ଓଡ଼ିଶାଲାଇଭ୍ ବ୍ୟୁରୋ

ଶେଷ ହୋଇଛି ଶାରଦୀୟ ଦୁର୍ଗା ପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମା’। ବାଜା, ବାଣ ରୋଷଣୀରେ ମା’ଙ୍କୁ ବିଦାୟ ଦେଉଛନ୍ତି ଭକ୍ତମାନେ। ଆନନ୍ଦ ଉଲ୍ଲାସରେ ମା’ଙ୍କୁ ବିଦାୟ ଦିଆଯାଉଛି। ଗତ ପାଞ୍ଚ ଦିନ ହେଲା ମା’ଙ୍କ ଆଗମନରେ ଯେଉଁ ପୂଜା ମଣ୍ଡପ ଗହଳ ଚହଳରେ ଫାଟି ପଡୁଥିଲା ସେ ସ୍ଥାନ ଆଜି ଖାଁ ଖାଁ ଲାଗୁଛି।

କଟକ ଏବଂ ଭୁବନେଶ୍ୱରରେ ମସାଣ ଉତ୍ସବ ଜମୁଛି। କଟକର ଦେବୀଗଡ଼ାଠାରେ ମା’ଙ୍କୁ ବିସର୍ଜନ ପାଇଁ ୩ଟି ଅସ୍ଥାୟୀ ପୋଖରୀ କରାଯାଇଥିବା ବେଳେ ଭୁବନେଶ୍ୱରରେ କୁଆଖାଇ ଏବଂ ଦୟା ନସୀରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ପୋଖରୀ କରାଯାଇଛି।

କଟକରେ ସକାଳ ୮ଟାରୁ ଆରମ୍ଭ ହୋଇଛି ଭସାଣ ଉତ୍ସବ। ମା’ଙ୍କୁ ପ୍ରଥମେ ସାହି ପରିକ୍ରମା କରାଯିବା ପରେ ମେଢ଼ଗୁଡ଼ିକ ଦେବୀଗଡ଼ା ଅଭିମୁଖେ ଯାତ୍ରା କରିଥିଲା।

ପ୍ରତି ମେଢ଼ ଆଗରେ ସାହି ପିଲାଙ୍କ ଜମାଣିଆ ନାଚ ଚାଲିଛି। ଡିଜେ ଏବଂ ବ୍ୟାଣ୍ତ ବାଜାର ତାଳେ ତାଳେ ନାଚି ନାଚି ମା’ଙ୍କୁ ବିଦାୟ ଦେଉଛନ୍ତି ଲୋକେ।

କଟକରେ ମେଢ଼ଗୁଡ଼ିକ ମଙ୍ଗଳବାଗ, ବକ୍ସିବଜାର, ଦରଘା ବଜାର, ଚୌଧୁରୀ ବଜାର, ପୁରୀଘାଟ ଦେଇ ଦେବୀଗଡ଼ା ଅଭିମୁଖେ ମୁହାଁଇଛନ୍ତି। ରାତି ସାରା ଭସାଣ କାର୍ଯ୍ୟକ୍ରମ ଚାଲିବ।

ସେହିପରି ଭୁବନେଶ୍ୱର ସହିଦନଗର, ନୟାପଲ୍ଲୀ ଏବଂ ଚନ୍ଦ୍ରଶେଖରପୁର ମେଳଣ ପଡ଼ିଆରେ ମେଢ଼ ଏକାଠି ହେବା ପରେ ଭସାଣ ଶୋଭାଯାତ୍ରାରେ ବାହାରିଛନ୍ତି। ବାଜା, ବାଣରେ ଭୁବନେଶ୍ୱର ପରିବେଶ କମ୍ପୁଛି। ଭସାଣ ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Comment