେବାର ନଜିର ରହିଛି। ଏସବୁ ଏଥର ଦେଖିବ ସିସିଟିଭି। କେନ୍ଦ୍ରାପଡା ସହରର ପୁରୁଣା ମଟରଷ୍ଟାଣ୍ଡଠାରେ ଥିବା ସହରାଞ୍ଚଳ ଫାଣ୍ଡିରେ ଏହି ସିସିଟିଭିର କଣ୍ଟ୍ରୋଲ ରୁମ୍ ରହିବ। ଚବିଶ ଘଣ୍ଟିଆ ଡ୍ୟୁଟିରେ ରହିବେ ଦାୟିତ୍ୱସମ୍ପନ୍ନ ପୋଲିସ ଅଧିକାରୀମାନେ। ପ୍ରତି ମୁହୂର୍ତ୍ତର ଖବର ପହଞ୍ଚାଇବେ ପ୍ରଶାସନ ଅଧିକାରୀଙ୍କ ନିକଟରେ। ଫଳରେ ଟିକନିଖି ଅପରାଧିକ ଖବର ପୋଲିସ ଜାଣିବାର ସୁଯୋଗ ପାଇବ ଏହାର ପ୍ରତିକାର କରିବ ବୋଲି କେନ୍ଦ୍ରାପଡା ଏସ୍ ପି ନିତିଶେଖର ସୂଚନା ଦେଇଛନ୍ତି।

Comment