ଓଡ଼ିଶାଲାଇଭ୍ ବ୍ୟୁରୋ

  • ଫନି କ୍ଷୟକ୍ଷତିରୁ ମୁକୁଳିପାରୁନି ଷ୍ଟାଡିୟମ୍
  • କେବଳ ଫ୍ଲଡଲାଇଟ୍ ସଜାଡିବାକୁ ଲାଗିବ ମାସେ

କଟକ: ଓଡ଼ିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ କ୍ରିକେଟ ମ୍ୟାଚ ବାରବାଟୀ ଷ୍ଟାଡିୟମଠାରେ ହୋଇନପାରେ। ଏହାକୁ ନେଇ ଅନିଶ୍ଚିତତା ଦେଖାଯାଇଛି। ମ୍ୟାଚକୁ ଆଉ ପ୍ରାୟ ଅଢେଇ ମାସ ବାକି ଥିବା ବେଳେ ସେ ପର୍ଯ୍ୟନ୍ତ ବାରବାଟୀ ଷ୍ଟାଡିୟମକୁ ପ୍ରସ୍ତୁତ କରାଯିବା ଅସମ୍ଭବ ବୋଲି କୁହାଯାଉଛି।

କାରଣ ଫନି ବାତ୍ୟାରେ ପ୍ରଭାବିତ ହୋଇଥିବା ଷ୍ଟାଡିୟମରେ ସମସ୍ତ ଫ୍ଲଡଲାଇଟ୍ ସଜାଡିବାକୁ ଲାଗିଯିବ ପ୍ରାୟ ୧ମାସରୁ ଅଧିକ ସମୟ। ତା’ଛଡା ବିସିସିଆଇରୁ ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ)କୁ ଫନି କ୍ଷୟକ୍ଷତି ଜନିତ ଅନୁଦାନ ମିଳିନାହିଁ। ବିସିସିଆଇ ନିର୍ବାଚନ ନସରିବା ପର୍ଯ୍ୟନ୍ତ ମିଳିବାର ସମ୍ଭାବନା ବି ନାହିଁ।

ମେ’ ୩ରେ ହୋଇଥିବା ଫନି ବାତ୍ୟାରେ ବାରବାଟୀ ଷ୍ଟାଡିୟମର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଷ୍ଟାଡିୟମର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଫ୍ଲଡ୍ ଲାଇଟର ଅବସ୍ଥା ବେହାଲ୍ ହୋଇପଡିଥିଲା। ବାତ୍ୟା ପ୍ରଭାବରେ ୬୦ରୁ ଅଧିକ ଲାଇଟ୍ ଭାଙ୍ଗି ତଳେ ପଡିଥିଲା। ଅନ୍ୟ ବଲ୍‌ବଗୁଡିକ ବର୍ଷା ଓ ପବନ ସଂସ୍ପର୍ଶରେ ଆସି ଫ୍ୟୁଜ୍ ହୋଇଯାଇଥିଲା।

ସେହିପରି ପବନର ବେଗରେ ସମସ୍ତ ୮ଟି ଯାକ ଫ୍ଲଡଲାଇଟ୍ ପୋଷ୍ଟଗୁଡିକ ହୋଇଯାଇଥିଲା ହୁଗୁଳା। ଷ୍ଟାଡିୟମ୍ ପରିସରରେ ଥିବା ପ୍ରେସ୍ ବକ୍ସ ଓ କମେଣ୍ଟ୍ରି ରୁମ୍‌ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ନ୍ୟୁ ପାଭିଲିୟନ୍, ୫ ନମ୍ବର ଗ୍ୟାଲେରୀର ଛାତ ଉଡିଯାଇଥିବା ବେଳେ ଡିଜିଟାଲ୍ ସ୍କୋର ବୋର୍ଡ ଫ୍ରେମ୍ ଭାଙ୍ଗିଯାଇଥିଲା।

ଏ ସବୁର କ୍ଷୟକ୍ଷତି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ବିସିସିଆଇକୁ ୧୫ କୋଟି ଟଙ୍କା ଅନୁଦାନ ମାଗିଥିଲା ଓସିଏ। କିନ୍ତୁ ନିର୍ବାଚନ ନସରିବା ପର୍ଯ୍ୟନ୍ତ ଏବଂ ସମ୍ବିଧାନ ଚୂଡାନ୍ତ ନହେବା ଯାଏଁ ଟଙ୍କାଟିଏ ଅନୁଦାନ ଦେବାକୁ ମନା କରିଦେଇଥିଲା ବିସିସିଆଇ। ତେବେ ଏହାପରେ ଓସିଏ ନିର୍ବାଚନକୁ ଶୀଘ୍ର ଶେଷ କରିବାକୁ ଯୋଜନା କରାଯାଇଥିଲେ ବି ସମ୍ବିଧାନ ଚୂଡାନ୍ତ ହୋଇପାରିନଥିଲା।

ଶେଷରେ ଓସିଏ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ବାଟ ସଫା ହୋଇନାହିଁ। ବିସିସିଆଇ ନିର୍ବାଚନ ନସରିବା ପର୍ଯ୍ୟନ୍ତ ଓସିଏକୁ ଆର୍ଥିକ ଅନୁଦାନ ମିଳିବା ନେଇ ଅନିଶ୍ଚିତତା ଦେଖାଯାଇଛି।

ବିସିସିଆଇ ନିର୍ବାଚନ ସରିବା ବେଳକୁ ଅକ୍ଟୋବର ଶେଷ ହୋଇଯାଇଥିବ। ତା’ପରେ ବି ଓସିଏକୁ ତତ୍‌କ୍ଷଣାତ ଅନୁଦାନ ମିଳିଯାଏ ତେବେ ସେଥିରେ ବି ମ୍ୟାଚ ପରିଚାଳନା କରିବା ସହଜ ନୁହେଁ। କାରଣ ଫନି କ୍ଷୟକ୍ଷତିରୁ ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର କରିବାକୁ ପ୍ରାୟ ୩ମାସରୁ କମ୍ ସମୟ ଲାଗିବ ନାହିଁ।

ଏଭଳି ପରିସ୍ଥିତିରେ ଅନୁଦାନ ମିଳିବା ଏବଂ ନିର୍ଦ୍ଧାରିତ ମ୍ୟାଚ ଦିନ ମଧ୍ୟରେ ପ୍ରାୟ ମାସେ ସମୟ ରହିବ। ଏହି ସମୟ ମଧ୍ୟରେ ଫ୍ଲଡଲାଇଟକୁ ବି ସମ୍ପୂର୍ଣ୍ଣ ଭାବେ ଶେଷ କରିବା ମୁସ୍କିଲ୍। ଫ୍ଲଡଲାଇଟର ସ୍ଥିତି ଯାଞ୍ଚ୍ ପାଇଁ ଗତ ଅଗଷ୍ଟ ୭ ତାରିଖରେ କପିଳ ଦେବଙ୍କ କମ୍ପାନି ମସ୍କୋର ପ୍ରତିନିଧି ମଣ୍ଡଳୀ ଆସିଥିଲେ।

ତେବେ ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଫ୍ଲଡଲାଇଟର ବହୁତ ବଲ୍‌ବ ନଷ୍ଟ ହୋଇଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଫ୍ଲଡଲାଇଟରେ ବ୍ୟବହୃତ ବଲ୍‌ବ ଏବେ ମିଳୁନାହିଁ। ତେଣୁ ସମ୍ପୂର୍ଣ୍ଣ ୮ଟି ଖୁଣ୍ଟର ବଲ୍‌ବଗୁଡିକୁ ବଦଳାଇବାକୁ ହେବ।

ତା’ଛଡା ଖୁଣ୍ଟଗୁଡିକ ହୁଗୁଳା ହୋଇଯାଇଥିବାରୁ ତାର ମରାମତି ମଧ୍ୟ ଆବଶ୍ୟକ। ଏ ସଂକ୍ରାନ୍ତରେ କମ୍ପାନି ତରଫରୁ ବିସିସିଆଇକୁ ବିସ୍ତୃତ ରିପୋର୍ଟ ମଧ୍ୟ ଦିଆଯାଇଛି। ତେଣୁ ବିସିସିଆଇକୁ ଅନୁଦାନ ମିଳିବା ପରେ କାମ ଆରମ୍ଭ ହେବ।

ସେହିପରି ପଡିଆ, ନ୍ୟୁ ପାଭିଲିୟନ୍, ୫ ନମ୍ବର ଗ୍ୟାଲେରୀର ଛାତ, ପ୍ରେସ୍ ବକ୍ସ, ଅପର୍ ପ୍ରେସବକ୍ସ ଓ କମେଣ୍ଟ୍ରି ରୁମ୍ ଆଦି ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଏହାକୁ ସଜାଡିବା ମଧ୍ୟ ଓସିଏ ପାଇଁ ଚ୍ୟାଲେଞ୍ଜିଂ ହେବ।

ୱେଷ୍ଟଇଣ୍ଡିଜ ଭାରତ ଗସ୍ତରେ ଆସି ଉଭୟ ଦିନିକିଆ ଓ ଟି-୨୦ ଶୃଙ୍ଖଳା ଖେଳିବ। ସେଥିରୁ ଡିସେମ୍ବର ୨୨ରେ ତୃତୀୟ ଦିନିକିଆ ବାରବାଟୀ ଷ୍ଟାଡିୟମଠାରେ ଖେଳାଯିବାକୁ ସ୍ଥିର କରାଯାଇଥିଲା। ଘୋଷଣା ହେବାକୁ ପ୍ରାୟ ୩ମାସ ବିତିଗଲାଣି। ମ୍ୟାଚ ହେବାକୁ ଆଉ ଅଢେଇ ମାସ ସମୟ। ତେଣୁ ଏଭଳି ପରିସ୍ଥିତିରେ ବିସିସିଆଇର ଅନୁଦାନକୁ ଓସିଏ ଅପେକ୍ଷା କରୁଛି ନା ନିଜ ତରଫରୁ ବାରବାଟୀ ଷ୍ଟାଡିୟମର ପୁନରୁଦ୍ଧାର କାମ କରୁଛି ତାହା ଅପେକ୍ଷା କରି ଦେଖିବାର କଥା।

Comment