ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: କଟକ କମିସନରେଟ୍ ପୋଲିସ ୨୪ ଘଣ୍ଟା ଭିତରେ ଦୁଇଟି ଏନ୍କାଉଣ୍ଟର କରିଛି। ରବିବାର କୁଖ୍ୟାତ ଜିତୁକୁ ଏନକାଉଣ୍ଟର କରିବାର ଗୋଟିଏ ଦିନ ନପୂରୁଣୁ ଆଜି ତାର ସହଯୋଗୀ ଢେଙ୍କାନାଳ କଙ୍କଡ଼ାହାଡ଼ର ମୁନା ବେହୁରୀ(୨୪)କୁ ଚୌଦ୍ୱାର ପୋଲିସ୍ ଓ ସ୍ପେସାଲ୍ ସ୍କ୍ୱାଡ୍ ଏନକାଉଣ୍ଟର କରିଛି। ମୁନାଠାରୁ ଗୋଟିଏ ମାଉଜର, ଗୋଟିଏ ଗୁଳି ଓ ଏକ ବଜାଜ୍ ସିଟି ୧୦୦ ବାଇକ୍ ଜବତ ହୋଇଛି। ନୂଆପାଟଣା ଡକାୟତି ଓ ହତ୍ୟା ଘଟଣାରେ ମୁନାର ସଂପୃକ୍ତି ଥିବା ପୋଲିସ କହିଛି।
ନୂଆପାଟଣା ଡକାୟତି ଓ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ଅଭିଯୁକ୍ତ ମୁନା ଦେହୁରୀ ସୋମବାର ସକାଳେ ଏକ ବାଇକରେ ଢେଙ୍କାନାଳ ଅଭିମୁଖେ ଯାଉଥିବା ଖବର ଚୌଦ୍ୱାର ଥାନା ପୋଲିସକୁ ମିଳିଥିଲା। ଏହା ପରେ ପୋଲିସ ଓ ସ୍ପେସାଲ୍ ସ୍କ୍ୱାଡର ମିଳିତ ଟିମ୍ ମୁନାକୁ ଧରିବା ପାଇଁ ଚୌଦ୍ୱାର-ଧବଳେଶ୍ୱର ରାସ୍ତା ଅଭିମୁଖେ ବାହାରିଯାଇଥିଲା।
ତେବେ କିଛି ସମୟ ଭିତରେ ପୋଲିସ୍ ଟିମ୍ ମୁନା ପାଖରେ ପହଞ୍ଚି ଯାଇଥିଲା। ମୁନା ପୋଲିସ୍ ଟିମ୍କୁ ଦେଖି ଦୌଡ଼ିଥିଲା। ମାତ୍ର ପୋଲିସ ଟିମ୍ ତାର ପିଛା କରି ଆତ୍ମସମର୍ପଣ କରିବା ପାଇଁ ଚେତାବନୀ ଦେଇଥିଲା। ହେଲେ ମୁନା ଏହାକୁ ଖାତିର ନକରି ପାଖରେ ରଖିଥିବା ଏକ ବନ୍ଧୁକରୁ ହଠାତ୍ ଏକ ରାଉଣ୍ଡ ଗୁଳି ପୋଲିସ ଟିମ୍ ଉପରକୁ ଚଳାଇଥିଲା।
ମାତ୍ର ଗୁଳିଟି କାହା ଦେହରେ ବାଜିନଥିଲା। ଏହାପରେ ଚୌଦ୍ୱାର ଥାନା ଅଧିକାରୀ ଏକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିଟି ମୁନାର ବାମ ଗୋଡ଼ରେ ବାଜିଥିଲେ ବି ସେ ଅଟକି ନଥିଲା। ତୁରନ୍ତ ଆଉ ଏକ ରାଉଣ୍ଡ ଗୁଳି ପୋଲିସ ଉପରକୁ ଚଳାଇଥିଲା। ପୁଣି ଏହାର ପାଲଟା ଜବାବ ଦେଇଥିଲେ ଚୌଦ୍ୱାର ଥାନା ଅଧିକାରୀ। ଏହି ଗୁଳିଟି ମୁନାର ବାମ ଗୋଡ଼ ଆଣ୍ଠୁ ତଳେ ବାଜିଥିଲା। ଫଳରେ ବାଇକ୍ ଛାଡ଼ି ତଳେ ପଡ଼ିଯାଇଥିଲା।
ଏହା ପରେ ପୋଲିସ୍ ଟିମ୍ ମୁନାକୁ କାବୁ କରିନେବା ସହିତ ତା’ଠାରୁ ମାଉଜର ଜବତ କରିନେଇଥିଲେ। ଦୁଇଟି ଗୁଳି ବାଜିବା ପରେ ମୁନା ଗୁରୁତର ଆହତ ହୋଇଥିବାରୁ ତାକୁ ତୁରନ୍ତ ଏସ୍ସିବି ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏବେ ଚିକିତ୍ସା ଜାରି ରହିଛି।
ଚୌଦ୍ୱାର ପୋଲିସର କହିବାନୁସାରେ, ମୁନା ହେଉଛି ରବିବାର ଏନକାଉଣ୍ଟରର ଶିକାର ହୋଇଥିବା କୁଖ୍ୟାତ ଡକାୟତ ଜିତୁର ସହଯୋଗୀ। ଗତ ୨୪ ତାରିଖରେ ନୂଆପାଟଣା ପାଖରେ ଢେଙ୍କାନାଳର ଲାଲା ଲଳିତ ସିଂହଙ୍କୁ ଗୁଳି ମାରିବା ଓ ତାଙ୍କ ପରିବାରଠାରୁ ସୁନା ଅଳଙ୍କାର ଲୁଟିବାରେ ମୁନା ଥିଲା ଅନ୍ୟତମ ଅଭିଯୁକ୍ତ।