ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ 

ପାଖଉଛି ନିର୍ବାଚନ। ଜମୁଛି ପ୍ରଚାର। ହେଭିୱେଟ୍‌ ନେତାଙ୍କ ପ୍ରଚାରରେ କମ୍ପୁଛି ବିଜେପୁର ମଇଦାନ। ବିଜେପୁର ଦଖଲ ପାଇଁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗାଇସିଲାଟ ବ୍ଳକରେ ପ୍ରଚାର କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରେ ପ୍ରଚାର କରିଥିଲେ। ଅନ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି ସାମିଲ ହୋଇଥିଲେ। ନବୀନ ବନାମ ଦୁଇ କେନ୍ଦ୍ରମନ୍ତ୍ରୀରେ ଆଜି ବିଜେପୁର ମଇଦାନ କମ୍ପିଥିଲା।

ଆଜି ନବୀନଙ୍କ ପ୍ରଚାର ଗାଡ଼ି ଗଡ଼ିଥିଲା ଗାଇସିଲାଟ ବ୍ଳକରେ। ହାଇଟେକ୍‌ ବସ୍‌ରେ ବସି ନବୀନ ଆଗେ ଆଗେ ଯାଉଥିବା ବେଳେ ପଛରେ ଥିଲେ ରୀତା ସାହୁ। ନବୀନ ଛକ ଛକରେ ରହି ରୀତାଙ୍କ ପାଇଁ ପ୍ରଚାର କରୁଥିଲେ। ବିଜେପୁରର ଦାୟିତ୍ୱ ନିଜେ ନେବି ବୋଲି ଦୋହରାଇଥିଲେ ନବୀନ।

ଏପଟେ ନବୀନଙ୍କ ପ୍ରଚାରକୁ ଟକ୍କର ଦେବା ପାଇଁ ମଇଦାନକୁ ଆସିଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ। ଧର୍ମେନ୍ଦ୍ର ବରପାଲିରେ ବିଶାଳ ରୋଡ ସୋ’ କରିଥିଲେ। ସାଙ୍ଗରେ ଥିଲେ ପ୍ରାର୍ଥୀ ସନତ ଗଡ଼ତିଆ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଏବଂ ବରଗଡ଼ ସାଂସଦ ସୁରେଶ ପୂଜାରୀ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଘରକୁ ଘର ବୁଲି ସନତଙ୍କ ପାଇଁ ପ୍ରଚାର କରିଥିଲେ। ନବୀନ ବାବୁ ବିଜେପୁରବାସୀଙ୍କୁ ଧୋକା ଦେଇଥିବା ଦୁଇ କେନ୍ଦ୍ରମନ୍ତ୍ରୀ ଭୋଟରଙ୍କୁ କହିଥିଲେ। ନବୀନ ହିଞ୍ଜିଳି ନଛାଡ଼ି କାହିଁକି ବିଜେପୁର ଛାଡ଼ିଲେ ବୋଲି ଧର୍ମେନ୍ଦ୍ର ପୁଣି ପ୍ରଶ୍ନ କରିଥିଲେ।

ଶନିବାର ସନ୍ଧ୍ୟାରେ ଶେଷ ହେବ ପ୍ରଚାର। ଏଥିପାଇଁ ଆଜି ଦୁଇ ଦଳ ପକ୍ଷରୁ ପ୍ରଚାର ଜୋରଦାର କରାଯାଇଥିଲା। କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ବି ପଛରେ ପଡ଼ି ନାହାନ୍ତି। ସେ ନିଜ ସମର୍ଥକଙ୍କୁ ନେଇ ଭୋଟରଙ୍କୁ ଭେଟୁଛନ୍ତି।

ନବୀନ ଗୁରୁବାର ଆସିଥିଲେ ବିଜେପୁର। ବିଜେପୂର ଓ ବରପାଲି ବ୍ଳକରେ ପ୍ରଚାର କରି ନବୀନ ବରଗଡ଼ରେ ରାତ୍ରିଯାପନ କରିଥିଲେ। ଆଜି ସକାଳୁ ନବୀନ ପୁଣି ପ୍ରଚାର କରି ଭୁବନେଶ୍ୱର ଫେରି ଆସିଛନ୍ତି।

LEAVE A REPLY

Please enter your comment!
Please enter your name here