ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋଧା କମିଟି ସଂସ୍କାରକୁ ଆଖି ଠାର – ଏବେ ବି ପରିବାର ହାତରେ ରହିଛି କ୍ରିକେଟ୍‌

ଆସନ୍ତା ଅକ୍ଟୋବର ୨୩ ତାରିଖରେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ସଂଘ ବିସିସିଆଇର କର୍ମକର୍ତ୍ତାଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହେବ। ଏଥିରେ ସଭାପତି ଭାବେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ସଂପାଦକ ଭାବେ ଆମିତ ଶାହାଙ୍କ ପୁଅ ଜୟନ୍ତ ଶାହାଙ୍କ ନାମରେ ମୋହର ଲାଗିବ। ତେବେ ଏହା ଭିତରେ କ୍ରିକେଟ ପ୍ରଶାସକ ପଦପଦବୀ କିପରି ହାତ ଗଣତି ପରିବାର ହାତରେ ରହିଛି ସେ ନେଇ ରୋଚକ ତଥ୍ୟ ସବୁ ନଜରକୁ ଆସୁଛି।

ପୂର୍ବତନ ବିସିସିଆଇ ସଭାପତି ତଥା ଆଇସିସି ମୁଖ୍ୟ ଜଗମୋହନ ଡାଲମିଆଙ୍କ ପୁଅ ଅଭିଷେକ୍ ଡାଲମିଆ ଏବେ ବେଙ୍ଗଲ କ୍ରିକେଟ ସଂଘର ସଂପାଦକ ପଦ ଅଳଂକୃତ କରିଛନ୍ତି।

ପୂର୍ବତନ ବିସିସିଆଇ ସଭାପତି ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଧୁମାଲ୍ ଏବେ ହିମାଚଳ ପ୍ରଦେଶ କ୍ରିକେଟ ସଂଘର ସଭାପତି ହୋଇଛନ୍ତି। ତାଙ୍କର ସମ୍ପର୍କୀୟ ଭାଇ ରାକେଶ ରାଥୋର୍ ଏବେ ପଂଜାବ କ୍ରିକେଟ ସଂଘର ଉପସଭାପତି ରହିଛନ୍ତି।

ଗୁଜରାଟ କ୍ରିକେଟ ସଂଘର ପୂର୍ବତନ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟନ୍ତ ଶାହା ବିସିସିଆଇ ଏଜିଏମକୁ ଗୁଜରାଟରୁ ପ୍ରତିନିଧିତ୍ୱ କରି ସାରିଥିବା ବେଳେ ଏବେ ବିସିସିଆଇ ସଂପାଦକ ପଦ ପାଇବା ନିଶ୍ଚିତ ହୋଇଛି।

ବିସିସିଆଇ ତଥା ଆଇସିସିର ପୂର୍ବତନ ମୁଖ୍ୟ ଶଶାଙ୍କ ମନୋହରଙ୍କ ପୁଅ ଅଦ୍ୱିତ ମନୋହର ଏବେ ବିଦର୍ଭ କ୍ରିକେଟ ସଂଘର ଉପସଭାପତି ରହିଛନ୍ତି।

କେବଳ ସେତିକି ନୁହେଁ ବିସିସିଆଇ ତଥା ଆଇସିସିର ପୂର୍ବତନ ମୁଖ୍ୟ ଏନ. ଶ୍ରୀନିବାସଙ୍କ ଝିଅ ରୁପା ଗୁରୁନାଥ୍ ଏବେ ତାମିଲନାଡୁ କ୍ରିକେଟ ସଂଘର ସଭାପତି ପଦ ଅଳଂକୃତ କରିଛନ୍ତି। ସେହିପରି ସୌରାଷ୍ଟ୍ର କ୍ରିକେଟ ସଂଘର ପୂର୍ବତନ ସଭାପତି ନିରଂଜନ ଶାହାଙ୍କ ପୁଅ ଜୟଦେବ ଶାହା ସୌରାଷ୍ଟ୍ର କ୍ରିକେଟ ସଂଘର ସଭାପତି ଥିବା ବେଳେ ପୁତୁରା ହିମାଂଶୁ ଶାହା ଏବେ ସୌରାଷ୍ଟ୍ର କ୍ରିକେଟ ସଂଘର ସଂପାଦକ ଅଛନ୍ତି।

ପୂର୍ବତନ ବିସିସିଆଇ ଉପସଭାପତି ତଥା ଆଇପିଏଲ ଅଧ୍ୟକ୍ଷ ଚିରାୟୁ ଆମିନ୍‌ଙ୍କ ପୁଅ ପ୍ରଣବ ଆମିନ୍ ବରୋଦା କ୍ରିକେଟ ସଂଘର ସଭାପତି ଅଛନ୍ତି। ସେହିପରି ଜୟନ୍ତ ଲେଲେ ଯେ କି ପୂର୍ବରୁ ବିସିସିଆଇ ସଂପାଦକ ଭାବେ କାମ କରି ସାରିଛନ୍ତି, ତାଙ୍କ ପୁଅ ଅଜିତ ଲେଲେ ବରୋଦା କ୍ରିକେଟ ସଂଘର ସଂପାଦକ ହୋଇଛନ୍ତି।

ଆମ ରାଜ୍ୟ ଓଡିଶାରେ ମଧ୍ୟ ସମାନ ଅବସ୍ଥା। ପୂର୍ବତନ ସଂପାଦକ ଆଶିର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ନିକଟରେ ଓଡିଶା କ୍ରିକେଟ ସଂଘର ସଂପାଦକ ପଦରେ ବସିଛନ୍ତି।

ଏହି ରୋଚକ ତଥ୍ୟକୁ ଦେଖିଲେ ଲାଗୁଛି ଯେ ବିସିସିଆଇର କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଲୋଧା କମିଟି ଗଠନ କରିଛନ୍ତି। ଏହା ବିଭିନ୍ନ ସଂସ୍ଥାର ମୂଳକ ପଦକ୍ଷେପ ନେଇ ନିର୍ବାଚନ କରିବା ପାଇଁ ଉଦ୍ୟମ ଚଳାଇଛି। ଏଭଳି ପରିସ୍ଥିତିରେ କ୍ରିକେଟ ପ୍ରଶାସକ ପଦବୀ ଏବେ ମଧ୍ୟ ସେହି ହାତଗଣତି କିଛି କ୍ରୀଡ଼ା ସଂଗଠକଙ୍କ ପରିବାର ହାତରେ ରହିଛି ବା ରହିବ। ଏହା ଦ୍ୱାରା ଭାରତରେ କ୍ରିକେଟ ଖେଳର ପରିଚାଳନା ଓ ଭିତ୍ତିଭୂମୀ କ୍ଷେତ୍ରରେ କିପରି ସଂସ୍କାର ଆସିପାରିବ ତାହା ଉପରେ କ୍ରିକେଟପ୍ରେମୀଙ୍କ ନଜର।

Comment