ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଇସିଲାଟ, ବିଜେପୁର ଏବଂ ବରପାଲି ବ୍ଲକରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ବିଜେପୁରରେ ଜମିଲାଣି ପ୍ରଚାର ମାହୋଲ। ପ୍ରାର୍ଥୀମାନେ ଗାଁ ଗାଁ ବୁଲି ଭୋଟ ମାଗୁଥିବା ବେଳେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ବିଜେପୁରରେ ଡେରା ପକାଇଛନ୍ତି। ତେବେ ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ବଳ ଦେବା ପାଇଁ ଶୁକ୍ରବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି।

ଧର୍ମେନ୍ଦ୍ର ସକାଳ ୧୧ଟାରେ ବରଗଡ ଜିଲ୍ଲା ଗାଇସିଲଟ ବ୍ଲକ ତଳପାଲିଠାରେ ପହଞ୍ଚି ଏକ ସାଧାରଣ ସଭାରେ ଯୋଗଦେବେ। ପରେ ଅପରାହ୍ଣ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାଠାରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସହ ରୋଡ ସୋ’ରେ ସାମିଲ ହେବେ।

ଏହି ରୋଡ ସୋ’ ବିଜେପୁର ଏବଂ ବରପାଲି ବ୍ଲକର ପଥରଲା, ସାଇପାଲି, ମହୁଲପାଲି, ମହୁଲପାଲି ଛକ, ମାମା ଛକ, ଖରମୁଣ୍ଡା, ବୈରଖପାଲି ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଅପରାହ୍ଣ ୪ ଟାରେ ବରପାଲି ବ୍ଲକ ଅଗଲପୁରଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧିତ କରିବେ।

ବିଜେଡି ପ୍ରାର୍ଥୀ ରୀତା ସାହୁ ଏବେ ଦଳୀୟ ନେତାଙ୍କ ଗହଣରେ ଗାଁ ଗାଁ ବୁଲି ପ୍ରଚାର କରୁଛନ୍ତି। ରୀତାଙ୍କ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୧୭ ଓ ୧୮ ତାରିଖରେ ବିଜେପୁରରେ ପ୍ରଚାର କରିବେ।

Comment