ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଟିକେଟ ନପାଇ ବିଜେପିରେ ଅଶୋକ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ।
ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ବିଜେପୁର ଦଖଲ ପାଇଁ ବିଜେଡି ମଇଦାନ ପ୍ରସ୍ତୁତ କରୁଥିବା ବେଳେ ବିଜେପିର ଚିନ୍ତା ବଢ଼ାଇ ଦେଇଛନ୍ତି ଅଶୋକ ପାଣିଗ୍ରାହୀ। ଅଶୋକ ବିଜେପି ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବାରୁ ବିଜେପି ଅଡୁଆରେ ପଡ଼ିଛି।
ଯଦି ଅଶୋକ ଦଳ ଛାଡ଼ନ୍ତି ତାହାଲେ ବିଜେପି କେମିତି ବିଜେଡିକୁ ଟକ୍କର ଦେବେ ତାହା ହିଁ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଶୋକ ନିକଟରେ ତାଙ୍କ ସମର୍ଥକଙ୍କୁ ନେଇ ବିଜେପୁରରେ ଏକ ବୈଠକ କରିଥିଲେ। ଏହି ବୈଠକ ପରେ ଚର୍ଚ୍ଚା ହୋଇଥିଲା ଯେ ଅଶୋକ ବିଜେପି ଛାଡ଼ି ପାରନ୍ତି। ଅଶୋକ ମଧ୍ୟ ବିଜେପି ଛାଡ଼ିବା ପ୍ରଶ୍ନର ଉତ୍ତର ଦେଇ ତାଙ୍କ ସମର୍ଥକଙ୍କ ଉପରେ ସବୁ ନିଷ୍ପତ୍ତି ଛାଡ଼ି ଦେଇଥିଲେ।
ଅଶୋକ କହିଥିଲେ ଯେ ଯେଉଁମାନେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପାଇଁ ପରାମର୍ଶ ଦେଇଥିଲେ ସେହିମାନଙ୍କ ମତାମତା ଲୋଡ଼ିଛି। ସେମାନଙ୍କ ମତାମତକୁ ଆଧାର କରି ପରବର୍ତ୍ତୀ ପଦକ୍ଷେପ ନେବି।
ବିଜେପୁରରେ ଅଶୋକଙ୍କର ଏକ ବଡ଼ ସଙ୍ଗଠନ ଅଛି, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ। ଯଦି ଅଶୋକ ଉପନିର୍ବାଚନ ପୂର୍ବରୁ ବିଜେପି ଛାଡ଼ନ୍ତି ତାହାଲେ ଦଳ ପାଇଁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି।
ଅଶୋକ ହେଉଛନ୍ତି ବିଜେପୁରର ପୂର୍ବତନ ବିଧାୟକ। ସେ ୨୦୦୦ ମସିହାରେ ବିଜେଡି ବିଧାୟକ ଥିଲେ। ୨୦୦୪ରେ କିନ୍ତୁ ଅଶୋକ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପରାଜିତ ହୋଇଥିଲେ। ୨୦୦୯ ଏବଂ ୨୦୧୪ରେ ଅଶୋକଙ୍କୁ ବିଜେଡି ଟିକେଟ ଦେଇ ନଥିଲା।
ଅଶୋକ ନିଜ ସମର୍ଥକଙ୍କୁ ନେଇ ୨୦୧୪ରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୧୮ରେ ହୋଇଥିବା ଉପନିର୍ବାଚନରେ ଅଶୋକ ପୁଣି ବିଜେଡି ଟିକେଟ ପାଇଁ ଆଶା ବାନ୍ଧିଥିଲେ। କିନ୍ତୁ ଦଳ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା।
ଅଶୋକ ଶେଷରେ ବିଜେଡି ଉପରେ ବିଷୋଦ୍ଗାର କରି ବିଜେପିରେ ସାମିଲ ହୋଇଥିଲେ। ବିଜେପି ଟିକେଟ ନେଇଥିଲେ। ରୀତାଙ୍କ ବିପକ୍ଷରେ ଲଢ଼ି ଅଶୋକ ୪୦ ହଜାରରୁ ଅଧିକ ଭୋଟ ପାଇଥିଲେ।
୨୦୧୯ ନିର୍ବାଚନରେ କିନ୍ତୁ ଅଶୋକଙ୍କୁ ବିଜେପି ଟିକେଟ ଦେଇ ନଥିଲା। ସନତ ଗଡ଼ତିଆଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ସନତ ୫୩ ହଜାର ଭୋଟ ପାଇଥିଲେ। ଏବେ ଆଗକୁ ଆସୁଥିବା ଉପନିର୍ବାଚନରେ ସନତଙ୍କୁ ପ୍ରାର୍ଥୀ କରିଛି ବିଜେପି। ଫଳରେ ଅଶୋକ ନିରାଶ ହୋଇଛନ୍ତି।
ଅଶୋକ ଟିକେଟ ନେବାକୁ ଆଶାୟୀ ଥିଲେ। ବିଜେପିରେ ଲବି ମଧ୍ୟ କରିଥିଲେ। ହେଲେ ତାଙ୍କ ଲବି କାମ ଦେଇନି। ସନତଙ୍କୁ ଟିକେଟ ମିଳିବା ପରେ ଅଶୋକ ଏବେ ଅସନ୍ତୁଷ୍ଟ ହୋଇଛନ୍ତି। ଅଶୋକଙ୍କୁ ନେଇ ବିଜେପି ଚିନ୍ତାରେ ପଡ଼ିଥିବା କୁହାଯାଉଛି।
ନିକଟରେ ଅଶୋକ ବିଜେପୁରରେ ଏକ ବୈଠକ କରିଥିଲେ। ଏହି ବୈଠକରେ ବହୁ ସମର୍ଥକ ସାମିଲ ହୋଇଥିଲେ। ବିଜେପୁରରେ ବିଜେପି କେମିତି ବିଜୟୀ ହେବ ସେନେଇ ବୈଠକ ଚାଲିଥିବା ଅଶୋକଙ୍କ ସମର୍ଥକମାନେ କହିଥିଲେ। ହେଲେ ରାଜନୀତି ପଣ୍ଡିତ ଏହି ବୈଠକକୁ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଟିକେଟ ମିଳି ନଥିବାରୁ ଅଶୋକ ବିଜେପି ଉପରେ ଖୁସି ନଥିବା କୁହାଯାଉଛି।








ଟିକେଟ ନପାଇ ବିଜେପିରେ ଅଶୋକ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ।









