ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗାପୂଜାରେ ବିଶାଳପେଣ୍ଡାଲ୍ ଓ ସୁଉଚ୍ଚ ତୋରଣ ସାଙ୍ଗକୁ ଆଖି ଝଲସିଆ ଆଲୋକସଜ୍ଜା ଭୁବନେଶ୍ୱରକୁ ଏକ ବୋହୂ ଭଳିଆ ସଜାଇ ଦେଇଥିଲା। ସାଧାରଣତଃ ସହରରେ ଲୋକେ ସନ୍ଧ୍ୟାରେ ପରିବାର ଧରି ପୂଜା ଦେଖିବାକୁ ବାହାରିଥା’ନ୍ତି। ଗୋଟିଏ ମଣ୍ଡପରୁ ଅନ୍ୟ ମଣ୍ଡପରୁ ବୁଲି ରାତି ୧୦ଟା ଭିତରେ ଘରକୁ ଫେରିଥା’ନ୍ତି। କିନ୍ତୁ ଏଥିରେ ଏବେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି।

ସନ୍ଧ୍ୟାର ଭିଡ଼ ସମୟକୁ ଛାଡ଼ି ରାଜଧାନୀବାସୀ ଏବେ ରାତି ୧୧ଟା ପରେ ପୂଜା ଦେଖିବାକୁ ବାହାରୁଛନ୍ତି। ଫଳରେ ଚଳିତବର୍ଷ ରାତିତମାମ ସବୁ ପେଣ୍ଡାଲରେ ଭିଡ଼ ପରିଲକ୍ଷିତ ହୋଇଥିଲା। ସତେ ଯେମିତି ମଧ୍ୟ ରାତ୍ରି ତ ନୁହେଁ ସନ୍ଧ୍ୟା ଭଳି ମନେ ହେଉଥିଲା। ଲୋକେ ବାଇକ, କାର ଏପରିକି ଝିଅମାନେ ମଧ୍ୟ ସ୍କୁଟିରେ ବୁଲୁଥିବା ଦେଖାଯାଇଥିଲା। ରସୁଲଗଡ଼ ପୂଜାମଣ୍ଡପରେ ଶହଶହ ଲୋକଙ୍କ ଭିଡ଼ ଥିଲା। ସୁରକ୍ଷାକର୍ମୀମାନେ ଲାଇନରେ ସମସ୍ତଙ୍କୁ ଛାଡୁଥିଲେ।

ଭିଡ଼ ଯେତେବି ଥାଉ ଇନ୍ଦ୍ରମହଲରେ ଫଟୋଟେ ନ ଉଠାଇ କେହି ଫେରୁ ନ ଥିଲେ। ଏକ ନୂଆ ପରିକଳ୍ପନାରେ ଚଳିତଥର ରସୁଲଗଡ଼ ପୂଜା ମଣ୍ଡପକୁ ସଜ୍ଜା ଯାଇଥିଲା। ଏହାର ଝଲକ ପାଇବା ପାଇଁ କେବଳ ପୂଜା ପେଣ୍ଡାଲ ପାଖେ ନୁହେଁ। ଫ୍ଲାଏଓଭର ଉପରେ ବି ଭାରି ଭିଡ଼ ରହିଥିଲା। ସେପଟେ ମୀନା ବଜାରରେ ବି ପିଲାଠୁ ବଡ଼ ଦୋଳିର ମଜ୍ଜା ନେଉଥିଲେ। ଗୁପଚୁପ, ଚାଟ୍ ତଥା ଅନ୍ୟାନ୍ୟ ଫାଷ୍ଟଫୁଡ ଓ ଆଇସ୍କ୍ରିମ ଦୋକାନ ଭୋର୍ ୪ଟା ଯାଏଁ ଖୋଲାରହିଥିଲା।

ବୁଲାବୁଲି ସରିବା ପରେ ଲୋକେ ଚଟପଟା ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ସେପଟେ ଝାରପଡ଼ା ମଣ୍ଡପ ପାଖରେ ମୀନାବଜାର ନଥିଲେ ବି ଲୋକେ ଠାକୁର ଦେଖିବା ପରେ ସେଲଫି ନେବାକୁ ଅଟକି ଯାଉଥିଲେ। କୁନିକୁନି ପିଲାଏ ବେଲୁନ, ବଂଶୀ କିଣି ଖୁସି ହେଉଥିଲେ। ରାତି ସାଢ଼େ ଦୁଇ ତିନିଟାରେ ବି ଏତେ ଲୋକ ପୂଜାମଣ୍ଡପରେ ଭିଡ଼ ଜମେଇଥିବା ଆଖିରେ ନ ଦେଖିଲେ ସହଜରେ ବିଶ୍ୱାସ ହେବ ନାହିଁ।

କେବଳ ରସୁଲଗଡ଼ କାହିଁକି ବମିଖାଲ, ଝାରପଡ଼ା, ସହିଦ ନଗର, ଷ୍ଟେସନ ବଜାର, ନୟାପଲ୍ଲୀ, ବରମୁଣ୍ଡାରେ ସମାନ ଭିଡ଼ ଥିଲା। ମୁଖ୍ୟତଃ ଜାତୀୟ ରାଜପଥରେ ବରମୁଣ୍ଡା, ନୟାପଲ୍ଲୀଓ ରସୁଲଗଡ଼ ଫ୍ଲାଏଓଭର ସହ ଝାରପଡ଼ା ଜେଲରୋଡରେ ବିଳମ୍ବିତ ରାତି ଯାଏଁ ବିଶେଷ ଜାମ ଦେଖାଯାଇଥିଲା।

ସମୟ ବଦଳିଛି, ଭୁବନେଶ୍ୱରର ବି ପରିବର୍ତ୍ତନ ଘଟିଛି। ସମୟ ସହ ତାଳ ଦେଇ ଟ୍ରେଣ୍ଡ ବି ବଦଳୁଛି।  ଭୁବନେଶ୍ୱରର ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ତ୍ରିଲୋଚନ ମଙ୍ଗରାଜ କହିଥିଲେ ଯେ, ଆମ ପିଲାମାନେ ରାଜ୍ୟ ବାହାରେ ରୁହନ୍ତି।

ପୂଜା ପାଇଁ ଘରକୁ ଆସିଛନ୍ତି। ସନ୍ଧ୍ୟାରେ ରାସ୍ତା ଓ ପୂଜା ପେଣ୍ଡାଲରେ ଅତ୍ୟଧିକ ଭିଡ଼ ଜମିବା ତଥା ଟ୍ରାଫିକ କଟକଣା ଯୋଗୁଁ ମୁଁ ପରିବାର ସହ ରାତିରେ ବୁଲିବାକୁ ଆସିବାକୁ ପସନ୍ଦ କରେ। ସେହିପରି ଇଂଜିନିଅରିଂ ଛାତ୍ରୀ ଲିଜା କହିଥିଲେ ଯେ, ଆଜିକାଲି ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ଫ୍ୟାଶନ। ସନ୍ଧ୍ୟାରେ ସେଲଫି ନେବା ଅପେକ୍ଷା ମଧ୍ୟରାତ୍ରିରେ ସାଙ୍ଗମାନଙ୍କ ସହ ଆସି ବୁଲିବା ସହ ସେଲଫି ନେବା ସହଜ ହେଉଛି।

ବଦଳୁଥିବା ଟ୍ରେଣ୍ଡ ସହ ତାଳ ଦେଇ କମିସନରେଟ ପୋଲିସର ଟ୍ରାଫିକ ବିଭାଗ ମଧ୍ୟ ଅପରାହ୍‌ଣରୁ ରାତି ଦିଇଟା ଯାଏଁ ପ୍ରମୁଖ ପୂଜାପେଣ୍ଡାଲ ଓ ଟ୍ରାଫିକ ଛକରେ ଡ୍ୟୁଟି କରୁଥିବା ସହରର ଟ୍ରାଫିକ ଏସିପି ସାଗରିକା ନାଥ ଟୁଇଟକରିଛନ୍ତି। ରସୁଲଗଡ଼ ଓ ଝାରପଡ଼ା ପୂଜାମଣ୍ଡପ ଭଳିଗାଡ଼ି ଓ ଲୋକଙ୍କ ବେଶୀ ଭିଡ଼ ରହୁଥିବା ପୂଜାମଣ୍ଡପ ନିକଟରେ ଏକାଧିକ ଟ୍ରାଫିକ ପୋଲିସ ଅଧିକାରୀ ବିଭିନ୍ନ ପ୍ରବେଶ ପଥରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରୁଥିବା ଦେଖାଯାଇଥିଲା।

Comment