ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେପୁରରେ ଏବେ ପ୍ରଚାର ଯୁଦ୍ଧ ଚାଲିଛି। ଅସଲ ଯୁଦ୍ଧ ହେବ ୨୧ରେ। ହେଲେ ଏହା ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ହାତ ଟେକି ଦେଇଛନ୍ତି। ବିଜେପୁରରେ କଂଗ୍ରେସ ଜିତି ପାରିବନି ବୋଲି ସୁର ଆଗୁଆ ଭବିଷ୍ୟବାଣୀ କରିଛନ୍ତି।

‘‘ମୁଁ ଏଠାରେ ତିନି ଚାରି ଦିନ ହେଲା ବୁଲୁଛି। ପ୍ରଚାର କରୁଛି। କିନ୍ତୁ କଂଗ୍ରେସ ଏଠି ଜିତିଲା ଭଳି ଲାଗୁନି। ଏବେ ନବୀନ ପଟ୍ଟନାୟକଙ୍କ ଜମାନା ଚାଲିଛି। ବିଜେପୁରରେ ସେ ଯେତିକି ପତାକା ଲଗାଇଛନ୍ତି ଆମେ ସାତ ଜନ୍ମରେ ପାରିବୁନି। ଯେତିକି ପୋଷ୍ଟର ମାରିଛନ୍ତି ଆମେ ୨୦ ଜନ୍ମରେ ଦେଖିବୁନି। ସବୁ ପଇସା ଏବେ ମୋଦୀ ଏବଂ ନବୀନଙ୍କ ପାଖରେ। ଆମ ପାଖରେ ପଇସା ନାହିଁ। ବିନା ପଇସାରେ ନିର୍ବାଚନ ଜିତି ହବନି। ଆମେ ଏଠାରେ ହାରିବୁ। କାହିଁକି ବଡ଼ ବଡ଼ କଥା କହିବୁ’’, କହିଛନ୍ତି ସୁର ରାଉତରାୟ।

ସୁରଙ୍କ ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ପରୋକ୍ଷରେ ପରାଜୟ ସ୍ୱୀକାର କରିଥିଲେ। ନିର୍ବାଚନ ଲଢ଼ିବାକୁ କଂଗ୍ରେସ ପାଖରେ ଟଙ୍କା ନାହିଁ ବୋଲି କହିଥିଲେ ନିରଞ୍ଜନ। ଏଣୁ ସେ ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଲୋଡ଼ିଥିଲେ।

ନିରଞ୍ଜନଙ୍କ ଏହି ମନ୍ତବ୍ୟ ସେତେବେଳେ ଚର୍ଚ୍ଚାରେ ରହିଥିଲା। ଯୁଦ୍ଧ ପୂର୍ବରୁ ପଇସା ନାହିଁ କହି ନିରଞ୍ଜନ ଆଗୁଆ ପରାଜୟ ସ୍ୱୀକାର କରିଥିବା ଚର୍ଚ୍ଚା ହୋଇଥିଲା।

ଏବେ ବିଜେପୁରରେ ଘମାଘୋଟ ଲଢ଼େଇ ଚାଲିଛି। ବିଜେଡିରୁ ରୀତା ସାହୁ, ବିଜେପିରୁ ସନତ ଗଡ଼ତିଆ ଏବଂ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି। ୨୧ରେ ହେବ ଭୋଟ। ୨୪ରେ ବାହାରିବ ଫଳାଫଳ। ହେଲେ ଏହା ପୂର୍ବରୁ ସୁରଙ୍କ ଭବିଷ୍ୟବାଣୀ ରାଜନୀତି କରିଡ଼ରରେ ରୋଚକ ଚର୍ଚ୍ଚା ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here