ଓଡ଼ିଶାଲାଇଭ୍ ବ୍ୟୁରୋ

ବିସିସିଆଇ ପକ୍ଷରୁ ପ୍ରକାଶିତ ଖେଳସୂଚୀରେ ଓଡ଼ିଶା ଟିମ ଏଥର ଏଲିଟ୍-ସି ଗ୍ରୁପରେ ସ୍ଥାନ ପାଇଛି। ଏଥିରେ ଓଡ଼ିଶା ଟିମ୍‌ ସମେତ ଛତିଶଗଡ଼, ସର୍ଭିସେସ୍, ଉତ୍ତରାଖଣ୍ଡ, ତ୍ରିପୁରା, ହରିୟାଣା, ଜାମ୍ମୁ-କାଶ୍ମୀର, ଆସାମ, ମହାରାଷ୍ଟ୍ର, ଓ ଝାଡ଼ଖଣ୍ଡ ଟିମ୍‌ ସ୍ଥାନ ପାଇଛନ୍ତି।

ଓଡ଼ିଶା ଟିମ୍‌ ଡିସେମ୍ବର ମାସ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ତା’ର ପ୍ରଥମ ମ୍ୟାଚ ଛତିଶଗଡ଼ ବିପକ୍ଷରେ ଛତିଶଗଡ଼ରେ ଖେଳିବ। ଏହାପରେ ଡିସେମ୍ବର ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସର୍ଭିସେସ୍ ବିପକ୍ଷରେ ମ୍ୟାଚ ଟାଙ୍ଗୀସ୍ଥିତ ଡ୍ରିମସ ଗ୍ରାଉଣ୍ଡରେ ଖେଳିବ।

ସେହିପରି ଡିସେମ୍ବର ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସେହି ଡ୍ରିମସ ଗ୍ରାଉଣ୍ଡରେ ତା’ର ତୃତୀୟ ମ୍ୟାଚ ଉତ୍ତରାଖଣ୍ଡ ବିପକ୍ଷରେ ଖେଳିବ। ଏହାପରେ ପରେ ଜାନୁଆରି ୩ରୁ ୬ ଓ ୧୧ରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଟିମ ତ୍ରିପୁରା ଓ ହରିୟାଣା ବିପକ୍ଷରେ ମ୍ୟାଚ ଖେଳିବ। ଏହି ଲଢ଼େଇ ତ୍ରିପୁରା ଓ ହରିୟାଣାରେ ହେବ। ଏହା ପରେ ଜାନୁଆରି ୧୯ରୁ ୨୨ ଓ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ବାରବାଟୀରେ ଜାମ୍ମୁକାଶ୍ମୀର ଓ ଆସାମ ବିପକ୍ଷରେ ମ୍ୟାଚ ଖେଳିବ। ପ୍ରାୟ ଚାରି ବର୍ଷ ପରେ ଘରୋଇ ଓଡିଶା ଟିମ ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ମ୍ୟାଚ ଖେଳିବାକୁ ଯାଉଛି।

ଶେଷଥର ପାଇଁ ୨୦୧୫ ମସିହାରେ ଓଡ଼ିଶା ବାରବାଟୀରେ ମ୍ୟାଚ ଖେଳିଥିଲା। ବାରବାଟୀରେ ଲଗାତାର ଦୁଇଟି ମ୍ୟାଚ ଖେଳିବା ପରେ ଓଡ଼ିଶା ଟିମ୍‌ ଫେବ୍ରୁଆରି ୪ରୁ ୭ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ବିପକ୍ଷରେ ମ୍ୟାଚ ଖେଳିବାକୁ ମହାରାଷ୍ଟ୍ର ଯିବ। ଏହାପରେ ଫେବ୍ରୁଆରି ୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଟିମ୍‌ ସିଜନର ତା’ର ଶେଷ ମ୍ୟାଚ ଭୁବନେଶ୍ୱରର କିଟ୍ ଷ୍ଟାଡିୟମରେ ଖେଳିବ। ଘରୋଇ ପରିବେଶରେ ଏଥର ଓଡ଼ିଶା ଟିମ୍‌ ୫ଟି ମ୍ୟାଚ ଖେଳିବାକୁ ଥିବାରୁ ଓଡ଼ିଆ ଦର୍ଶକଙ୍କ ସମର୍ଥନ ବଳରେ ଓଡ଼ିଶା ଭଲ କରିବ ବୋଲି ଆଶା କରାଯାଉଛି।

Comment