ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଜୁରାଟରେ ଏକ ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। “ଗାନ୍ଧୀଜୀ କାହିଁକି ଆତ୍ମହତ୍ୟା କରିଥିଲେ?”

ଗୁଜୁରାଟରେ ଏକ ସ୍କୁଲର ନବମ ଶ୍ରେଣୀ ପରୀକ୍ଷାରେ ଆସିଥିବା ଏକ ପ୍ରଶ୍ନକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆତ୍ମହତ୍ୟା ଉଦ୍ୟମକୁ ନେଇ ଗୁଜୁରାଟୀ ଭାଷାରେ ପଚରାଯାଇଥିବା ଏକ ପ୍ରଶ୍ନକୁ ଭୁଲ କୁହାଯାଇ ଏହାକୁ ବିରୋଧ କରାଯାଉଛି। ହେଲେ ପ୍ରଶ୍ନର ଅର୍ଥ ସମ୍ପୂର୍ଣ୍ଣ ଠିକ୍‌, ଏହାର ଅନୁବାଦକୁ ଭୁଲ ଦର୍ଶାଇ ଚର୍ଚ୍ଚାକୁ ଜୋର ଦିଆଯାଇଛି।

ପ୍ରକୃତରେ ଗୁଜୁରାଟର ଏକ ସେଲ୍ଫ ଫାଇନାନ୍ସିଂ ସ୍କୁଲର ନବମ ଶ୍ରେଣୀ ପରୀକ୍ଷାରେ ଏକ ପ୍ରଶ୍ନ ଆସିଥିଲା,”ଗାନ୍ଧୀଜୀ ଆପଘାତ୍ କରୱା ମାତେ ଶୁ କାରୟୁ?” ଯାହାର ସଠିକ ଅର୍ଥ ହେଉଛି, “ଗାନ୍ଧୀଜୀ ଆତ୍ମହତ୍ୟା କରିବା ପାଇଁ କ’ଣ କରିଥିଲେ।” ହେଲେ ଏହା ଭୁଲ ଅନୁବାଦ କରାଯାଇ “ଗାନ୍ଧୀଜୀ କାହିଁକି ଆତ୍ମହତ୍ୟା କରିଥିଲେ?” କୁହାଯାଉଛି। ଯାହା ସମ୍ପୂର୍ଣ୍ଣ ଭୁଲ ଅଟେ।

 

ବର୍ତ୍ତମାନ ଚର୍ଚ୍ଚାକୁ ଗୋଟେ ପାଖରେ ରଖିଲେ, ମନକୁ ଏକ ପ୍ରଶ୍ନ ଉଙ୍କି ମାରୁଛି। ସତରେ କ’ଣ ଗାନ୍ଧୀଜୀ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ? ତେବେ ଆସନ୍ତୁ ଜାଣିବା ଏହା ପଛର କାହାଣୀ..

ଗାନ୍ଧୀଜୀ କାହିଁକି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲେ?

ମହାତ୍ମା ଗାନ୍ଧୀ ନିଜ ଆତ୍ମ ଜୀବନୀ ‘ସତ୍ୟ କେ ପ୍ରୟୋଗ’ରେ ନିଜ ପିଲାଦିନର ଏକ କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକ ଅନୁଯାୟୀ, ପିଲାଦିନେ ଗାନ୍ଧୀଜୀ ନିଜର ଜଣେ ସମ୍ପର୍କୀୟଙ୍କ ସହ ମିଶି ବିଡ଼ି ପିଇବା ଅଭ୍ୟାସରେ ପଡ଼ିଯାଇଥିଲେ। ଗାନ୍ଧୀଜୀଙ୍କ ଜଣେ ଦାଦା ବିଡ଼ି ପିଅନ୍ତି। ସେତବେଳେ ତାଙ୍କ ପାଖରେ ଏତେ ପଇସା ନଥିଲା ଯେ, ସେ ବିଡ଼ି କିଣି ପିଇ ପାରିବେ। ତେଣୁ, ବିଡ଼ି ପିଇବା ପରେ ଦାଦା ଯେଉଁ ଅଂଶ ଫୋପାଡି ଦିଅନ୍ତି, ତାହାକୁ ଯୋଡ଼ି ଗାନ୍ଧୀଜୀ ଏବଂ ତାଙ୍କ ସମ୍ପର୍କୀୟ ବିଡ଼ି ପିଅନ୍ତି।

ଧିରେ ଧିରେ ଏହା ଅଭ୍ୟାସରେ ପରିଣତ ହୋଇଯାଇଥିଲା। ବିଡ଼ି ପିଇବା ପାଇଁ ଶେଷରେ ତାଙ୍କ ଚାକରଙ୍କ ପକେଟ୍‌ରୁ ଗାନ୍ଧୀଜୀ ପଇସା ଚୋରି କରିବାରେ ଲାଗିଥିଲେ। ବିଡ଼ ପିଇବା ଅଭ୍ୟାସ ପରେ ଗାନ୍ଧୀଜୀଙ୍କୁ ଲାଗିଥିଲା ଯେ, ସେ ନିଜ ଇଚ୍ଛାରେ କୌଣସି କାମ କରିପାରୁ ନାହାନ୍ତି। କିଛି କାମ କରିବା ପୂର୍ବରୁ ତାଙ୍କୁ ବଡ଼ ଲୋକଙ୍କୁ ପଚାରିବାକୁ ପଡୁଛି। ଏଥିପାଇଁ ଗାନ୍ଧୀଜୀ ଅତ୍ମହତ୍ୟା କରିବାକୁ ସ୍ଥିର କରିଥିଲେ।

gandhiji

ସେତେବେଳେ ଗାନ୍ଧୀଜୀ ଶୁଣିଥିଲେ କି, ଦୁଦୁରା ଫଳରେ ବିଷ ଅଛି। ତେଣୁ, ଆତ୍ମହତ୍ୟା ପାଇଁ ଗାନ୍ଧୀଜୀ ଏବଂ ତାଙ୍କ ସମ୍ପର୍କୀୟ ଦୁଦୁରା ଫଳ ଖାଇବାକୁ ସ୍ଥିର କଲେ। ଏଥିପାଇଁ ଜଙ୍ଗଲରୁ ଦୁଦୁରା ଫଳ ସଂଗ୍ରହ କରି ସନ୍ଧ୍ୟାରେ ଆତ୍ମହତ୍ୟା ପାଇଁ ସ୍ଥିର କଲେ।

କେଦାରନାଥଙ୍କ ମନ୍ଦିରରେ ସନ୍ଧ୍ୟା ଦର୍ଶନ କରି ବିଷ ଖାଇବା ପାଇଁ ଏକ ନିରୋଳା ସ୍ଥାନରେ ଦୁହେଁ ଏକାଠି ହେଲେ। କିନ୍ତୁ ବିଷ ଖାଇବା ପାଇଁ ତାଙ୍କର ସାହସ ହେଲା ନାହିଁ। ବିଷ ଖାଇବା ପରେ ଯଦି ମୃତ୍ୟୁ ନହୁଏ? ମରିଲେ କ’ଣ ଲାଭ ମିଳିବ? ଏମିତି ଅନେକ ପ୍ରଶ୍ନ ତାଙ୍କ ମନକୁ ଆସିଲା। ଦୁଇ ଚାରିଟା ଫଳ ମଧ୍ୟ ଖାଇଦେଲେ। ହେଲେ ଦୁହେଁ ଡରିଯାଇ ଆତ୍ମହତ୍ୟା ନ କରିବା ପାଇଁ ସ୍ଥିର କରିଥିଲେ। ଶେଷରେ ରାମ ମନ୍ଦିର ଯାଇ ଦୁହେଁ କିଛି ସମୟ ଧ୍ୟାନ କଲେ। ଏହା ପରେ ଆତ୍ମହତ୍ୟା କଥା ଭୁଲି ଘରକୁ ଫେରିଥିଲେ।

Comment